କନକ ବ୍ୟୁରୋ: ସାନ ଭାଇକୁ ବଂଚାଇବା ପାଇଁ ବୁଡ଼ି ଗଲା ବଡ଼ ଭାଇ । ସାନ ଭାଇର ଜୀବନ ସିନା ବଂଚିିଯାଇଛି, ହେଲେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ବଡ଼ ଭାଇ । ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ବାଙ୍କୀ ଗୟଳବାଙ୍କ ଦେବୀଦ୍ୱାର ଘାଟରେ । ସାଙ୍ଗସାଥୀଙ୍କ ମେଳରେ ଭୋଜି କରିବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଛି । ମାତ୍ର ୧୯ ବର୍ଷର ବିଟେକ୍-ଛାତ୍ରର ମୃତଦେହ ଦେଖି, ପରିବାର ଲୋକଙ୍କ ପାଦତଳୁ ମାଟି ଖସି ଯାଇଛି ।

Advertisment

ହୃଦୟ ବିଦାରକ ଦୃଶ୍ୟ । ମର୍ମାହତ କଲା ଭଳି ମହୁର୍ତ । ବଢ଼ିଲା ପୁଅର ମୃତଦେହ ଦେଖି, କେଉଁ ମା’ର ଧର୍ଯ୍ୟଧରି ଥାନ୍ତା । ଚେତାଶୂନ୍ୟ ହୋଇଯାଉଛନ୍ତି ମା’ । ମାଟିରେ ଲୋଟି ପଡ଼ୁଛନ୍ତି ପରିବାର ଲୋକ । ପୁଅର ମୃତ୍ୟୁକୁ ବିଶ୍ୱାସ କରି ପାରୁନାହାଁନ୍ତି ବାପା । କ’ଣ କରିବେ ବୁଝିପାରୁନାହାଁନ୍ତି । ମୃତଦେହ ଦେଖି ଚାରିଦିଗ ଅନ୍ଧାର ଦେଖାଯାଉଛି ।

ଆକାଶ ରାଉତରାୟ

ବୟସ ମାତ୍ର ୧୯ ବର୍ଷ

ବିଟେକରେ ପଢ଼ୁଥିବା ଆକାଶ, ସାନ ଭାଇ ପ୍ରକାଶ ଏବଂ କିଛି ସାଙ୍ଗଙ୍କୁୁ ଧରି ଭୋଜି କରିବା ପାଇଁ ବାଙ୍କୀ ଯାଇଥିଲେ । ଖୁସିରେ ଭୋଜି ପାଇଁ ରୋଷେଇ ସରିଥିଲା । ହେଲେ ଖାଇବା ପୂର୍ବରୁ ସମେସ୍ତ ଗାଧେଇବା ପାଇଁ ମହାନଦୀକୁ ଓହ୍ଲାଇଥିଲେ । ହେଲେ ଏହି ସମୟରେ ସୂଅରେ ଭାସିଯାଇଥିଲେ ପ୍ରକାଶ । ଭାଇର ଏହି ଅବସ୍ଥା ଦେଖି, ପାଣିରୁ ତାଙ୍କୁ ଟାଣି ଆଣିଥିଲେ ଆକାଶ । ହେଲେ ନିଜେ ପାଣିର ସୂଅରେ ଭାସି ଯାଇଥିଲେ ।

ସାନ ଭାଇ ସିନା ବଂଚିଗଲେ, ହେଲେ ପାଣିର ସୂଅରେ ଭାସିଯାଇଥିଲେ ବଡ଼ ଭାଇ । ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ଖୋଜଖବର ମିଳିନଥିଲା । ହେଲେ ଆଜି ସକାଳେ ଆକାଶଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ମୃତଦେହକୁ ଉଦ୍ଧାର କରିବା ପରେ, ବାଙ୍କୀ ହସ୍ପିଟାଲରେ ଆକାଶଙ୍କ ପେଷ୍ଟମର୍ଟମ କରି, ପରିବାର ଲୋକଙ୍କୁ ମୃତଦେହକୁ ହସ୍ତାନ୍ତର କରାଯାଇଛି ।

ଖୋର୍ଦ୍ଧା ନିରାକାରପୁର ଅଂଚଳର ମୂଳବାସିନ୍ଦା ହେଉଛନ୍ତି ରାଉତରାୟ ପରିବାର । ହେଲେ ଭୁବନେଶ୍ୱରର ମଂଚେଶ୍ୱର ଅଂଚଳରେ ରହୁଥିଲେ । ଭୁବନେଶ୍ୱରରୁ ଭୋଜି କରିବା ପାଇଁ ଆକାଶ ଓ ପ୍ରକାଶ ଯାଇଥିବା ବେଳେ ବାଙ୍କୀରେ ଏହି ଅଘଟଣ ଘଟିଯାଇଛି ।