ଆନ୍ତର୍ଜାତୀୟ ଚଳିଚିତ୍ର ମହୋତ୍ସବରେ ସ୍ଥାନ ପାଇଲା ବିପିଏଫଟିଆଇ ଛାତ୍ରଙ୍କ ଦ୍ୱାରା ନିର୍ମିତ ଚଳଚିତ୍ର, ଗୋଆରେ ହେବ ପ୍ରଦର୍ଶିତ

140

କନକ ବ୍ୟୁରୋ : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ତତ୍ୱାବଧାନରେ ନ୍ୟାସନାଲ ଫିଲ୍ମ ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡ  ଭାରତ ସରକାରଙ୍କ ଦ୍ୱାରା ୫୩ ତମ ସଂସ୍କରଣ ଆନ୍ତର୍ଜାତୀୟ ଚଳଚିତ୍ର ମହୋତ୍ସବ ଗୋଆ ଠାରେ ନଭେମ୍ବର ୧୮-୨୫ ମଧ୍ୟରେ ଅନୁଷ୍ଠିତ ହେଉଛି । ଏହି ମହୋତ୍ସବକୁ ବିଜୁ ପଟ୍ଟନାୟକ ଫିଲ୍ମ  ଏବଂ ଟେଲିଭିଜନ ଅନୁଷ୍ଠାନର ଛାତ୍ର ପ୍ରଜ୍ଞା ପ୍ରିୟଦର୍ଶନ ଭୋଇଙ୍କ ଦ୍ୱାରା ନିର୍ମିତ ହୋଇଥିବା ଚଳଚିତ୍ର ‘ବାପା’ ଏଡିଟିଂ ପାଇଁ ଏବଂ ଅମର ଶତପଥୀଙ୍କ ଦ୍ୱାରା ନିର୍ମିତ ଚଳଚିତ୍ର ‘ଅସ୍ତରଗ’ ସାଉଣ୍ଡ ଡିଜାଇନ ପାଇଁ ’୭୫ କ୍ରିଏଟିଭ ମାଇଣ୍ଡସ୍ ଅଫ୍ ଟୁମାରୋ’ ମନୋନୀତ ହୋଇଛି । ଏନେଇ ସେମାନଙ୍କୁ ୫୩ ତମ ଆନ୍ତର୍ଜାତୀୟ ଚଳଚିତ୍ର ଗୋଆ ଯିବା ପାଇଁ ନିମନ୍ତ୍ରଣ ଆସିଛି ।

ଏହା ବିଜୁ ପଟ୍ଟନାୟକ ଫିଲ୍ମ ଏବଂ ଟେଲିଭିଜନ ଅନୁଷ୍ଠାନ ପାଇଁ ଗର୍ବ ଓ ଗୌରବର ବିଷୟ । ତାହା ସହିତ ଏହା ଆମ ରାଜ୍ୟର ଚଳଚିତ୍ର ନିର୍ମାଣ କ୍ଷେତ୍ରରେ ଏକ ନୂଆ ଆଲୋକ ଦେବା ସହ ନୂତନ ପୀଢିର ଆସୁଥିବା ଛାତ୍ର ଛାତ୍ରୀମାନଙ୍କୁ ପ୍ରଭାବିତ କରିବ ବୋଲି ଅନୁଷ୍ଠାନର ଶିକ୍ଷକ ଓ ସହକର୍ମୀମାନେ ଆଶା ପ୍ରକାଶ କରିଛନ୍ତି । ଏହି ସମ୍ମାନ ଏ ଅନୁଷ୍ଠାନର ବିଗତ ଛାତ୍ରଛାତ୍ରୀ ତଥା ଅନୁଷ୍ଠାନରେ ପଢୁଥିବା ଅନେକ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେବ । ଯାହାକି ସେମାନେ ଭବିଷ୍ୟତରେ ଆହୁରି ଭଲ ଚଳଚିତ୍ର ନିର୍ମାଣ କରି ଜାତୀୟ ସ୍ତରରେ ତଥା ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରି ନିଜେ ଗୌରାବାନିତ ହେବା ସହ ଅନୁଷ୍ଠାନକୁ ଗୌରବାନିତ କରିବ ବୋଲି କୁହାଯାଇଛି ।

ଏହି ଅନୁଷ୍ଠାନରେ ଶିକ୍ଷାଲାଭ କରି ବହୁ ଛାତ୍ରଛାତ୍ରୀ ରାଜ୍ୟ ସ୍ତରୀୟ, ଜାତୀୟ ସ୍ତରୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଛନ୍ତି । ନିକଟ ଅତୀତରେ ମୁକ୍ତିଲାଭ କରିଥିବା ଚଳଚିତ୍ର ‘ଦମନ’ର ନିର୍ଦ୍ଦେଶକ, କ୍ୟାମେରାମ୍ୟାନ, ସାଉଣ୍ଡ ଡିଜାଇନର ଓ ଏଡିଟର ମଧ୍ୟ ଏହି ଶିକ୍ଷାନୁଷ୍ଠାନରୁ ଶିକ୍ଷାଗ୍ରହଣ କରିଛନ୍ତି ବୋଲି କୁହାଯାଇଛି ।