ଗାଡ଼ି ଚାଳକ ଜାଣିନାହାନ୍ତି, କିଏ ବଦଳାଇଲା ମାଲିକାନା? ଆରଟିଓ-ପୋଲିସ ଦୋଷ ଲଦାଲଦି 

154

କନକ ବ୍ୟୁରୋ: ଗାଡ଼ି କୁ ଯାଞ୍ଚ କରୁଥିବା ଅଧିକାରୀ  ଖୋଦ୍ ଯାଞ୍ଚର ଜାଲ ଭିତରେ । ଖାକିକୁ ତଦନ୍ତ କରୁଛି ଖାକି । ନିୟମ ଭାଙ୍ଗୁଥିବା ଗାଡ଼ି ଚାଳକକୁ  ନିୟମ ଶିଖାଉଥିବା ପରିବହନ ଅଧିକାରୀ ନିଜେ ଏବେ ନିୟମ ଭାଙ୍ଗି ବିବାଦରେ ଫଶିଯାଇଛନ୍ତି । ଚୋର ଚଲାଉଛି ଚୋରି ଗାଡ଼ି । ହେଲେ ଚୋରି ଗାଡ଼ିର ମାଲିକାନାକୁ ବଦାଳାଇ ଦେଇଛି ଖୋଦ୍ ଆରଟିଓ କାର୍ଯ୍ୟାଳୟ ।  ଆଉ ଆରଟିଓ ବାବୁ କରିଥିବା ଦୋଷକୁ ଏବେ ଜଣ ମୁଣ୍ଡରେ ଲଦିଦେଇ ନିଜ ଦୋଷ ଝାଡ଼ୁଛନ୍ତି ।

ପୂରା ଘଟଣା ଏମିତି ଥିଲା ଯେ,  ଗତ ବର୍ଷ ସେପ୍ଟେମ୍ବର ୨୫ ତାରିଖରେ ଜଗୁ ହନ୍ତାଲ ନାମକ ଜଣେ ବ୍ୟକ୍ତିଙ୍କ ଅଲଟୋ କାର କୋରାପୁଟ ସେମିଳି ଗୁଡ଼ା କଲେଜ ଛକ ନିକଟରୁ ଚୋରି ହୋଇଗଲା । ଚୋରି ଘଟଣାକୁ ନେଇ ସେ ଥାନାରେ ଏତଲା ମଧ୍ୟ ଦେଇଥିଲେ । ଏହି ଘଟଣାକୁ ନେଇ ପୋଲିସ ଛାନଭିନ୍ କରୁଥିବା ବେଳେ ଗାଡ଼ିର ସନ୍ଧାନ ପାଇ ଖୋଦ୍ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ପଡ଼ିଛି ।

ଚୋରି ଗାଡ଼ିର ମାଲିକାନା ବଦଳି ଯାଇଛି । ଗାଡ଼ି ମାଲିକ ଆରଟିଓ କାର୍ଯ୍ୟାଳୟକୁ ଯାଇନଥିବା କଥା କହୁଥିବା ବେଳେ କିପରି ମାଲିକାନା ପରିବର୍ତନ ହେଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପଟେ ମାଲାକାନା ଠିକ୍ ନିୟମରେ ପରିବର୍ତ୍ତନ ହୋଇଥିବା ଆରଟିଓ କହୁଥିବା ବେଳେ ଏହି ଘଟଣାରେ ପୋଲିସ ଅଧିକାରୀ ଆରଟିଓ ଅଫିସକୁୁ ଦୋଷ ଦେଉଛନ୍ତି । ହେଲେ ପାଲଟା ଜବାବରେ ଆରଟିଓ କହୁଛନ୍ତି ଏଥିରେ ପୋଲିସର ଭୁଲ  ।

ତେବେ ଏ ରୋଚକ ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଥିବା ବେଳେ ସତ୍ୟତା ଜାଣିବା ପାଇଁ ଆରଟିଓର କାଗଜ ପତ୍ରକୁ ଯାଞ୍ଚ କରିବା  ସହ ସିସିଟିଭି ଫୁଟେଜକୁ ମାଗିଛନ୍ତି । କେଉଁଠି ନା କେଉଁଠି ଆରଟିଓ କାର୍ଯ୍ୟାଳୟର କିଛି ଅଧିକାରୀ ଏଥିରେ ସାମିଲ ଥିବା ଅଭିଯୋଗ ହୋଇଛି । ତେବେ କିଏ କହୁଛି ସତ ଆଉ କିଏ କହୁଛି ମିଛ? ପରିବହନ ବିଭାଗ ନା ପୋଲିସ । ଦୁହିଁଙ୍କ କାର୍ଯ୍ୟାକଳାପ ଓ ତଥ୍ୟକୁ ନେଇ ସାଧାରଣରେ ଦ୍ୱନ୍ଦ ସୃଷ୍ଟି ହୋଇଛି । ତେବେ ତଦନ୍ତ ପରେ ପ୍ରକୃତ ସତ ସାମ୍ନାକୁ ଆସିବ ଆଉ ଏହି ଘଟଣା ପଛରେ ଥିବା ଅସଲ ଖଳନାୟକର ଖୁଲାସା ହେବ…