କନକ ବ୍ୟୁରୋ: ବାହା ହେଲା ଝିଅ, ଶୁଦ୍ଧି ହେଲେ ପରିବାର । ଝିଅ ପ୍ରେମ ବିବାହ କରିଥିବାରୁ ଆତ୍ମାର ସଦଗତି କାମନା କରି ଶୁଦ୍ଧି କରିଦେଲେ ପରିବାର ଲୋକ । ଯେଉଁଠି ଝିଅର ବାହାଘର ହେଉଥିଲା, ତାର ଠିକ୍ ପାଖରେ ଶୁଦ୍ଧିକର୍ମ କରୁଥିଲେ ପରିବାର ଲୋକ । ଯୁଗ ବଦଳି ଥାଇପାରେ କିନ୍ତୁ କିଛି ଲୋକଙ୍କ ମାନସିକତା ଏବେ ବି ବଦଳିିନାହିଁ । ତାହା ହୋଇନଥିଲେ ବୋଧେ, ବଞ୍ଚିଥିବା ଝିଅକୁ ଶ୍ରାଦ୍ଧ ଦେଇନଥାନ୍ତେ ପରିବାର ଲୋକ ।

Advertisment

ଝିଅର ପ୍ରେମ, ବାପା-ମାଙ୍କ ମନରେ କେତେ ଘୃଣା ସୃଷ୍ଟି କରିପାରେ, ଏ ହେଉଛି ସେହିଭଳି ଏକ ଖବର । ଗୋଟିଏ ପଟେ ଝିଅଟିଏ ବାହାବେଦୀରେ ବସିଛି । ଆଉ ଗୋଟିଏ ପଟେ ସେହି ଝିଅର ଶୁଦ୍ଧିକ୍ରିୟା କରୁଛନ୍ତି ମାଆ-ବାପା । ବିବାହ ବେଦୀରୁ ଶୁଦ୍ଧିକ୍ରିୟା ହେଉଥିବା ସ୍ଥଳର ଦୂରତା ମାତ୍ର ଦୁଇ ଶହ ମିଟର । ଗୋଟିଏ ପଟେ ଶୁଭ ମନାସୀ ମନ୍ତ୍ରପାଠ କରାଯାଉଛି । ଆଉ ଗୋଟିଏ ପଟେ ଆତ୍ମାର ଶାନ୍ତି ପାଇଁ ପୂଜାପାଠ କରାଯାଇଛି । ତେବେ କାହିଁକି ଏମିତି କରୁଛନ୍ତି ଜନ୍ମ ଦେଇଥିବା ମା-ବାପା ଓ ପରିବାର ଲୋକ, ତାର କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଘର ଲୋକଙ୍କ ବାରଣସତ୍ୱେ ଝିଅ ପ୍ରେମ ବିବାହ କରିଛନ୍ତି ବୋଲି ପରିବାର ଲୋକ ଶୁଦ୍ଧି ହୋଇଛନ୍ତି । ଏଭଳି ଏକ ଘଟଣା ଘଟିଛି କେନ୍ଦ୍ରପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ।

ଆଳି ବ୍ଲକ ଦେମାଳ ଗାଁର ରାଜେନ୍ଦ୍ରଙ୍କୁ ଭଲ ପାଉଥିଲେ ସେହି ଗାଁର ଦୀପାଞ୍ଜଳୀ । ଉଭୟ ପରିବାର ଜାଣିଥିଲେ, ରାଜେନ୍ଦ୍ର-ଦୀପାଞ୍ଜଳିଙ୍କ ପ୍ରେମ ସଂପର୍କକୁ । ଦୁହେଁ ବିବାହ କରିବାକୁ ଚାହୁଁଥିଲେ । ହେଲେ ଏଥିରେ ଝିଅ ଘରର ସମ୍ପର୍କୀୟ ରାଜି ହୋଇନଥିଲେ । ପରିବାର ଲୋକଙ୍କ ବାରଣ ପରେ ରାଜେନ୍ଦ୍ରଙ୍କ ପାଖକୁ ଚାଲି ଯାଇଥିଲେ ଦୀପାଞ୍ଜଳି । ଯାହାକୁ ନେଇ ଉଭୟ ପରିବାର ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଆଉ ଏହି ବିବାଦ ଭିତରେ ପ୍ରେମୀ ଯୁଗଳଙ୍କ ବାହାଘର ହୋଇଛି । ବିବାହ ପରେ ଝିଅ ଘର ଲୋକ, ତାର ଶୁଦ୍ଧିକ୍ରିୟା କରିଦେଇଛନ୍ତି ।

ପରିବାର କଥାକୁ କାଟି ଝିଅ ପ୍ରେମ ବିବାହ କଲା ବୋଲି ସେ ବଞ୍ଚି ଥାଉଁ ଥାଉଁ ତାପାଇଁ ଶୁଦ୍ଧି ହୋଇଗଲେ ବାପା-ମାଆ । ଝିଅ ଚତୁର୍ଥୀ କର୍ମରେ ପିଣ୍ଡ ଦାନ କରିବା ଆଗରୁ ତା ଆତ୍ମାର ସଦଗତି କାମନା କରି ଶୁଦ୍ଧି କରି ତାକୁ ଜନ୍ମ ଦେଇଥିବା ବାପା-ମାଆ । ଯାହା କେନ୍ଦ୍ରାପଡ଼ା ଜିଲ୍ଲାରେ ଚର୍ଚ୍ଚା ସୃଷ୍ଟି କରିଛି ।