ବାତ୍ୟାର ଗତିପଥ ଆକଳନ କଲା ପାଣିପାଗ ବିଭାଗ : ଓଡିଶାରେ ହେବ ମାଡ ! ବାଲେଶ୍ୱର ଭୋଗରାଇରେ ହୋଇପାରେ ଲ୍ୟାଣ୍ଡଫଲ

ପାଣିପାଗ ବିଭାଗ ମହାନିର୍ଦ୍ଦେଶକ କହିଲେ, ପାରାଦୀପରୁ - ସାଗରଦୀପ ମଧ୍ୟରେ କରିପାରେ ସ୍ଥଳଭାଗ ଅତିକ୍ରମ

708

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ, ସାମୁଦ୍ରିକ ଝଡ଼ର ରୂପ ନେଇ ଧୀରେ ଧୀରେ ଉପକୂଳ ଆଡକୁ ଆଗଉଛି । କ୍ରମଶଃ ଓଡ଼ିଶା ଉପକୂଳ, ବାତ୍ୟାର କେନ୍ଦ୍ରସ୍ଥଳ ମଧ୍ୟରେ ଥିବା ବ୍ୟବଧାନ କମିବାରେ ଲାଗିଛି । ତେବେ ବାତ୍ୟା ୟାସ କେଉଁଠି ମାଡ ହେବ, କେଉଁ ଆଡକୁ ଗତି କରିବ । ଏହାର ଗତିପଥ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଆଇଏମଡିର ଆକଳନ ଅନୁସାରେ ଏହି ବାତ୍ୟା ଓଡିଶାରେ ମାଡ ହୋଇପାରେ ।

ବାଲେଶ୍ୱର–ଭୋଗରାଇ ଅଂଚଳ ଦେଇ ବାତ୍ୟା ଗତି କରିପାରେ ବୋଲି ଅନୁମାନ କରାଯାଇଛି । ପାଣିପାଗ ବିଭାଗ ମହାନିର୍ଦ୍ଦେଶକଙ୍କ କହିବା ଅନୁସାରେ ପାରାଦୀପରୁ ବାଙ୍ଗଲାଦେଶର ସାଗରଦୀପ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିପାରେ । କିନ୍ତୁ ଆଇଏମଡି ପକ୍ଷରୁ ଯେଉଁ ଗତିପଥ ଆକଳନ କରାଯାଇଛି, ସେହି ଆକଳନ କହୁଛି ଏହା ବାଲେଶ୍ୱର ପାଖରେ ହିଁ ଲ୍ୟାଣ୍ଡଫଲ କରିବ । ଏବଂ ସ୍ଥଳଭାଗ ଅତିକ୍ରମ ସମୟରେ ପବନର ବେଗ ଘଂଟାକୁ ୧୬୫ କିଲୋମିଟର ହୋଇପାରେ । ବେଳେ ବେଳେ ପବନ ଝଟକା ଦେଇ ଘଂଟାକୁ ୧୮୫ କିଲୋମିଟର ପର୍ଯ୍ୟନ୍ତ ମଧ୍ୟ ଯାଇପାରେ ।

ପୂର୍ବରୁ ଏହା ବାଙ୍ଗଲାଦେଶ ଯାଇପାରେ ବୋଲି ଅନୁମାନ କରାଯାଉଥିଲେ ମଧ୍ୟ ଏବେ ଏହା ଓଡିଶା ଆଡକୁ ମୁହାଁଇବ ବୋଲି ଆକଳନ କରାଯାଉଛି । ପୂର୍ବ କେନ୍ଦ୍ରିୟ ବଙ୍ଗୋପସାଗରରେ ଭାରତର ପ୍ରାୟ ଅଧା ଆକାରର ସୃଷ୍ଟି ହୋଇଥିବା ଏହି ବାତ୍ୟା ‘ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ’ ଆକାରକୁ ଯିବ ବୋଲି ପୂର୍ବାନୁମାନ କରାଯାଇଛି । ଯଦି ବାତ୍ୟାର ଗତିପଥକୁ ଆକଳନ କରାଯିବ, ତେବେ ଏହା ବାଲେଶ୍ୱରରେ ମାଡ ହୋଇ ବାରିପଦା, ଜାମଶୋଳା, ତାପରେ ବାହାରାଗୋଡା ଓ ଘାଟଶିଳା ଦେଇ ଜାମସେଦପୁର ଆଡକୁ ଗତି କରିବ ।

Comments are closed.