ସଙ୍କଟରେ ମୂର୍ତିକାର ପରିବାର । ବେପାର ଉପରେ କୋଭିଡ ସ୍ଥିତିର କଡ଼ା ପାହାର । ବିକ୍ରି ଅଭାବରୁ ପଡ଼ି ରହିଛି ଲକ୍ଷାଧିକ ଟଙ୍କାର ମୂର୍ତି

88

କନକ ବ୍ୟୁରୋ: ସଙ୍କଟରେ ମୂର୍ତିକାର ପରିବାର । କରୋନା ସାଜିଛି ବୃତିରେ ବାଧକ । ୨ଲକ୍ଷରୁ ଅଧିକ ଟଙ୍କାର ମାଟି ମୂର୍ତି ବିକ୍ରି ଅପେକ୍ଷାରେ । ଆମେ କହୁଛୁ ଯାଜପୁର ଜିଲ୍ଳା ଧର୍ମଶାଳା ବ୍ଲକ ଦେଉଳି ଗାଁର ମୂର୍ତି କାରିଗରଙ୍କ କଥା । ଅଗଷ୍ଟମାସରେ କରୋନା ଗାଇଡଲାଇନ ବଦଳିବା ପରେ ଏବେ ବେପାର ବଢିବା ପାଇଁ ଆଶାବାଦୀ କାରିଗର ।

ଥାକରେ ସଜା ହୋଇଥିବା ଏହି ରଙ୍ଗବେରଙ୍ଗର ମୂର୍ତିଗୁଡିକ କୌଣସି ଦୋକାନର ନୁହେଁ । କରୋନା ଆରମ୍ଭ ହେବା ଦିନୁ କଟକଣା ଯୋଗୁଁ ମୂର୍ତିଗୁଡିକ ପ୍ରସ୍ତୁତ ହୋଇ ବିକ୍ରି ଅପେକ୍ଷାରେ ରହିଛି । କିଏ ରଙ୍ଗହୋଇ ବିକ୍ରି ଯୋଗ୍ୟ ହୋଇ ଥାକରେ ଶୋଭାପାଉଛି ତ ଆଉ କିଛି ଛାଂଚରୁ ବାହାରି ପଡିରହିଛି । ଦୀର୍ଘ ଦେଢବର୍ଷ ହେବ କରୋନା କଟକଣା ଯୋଗୁଁ କାରିଗର ଗୋଡ ହାତ ବାନ୍ଧି ବସିଥିବା ବେଳେ ନୂଆ ଅର୍ଡର ମିଳୁନି କି ପ୍ରସ୍ତୁତ ହୋଇଥିବା ମୂର୍ତିଗୁଡିକ ବିକ୍ରି ହେଉନି । ଫଳରେ ଦୁଇ ଲକ୍ଷ ପାଖାପାଖି ଟଙ୍କାର ମୂର୍ତି ପ୍ରସ୍ତୁତ ହୋଇ ପଡିରହିଛି । ଆଉ ବ୍ୟବସାୟ ହେଉନଥିବାରୁ ସମସ୍ୟାରେ ଘାଂଟି ହେଉଛନ୍ତି ଧର୍ମଶାଳା ବ୍ଲକ ଦେଉଳି ଓ ଭାଲୁଖାଇ ଗାଁର କୁମ୍ଭକାର ପରିବାର ।

ପଶ୍ଚିମବଙ୍ଗର ସରାଇପାଲିରୁ ଦୀର୍ଘ ୫୦ବର୍ଷ ତଳେ ଶିଖି ଆସିଥିବା ଏହି ମାଟିମୂର୍ତି କାରିଗରି କାମ କରି ଦେଉଳି ଓ ଭାଲୁଖାଇ ଅଂଚଳର କିଛି କାରିଗର ପରିବାର ଚଳାଇ ଆସୁଥିଲେ । ଏମାନେ ମାଟିକୁ ଚକଟି ଛାଂଚରେ ପକାଇ ବିଭିନ୍ନ ଆକର୍ଷଣୀୟ ଡିଜାଇନର ଗଣେଷ, ଖୁଦୁରୁକୁଣୀ, ବିଶ୍ୱକର୍ମା, ନର୍ତକୀ ମୂର୍ତି ତିଆରି କରିବା ସହିତ ଟେରାକୋଟା ସାମଗ୍ରୀ ପ୍ରସ୍ତୁତ କରନ୍ତି ।

ଏଥିସହ ମାଟି ଦୀପ ମଧ୍ୟ ବିକ୍ରିକରି ପରିବାର ଚଳାଇଥାନ୍ତି । ଏହି ମୂର୍ତିଗୁଡିକ ବାଲେଶ୍ୱର, ଭଦ୍ରକ, କଟକ, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଳାର ବିଭିନ୍ନ ସ୍ଥାନରେ ବେଶ୍ ଚାହିଦା ରହିଛି ବୋଲି କହନ୍ତି ଏମାନେ । .. .. ..ଏମାନେ ତିଆରି କରୁଥିବା ମୂର୍ତିଗୁଡିକ ଦଶ ଟଙ୍କାରୁ ଦଶହଜାର ଟଙ୍କାରେ ମଧ୍ୟ ବିକ୍ରି ହୋଇଥାଏ । ତେବେ କରୋନା ଯୋଗୁଁ ଏବେ କୁମ୍ଭକାର ପରିବାର ହତାଶା ଭିତରେ ଥିବା ବେଳେ ଆଗକୁ ପାର୍ବଣର ରୂତୁ ଆସୁଥିବାରୁ କାରିଗର ମୂର୍ତିଗୁଡିକୁ ବିକ୍ରିକରି ଦୁଇପଇସା ରୋଜଗାର କରିବା ସହ ପୂନର୍ବାର ସ୍ୱାବଲମ୍ବୀ ହୋଇ ଚଳିବାକୁ ଆଶାବାନ୍ଧି ବସିଛି ।

ତେବେ ବିନା ସରକାରୀ ପ୍ରୋତ୍ସାହନରେ ମୂର୍ତି ତିଆରି କରି ସ୍ୱାବଲମ୍ବୀ ହୋଇପାରିଥିବା ଏହି କାରିଗରମାନେ କରୋନା କଟକଣା ସମ୍ପୂର୍ଣ କୋହଳ ହେଲେ ନିଜର ସାମଗ୍ରୀ ବିକ୍ରୀ କରି ସ୍ୱାବଲମ୍ବୀ ହୋଇପାରିବେ ।