୨୦୨୪ ପାଇଁ ବଳ କଷୁଛି କଂଗ୍ରେସ । ହେଲେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ସାମିଲ ନେଇ ଏଯାଏଁ ହୋଇପାରୁନି ନିଷ୍ପତ୍ତି

117

କନକ ବ୍ୟୁରୋ:  ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେବେ କି ନାହିଁ ବଢିଲା ସସପେନ୍ସ । ଆଜି ଏହି ପ୍ରସଙ୍ଗରେ କଂଗ୍ରେସରେ ଏକ ବୈଠକ ହୋଇଥିଲା କିନ୍ତୁ ବୈଠକରେ କୌଣସି ନିର୍ଯାସ ବାହାରିପାରିନି । ସେହିପରି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦଳକୁ ସଶକ୍ତ କରିବାକୁ ଏକ କମିଟି ଗଠନ କରିବ କଂଗ୍ରେସ । ହାଇକମାଣ୍ଡ ସୋନିଆ ଗାନ୍ଧୀ କ୍ଷମତାସମ୍ପନ୍ନ କ୍ରିୟାନୁଷ୍ଠାନ କମିଟ ଗଠନ କରିବେ ବୋଲି ଜଣାପଡିଛି । ଏହି ଟିମ୍ ଦଳକୁ ଆଗକୁ ନେବା ପାଇଁ ରଣନୀତି ତିଆରି କରିବ । ଏଥିପାଇଁ ଆସନ୍ତା ମେ ମାସରେ କଂଗ୍ରେସ ଏକ ଚିନ୍ତନ ଶିବିର ଆୟୋଜନ କରିବ । ରାଜସ୍ଥାନର ଉଦୟପୁରରେ ଏହି ବୈଠକ ବସିବ । ଏହି ସମୟରେ ଦଳର ବିଭିନ୍ନ ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଆଲୋଚନା ହେବ ।

ଗତକାଲି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ସଂସ୍ଥା ଆଇ-ପିଏସି ତେଲେଙ୍ଗାନାର ଶାସକ ଦଳ ଟିଆରଏସ ସହ ବିଧାନସଭା ନିର୍ବାଚନ ପାଇଁ ଚୁକ୍ତି କରିଛି । ଏହି ଚୁକ୍ତି ଅନୁଯାୟୀ ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଆଇ-ପିଏସି ଟିଆରଏସ ପାଇଁ ନିର୍ବାଚନ ରଣନୀତି ତିଆରି କରିବ । ହେଲେ ତେଲେଙ୍ଗାନାରେ ପ୍ରମୁଖ ବିରୋଧ ରହିଛି କଂଗ୍ରେସ । ସେହିପରି ବିଭିନ୍ନ ରାଜ୍ୟରେ ଅନ୍ୟାନ୍ୟ ଦଳ ସହ ଆଇ-ପିଏସି ଚୁକ୍ତି କରିଛି । ଯେଉଁଥିପାଇଁ କଂଗ୍ରେସ ମଧ୍ୟ କ୍ଷମତାରୁ ଦୂରରେ ରହିଛି । ଏପରି ସ୍ଥିତିରେ ପ୍ରଶାନ୍ତ କଂଗ୍ରେସ ପାଇଁ କାମ କରିବେ ଏବଂ ତାଙ୍କ ସଂସ୍ଥା ଅନ୍ୟ ରାଜନୈତିକ ଦଳ ପାଇଁ କାମ କରିବାକୁ କଂଗ୍ରେସ ଗ୍ରହଣ କରିପାରୁନଥିବା ସୂଚନା ରହିଛି । ତେଣୁ ଆଜି ବସିଥିବା ବୈଠକରେ କୌଣସି ନିଷ୍କର୍ସ ବାହାରିପାରିଲାନି । ଅନ୍ୟପଟେ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ସୋନିଆ ଗାନ୍ଧା ଚାହୁଁଛନ୍ତି ପିକେ ଏବଂ ତାଙ୍କ ସଂସ୍ଥା କଂଗ୍ରେସ ପାଇଁ କେବଳ କାମ କରିବା ଦରକାର । ଅନ୍ୟ କୌଣସି ରାଜନୈତିକ ଦଳ ପାଇଁ ଯଦି କାମ ନକରିବେ ତାହେଲେ ସୋନିଆ ଦଳରେ ତାଙ୍କୁ ବଡ ପଦ ଦେବାକୁ ରାଜି ଅଛନ୍ତି ।