ଶାଶୂଘର ଘର ଛାଡି, ବାହାରେ ରହିବେ ବର୍ଷା ପ୍ରିୟଦର୍ଶିନୀ: ଅନୁଭବଙ୍କ ପୈତୃକ ଘର ଛାଡିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

286

କନକ ବ୍ୟୁରୋ: ଶାଶୁ ଘର ଛାଡିବା ପାଇଁ ପତ୍ନୀ ବର୍ଷା ପ୍ରିୟଦର୍ଶୀନୀଙ୍କୁ ଏସଡିଜେଏମ କୋର୍ଟ ନିର୍ଦ୍ଦେଶ ଦେବା ପରେ ଏମିତି କାନ୍ଦି ପକାଇଥିଲେ ସ୍ୱାମୀ ଅନୁଭବ ମହାନ୍ତି । ବାପା-ମା’ ପୁଣି ଥରେ ତାଙ୍କ ଘରକୁ ଫେରିବାକୁ ବାଟ ଫିଟିଥିବାରୁ, ଅନୁଭବ କାନ୍ଦି ପକାଇଥିବା କୁହାଯାଉଛି ।

ବର୍ଷା ଅନୁଭବଙ୍କ ପୈତୃକ ଘର ଛାଡୁ ନଥିବାରୁ ଅନୁଭବଙ୍କ ପରିବାରର ଅନ୍ୟ ସଦସ୍ୟମାନେ ସେହି ଘର ଛାଡିଥିଲେ । କିନ୍ତୁ ତାଙ୍କ ବାପା-ମା, ବଡବାପାଙ୍କ ଦେହ ଅସୁସ୍ଥ ଥିବାରୁ, ସେମାନଙ୍କୁ ଘରକୁ ଫେରାଇ ଆଣିବା ପାଇଁ, ବର୍ଷାଙ୍କୁ ଘର ଛାଡିବାକୁ ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅନୁଭବ ।

ଅନୁଭବ ମହାନ୍ତିଙ୍କ ପକ୍ଷରୁ କୋର୍ଟରେ କରାଯାଇଥିବା ଆବେଦନର ଶୁଣାଣି କରି, କଟକ ଏସଡିଜେଏମ କୋର୍ଟ କହିଛନ୍ତି..
– ବର୍ଷାଙ୍କ ରହଣି ପାଇଁ ମାସିକ ୩୦ ହଜାର ଟଙ୍କା ଦେବେ ଅନୁଭବ
– ପ୍ରତିମାସର ୧୦ ତାରିଖ ମଧ୍ୟରେ ୩୦ ହଜାର ଟଙ୍କା ଦେବାକୁ ପଡିବ
– ଟଙ୍କା ପାଇବାର ୨ ମାସ ଭିତରେ ଘର ଛାଡିବେ ବର୍ଷା
– ବର୍ଷା ନିଜ ସୁବିଧା ଅନୁସାରେ ଭଡାଘରେ ରହିବେ

ତେବେ କୋର୍ଟ କେଉଁ ଆଧାରରେ ବର୍ଷାଙ୍କୁ ତାଙ୍କ ଶାଶୁ ଘର ଛାଡିବାକୁ ନିର୍ଦ୍ଦେଶ ଦେଲେ ତା ଉପରେ ନଜର ପକାନ୍ତୁ । ବର୍ଷା ଯେଉଁ ଘରେ ରହୁଛନ୍ତି, ତାହା ଅନୁଭବଙ୍କ ପୈତୃକ ଘର । ତେଣୁ ସେହି ଘର ଉପରେ ଅନୁଭବଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନଙ୍କର ଅଧିକାର ରହିଛି । ସେମାନଙ୍କର ସେହି ଘରେ ରହିବାର ଅଧିକାର ଅଛି । ସ୍ୱାମୀ-ସ୍ତ୍ରୀ କଳି ଯୋଗୁଁ ପରିବାରର ଅନ୍ୟ ସମସ୍ତଙ୍କୁ ସେମାନଙ୍କ ଅଧିକାରରୁ ବଂଚିତ କରାଯାଇପାରିବ ନାହିଁ । ସେହି ଆଧାରରେ ଶାଶୁ ଘର ଉପରେ ବର୍ଷା ସମ୍ପୂର୍ଣ୍ଣ ଅଧିକାର ଜାହିର କରିପାରିବେ ନାହିଁ ।

କୋର୍ଟଙ୍କ ରାୟ କେବଳ ବର୍ଷା କି ଅନୁଭବଙ୍କ ପାଇଁ ନୁହେଁ ଏହିଭଳି ସ୍ୱାମୀ-ସ୍ତ୍ରୀ ବିବାଦ ଥିବା ପ୍ରାୟ ସମସ୍ତଙ୍କ ପାଇଁ ଏକ ବଡ ବାର୍ତା ଦେଉଛି । ଜଣେ ସ୍ୱାମୀ, ପତ୍ନୀଙ୍କ ଭରଣପୋଷଣ ସହ ରହିବାର ବ୍ୟବସ୍ଥା କରିବେ । ଦାୟିତ୍ୱ ନେବେ । କିନ୍ତୁ ସ୍ୱାମୀର ପୈତୃକ ସମ୍ପତି ଉପରେ ପତ୍ନୀ ସମ୍ପୂର୍ଣ୍ଣ ଅଧିକାର ଜାହିର କରିପାରିବେ ନାହିଁ ।