ଧୁମଧାମରେ ପାଳନ ହେଲା ପାରମ୍ପରିକ ଗହ୍ମା ପର୍ବ । ଆଦିବାସୀ ପରମ୍ପରାକୁ ପ୍ରଭାବିତ କରି ପାରିନାହିଁ ମହାମାରୀ କରୋନା

85

କନକ ବ୍ୟୁରୋ: ଆଦିବାସୀ ପରମ୍ପରାକୁ ପ୍ରଭାବିତ କରି ପାରିନାହିଁ ମହାମାରୀ କରୋନା । ମୟୂରଭଞ ଜିଲ୍ଲା ରାଇରଙ୍ଗପୁରର ଆଦିବାସୀ ସାନ୍ତାଳୀ ସମ୍ପ୍ରଦାୟର ଲୋକେ ଧୁମଧାମରେ ପାଳନ କରିଛନ୍ତି ପାରମ୍ପରିକ ଗହ୍ମା ପର୍ବ । ପ୍ରକୃତି ପୂଜକ ସାନ୍ତାଳୀ ସମ୍ପ୍ରଦାୟର ଲୋକେ ଶ୍ରାବଣ ମାସରେ ଏହି ପର୍ବ ପାଳନ କରିଥାନ୍ତି । ଏହି ପର୍ବ ହାରିଆଳ ପୂଜା ନାମରେ ମଧ୍ୟ ପ୍ରସିଦ୍ଦ । ସାନ୍ତାଳୀ ସମ୍ପ୍ରଦାୟର ଲୋକେ ୧୨ ମାସରେ ୧୩ ପର୍ବ ପାଳନ କରୁଥିବା ବେଳେ ଏହି ପର୍ବ ଟିକେ ଅଲଗା ।

ସାନ୍ତାଳୀ ମାନଙ୍କ ମନ୍ଦିର ନଥାଏ କି କୌଣସି ମୂର୍ତି ପୂଜାରେ ସେମାନେ ବିଶ୍ୱାସ କରନ୍ତି ନାହିଁ । ସେମାନେ ଜାହେରାରେ ପୂଜାର୍ଚ୍ଚନା କରିଥାନ୍ତି । କିନ୍ତୁ ଗହ୍ମା ପର୍ବରେ ଗାଁ ଆଖଡାରେ ପୂଜା କରିଥାନ୍ତି । ପରମ୍ପରା ଅନୁସାରେ ଦୁଇଜଣ ଅବିବାହିତ ଯୁବକ କରମ ଗଛରୁ କରମ ଡାଳ ଶୋଭାଯାତ୍ରାରେ ଆଣିବା ପରେ ଗାଁ ଆଖଡାରେ ସ୍ଥାପନ କରାଯାଇଥାଏ । ଦୁଇ ଦିନ ଧରି ଏହି ପୂଜା ହୋଇଥାଏ ।

ବିଶ୍ୱାସ ରହିଛି ଏହି ପୂଜା କଲେ ଧାନ ଫସଲ ଭଲ ହୋଇଥାଏ । ଫସଲରେ ପୋକ ଲାଗି ନଥାଏ । ଗହ୍ମା ପର୍ବ ଦୁଇ ଦିନ ଧରି ପାଳିତ ହେଉଥିବା ବେଳେ ଯିଏ ଯେଉଁଠି ଥିଲେ ବି ଘରକୁ ଆସିଥାନ୍ତି । ନିଜ ନିଜ ଘରେ ପାରମ୍ପରିକ ନୂତନ ବସ୍ତ୍ର ପରିଧାନ କରି ପୂର୍ବ ପୁରୁଷଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ପୂଜାର୍ଚ୍ଚନା ପରେ ଗ୍ରାମର ଆବାଳ ବୃଦ୍ଧ ବନିତା ପୂଜାସ୍ଥଳୀକୁ ଆସି ପ୍ରଣାମ କରି ଆର୍ଶିବାଦ ନେଇଥାନ୍ତି । ଏହାପରେ ଉଭୟ ମହିଳା ଓ ପୁରୁଷ ପାରମ୍ପରିକ ବସ୍ତ୍ର ପରିଧାନ କରି ଢୋଲ ମାଦଳର ତାଳେତାଳେ ନାଚଗୀତ କରିଥାନ୍ତି ।