ଲୋକସଭାରେ କୃଷି ଆଇନ ପ୍ରତ୍ୟାହାର ବିଲ୍ ପାରିତ । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ପାଇଁ ଦିନ ୨ଟା ଯାଏଁ ଗୃହ ମୁଲତବୀ ।

199

କନକ ବ୍ୟୁରୋ : ସଂସଦର ଶୀତ ଅଧିବେଶନର ପ୍ରଥମ ଦିନରେ କୃଷି ଆଇନ ପ୍ରତ୍ୟାହାର ବିଲ୍ ପାରିତ । ଲୋକସଭାରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆଣିଥିବା କୃଷି ଆଇନ ପ୍ରତ୍ୟାହାର ବିଲ୍ ପାରିତ ହୋଇଛି । ବାଚନିକ ଭୋଟରେ ବିଲ୍ ପାରିତ ହୋଇଥିବା ବେଳେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । କାରଣ ଏହି ପ୍ରତ୍ୟାହାର ବିଲ୍ ପାରିତ ହେବା ପରେ ଏହା ବାବଦରେ ଆଲୋଚନା କରିବାକୁ ଦାବି କରିଥିଲେ ବିରୋଧୀ । କଂଗ୍ରେସ, ତୃଣମୂଳ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଏହି ପ୍ରତ୍ୟାହାର ବିଲ ସମ୍ପର୍କରେ ଆଲୋଚନା କରିବାକୁ ଦାବି କରିଥିଲେ । କିନ୍ତୁ ଏ ବାବଦରେ କୌଣସି ଆଲୋଚନା ନହେବାରୁ ବିରୋଧୀ ହଟ୍ଟଗୋଳ କରିଥିଲେ । ଯେଉଁଥିପାଇଁ ଲୋକସଭାକୁ ଦିନ ୨ଟା ଯାଏଁ ମୁଲତବୀ କଲେ ବାଚସ୍ପତି ।

ଏହି କୃଷି ଆଇନ ପ୍ରତ୍ୟାହାର ବିଲ୍ ଲୋକସଭାରେ ପାରିତ ହେବା ପରେ ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି, ଯେଉଁ ୭୫୦ ଜଣ ଚାଷୀ ଏହି ଆଇନ ଉଚ୍ଚେଦ ପାଇଁ ନିଜର ଜୀବନ ହାରିଛନ୍ତି ସେମାନଙ୍କ ପାଇଁ ଏହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । କିନ୍ତୁ ଏହି ଚାଷୀ ଆନ୍ଦୋଳନ ଆଗକୁ ମଧ୍ୟ ଜାରି ରହିବ ଯେତେବେଳେ ଯାଏଁ ଏମଏସପି ବାବଦରେ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି ।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୯ ନଭେମ୍ବରରେ ୩ କୃଷି ଆଇନ ପ୍ରତ୍ୟାହାର କରିବା ନେଇ ଘୋଷଣା କରିଥିଲେ ।ଏହି ଆଇନ ବାବଦରେ କିଛି ଚାଷୀଙ୍କୁ ଆମେ ବୁଝାଇ ପାରିଲୁ ନାହିଁ ବୋଲି କହିଥିଲେ ମୋଦୀ । ଆଉ ଆଇନ ପ୍ରତ୍ୟାହାର ଘୋଷଣା ସହ ଚାଷୀ ମାନେ ନିଜ ନିଜର ଘରକୁ ଯାଆନ୍ତୁ ବୋଲି ମୋଦୀ କହିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଗତ ବର୍ଷେ ହେବ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରେ ବସିଥିଲେ ହଜାର ହଜାର ଚାଷୀ । ଶୀତ, କାକର, ଖରା, ବର୍ଷାକୁ ଖାତିର ନକରି ଚାଷୀ ଆନ୍ଦୋଳନ ଜାରି ରଖିଥିଲେ । ଏପରିକି ଚଳିତ ଶୀତକାଳୀନ ଅଧିବେଶନରେ ସଂସଦ ପର୍ଯ୍ୟନ୍ତ ମାର୍ଚ୍ଚ କରିବେ ବୋଲି ଚାଷୀ ସଙ୍ଗଠନ ପକ୍ଷରୁ ଘୋଷଣା କରାଯାଇଥିଲା । କିନ୍ତୁ ଏହାପୂର୍ବରୁ କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା କରିଥିଲେ ମୋଦୀ ସରକାର ।