କନକ ବ୍ୟୁରୋ: ଢୋଲ ବାଜୁଛି, ଆଉ ବାଜାର ତାଳେ ତାଳେ ଝୁମୁଛନ୍ତି ଆପଲର ସିଇଓ ଟିମ୍ କୁକ । ଅର୍ନ୍ତରାଷ୍ଟ୍ରୀୟ ସ୍ତରରେ ଏହି ଜଣାଶୁଣା ବ୍ୟବସାୟୀଙ୍କ ଏହି ଅନ୍ଦାଜ ଏବେ ଦେଖିଛି ସାରା ମୁମ୍ବାଇ । କାରଣ ଏଠାରେ ଆରମ୍ଭ ହୋଇଛି ଦେଶର ପ୍ରଥମ ଆପଲ୍ ଷ୍ଟୋର । କମ୍ପାନୀର ସିଇଓ ଟିମ କୁକ ଓ ତାଙ୍କ ସହଯୋଗୀ ମୁମ୍ବାଇ ବିକେସିରେ ପ୍ରଥମ ଷ୍ଟୋରକୁ ଲଂଚ କରିଛନ୍ତି । ଏହି ସମୟରେ ଆପଲ ସିଇଓଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥିଲା । ଟିମ କୁକ ନିଜେ ଷ୍ଟୋରର ଗେଟ ଖୋଲି ଲୋକଙ୍କ ସ୍ୱାଗତ କରିଥିଲୋ । ସେପଟେ ମୁମ୍ବାଇବାସୀ ପ୍ରଥମ ଆପଲ ଷ୍ଟୋର ଲଂଚକୁ ଯେତିକି ଖୁସି ଅଛନ୍ତି ସେତିକି ଉତ୍ସାହିତ ମଧ୍ୟ ଦେଖିବାକୁ ମିଳିଥିଲେ ।

Advertisment

ଦେଶରେ ଖୋଲିଲା ପ୍ରଥମ ‘ଆପଲ୍’ଷ୍ଟୋର୍
• ଷ୍ଟୋରରେ ଆଇଫୋନ ଓ ଆପଲର ଅନ୍ୟାନ୍ୟ ସାମଗ୍ରୀ ମିଳିବ
• ୨୦ଟି ଭାଷାରେ ଗ୍ରାହକଙ୍କୁ ସେବା ଯୋଗାଇବ
• ଷ୍ଟୋରର ନାଁ ରହିଛି ଆପଲ ବିକେସି
• ପ୍ରତିମାସରେ ଭଡ଼ା ବାବଦକୁ ଦିଆଯିବ ୪୨ଲକ୍ଷ ଟଙ୍କା
• ୨ହଜାର ବର୍ଗଫୁଟରେ ନିର୍ମିତ ହୋଇଛି
• ଶୋରୁମ ଜିଓ ୱାଲ୍ଡ ଡ୍ରାଇଭ ମଲରେ ରହିଛି ।

ସୋମବାର ମୁମ୍ବାଇରେ ପହଁଚିଥିଲେ ଆପଲ ସିଇଓ ଟିମ କୁକ । ଏଂଟେଲିଆରେ ପହଁଚି ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାକ୍ଷାତ କରିଥିଲେ । ଏଥିସହ ଦେଶରେ ବିଭିନ୍ନ କ୍ଷେତ୍ରର ଜଣାଶୁଣା ବ୍ୟକ୍ତିଙ୍କୁ ମଧ୍ୟ ଭେଟିଥିଲେ । ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର, ଅନିଲ କୁମ୍ବଲେ, ମନୋରଞ୍ଜନ ଦୁନିଆର ଜଣାଶୁଣା କଳାକାରଙ୍କ ମଧ୍ୟ ଟିମ କୁକଙ୍କୁ ଭେଟି ସେଲଫି ଉଠାଇଥିଲେ । ଅମାନ ମଲ୍ଲିକ, ନେହା ଧୁପିଆ, ଅଙ୍ଗଦବେଦୀ, ମୌନି ରୟଙ୍କୁ ସେ ସାକ୍ଷାତ କରିଥିଲେ । ତେବେ ସୋସିଆଲ ମିଡିଆରେ ସବୁଠୁ ଅଧିକ ଧ୍ୟାନ ଆର୍କଷଣ କରିଛି ବଲିଉଡ ଅଭିନେତ୍ର ମାଧୁରୀ ଦିକ୍ଷିତ ନେନେ ଓ ଟିମ କୁକଙ୍କ ଏହି ଫଟୋ । ଯେଉଁଥିରେ ଆପଲ ସିଇଓଙ୍କୁ ମୁମ୍ବାଇର ପ୍ରସିଦ୍ଧ ବଡାପାଓ ଖୁଆଇ ସ୍ୱାଗତ କରିଥିଲେ ମାଧୁରୀ ଦିକ୍ଷିତ ନେନେ ।

ମୁମ୍ବାଇରେ ଦେଶର ପ୍ରଥମ ଷ୍ଟୋର ଖୋଲାଯିବା ପରେ ଦିଲ୍ଲୀରେ ଖୋଲାଯିବ ଦ୍ୱିତୀୟ ଷ୍ଟୋର । ସୂଚନା ଅନୁସାରେ ଏପ୍ରିଲ ୨୦ରେ ସାକେତର ସିଟି ୱାଲକ ମଲରେ ଖେଲାଯିବ ଆପେଲର ୨ୟ ଷ୍ଟୋର । ଭାରତରେ ଆଇଫୋନର ଚାହିଦା ବେଶ ଅଧିକ । ଏଥିସହ ଆପଲର ପ୍ରଡକ୍ଟର ବିକ୍ରି ମଧ୍ୟ ବେଶ ଭଲ ହୁଏ । ତେଣୁ କମ୍ପାନୀ ଏଠାରେ ଷ୍ଟୋର ଲଂଚ କରିବା ଦ୍ୱାରା ଏଠାକାର ଗ୍ରାହକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖବିବାକୁ ମିଳିଛି ।