କନକ ବ୍ୟୁରୋ: ପାଣି ଉପରେ ଚାଲୁଛି ମେଟ୍ରୋ । କେରଳ କୋଚିରେ ଆରମ୍ଭ ହୋଇଛି ଭାରତର ପ୍ରଥମ ‘ୱାଟର ମେଟ୍ରୋ’ ପ୍ରୋଜେକ୍ଟ । ପାଣି ଉପରେ ମେଟ୍ରୋ କିପରି ଭାବେ ଚାଲୁଛି । କଣ ସବୁ ବିଶେଷତ୍ୱ ରହିଛି ଏହି ୱାଟର ମେଟ୍ରୋର ଆସନ୍ତୁ ଜାଣିବା ।

Advertisment

ଟ୍ରାକ୍ରେ ନୁହେଁ ପାଣିରେ ଦଉଡିଲା ମେଟ୍ରୋ । କେରଳ, କୋଚିରେ ଆରମ୍ଭ ହେଲା ଦେଶର ପ୍ରଥମ ୱାଟର ମେଟ୍ରୋ ପ୍ରୋଜେକ୍ଟ । ପାଣି ଉପରେ ମେଟ୍ରୋ ପରିଚାଳନାର କଳ୍ପନା କରିଥିଲେ କେନ୍ଦ୍ର ସରକାର । ଯାହା ଏବେ ସଫଳ ହୋଇଛି । କେରଳର ବାଣିଜ୍ୟିକ ରାଜଧାନୀ ଭାବେ ପରିଚିତ କୋଚିରେ ଆରମ୍ଭ ହୋଇଛି ଏହି ମେଟ୍ରୋ ଟ୍ରେନ୍ । ତେବେ କ’ଣ ଏହି ୱାଟର ମେଟ୍ରୋ?

ପାଣିରେ ଦୌଡ଼ିଲା ମେଟ୍ରୋ
- ପାଣି ଉପରେ ଚାଲିଲା ମେଟ୍ରୋ
- ବାଣିଜ୍ୟିକ ରାଜଧାନୀ କୋଚିରେ ଚାଲିଲା ‘ୱାଟର ମେଟ୍ରୋ’
- ‘ୱାଟର ମେଟ୍ରୋ’ ପ୍ରୋଜେକ୍ଟ ପାଇଁ ଖର୍ଚ୍ଚ ହୋଇଛି ୧୧୩୬ କୋଟି ୮୩ ଲକ୍ଷ ଟଙ୍କା
- ଏହି ପ୍ରୋଜେକ୍ଟ ପାଇଁ ୭୮ଟି ଇଲେକ୍ଟ୍ରିକ୍ ବୋଟ୍ ଏବଂ ୩୮ଟି ଟର୍ମିନାଲ ନିର୍ମାଣ ହୋଇଛି
- ୨୩ ଟି ଇଲେକ୍ଟ୍ରିକ୍ ବୋଟ୍ର କ୍ଷମତା ୧୦୦ ଜଣ
- ୫୫ଟି ଇଲେକ୍ଟ୍ରିକ୍ ବୋଟ୍ର କ୍ଷମତା ୫୦ ଜଣ
- ଗୋଟିଏ ଇଲେକ୍ଟ୍ରିକ୍ ବୋଟ୍ର ଦାମ୍ ୭ କୋଟି ଟଙ୍କା
- ଏହି ‘ୱାଟର ମେଟ୍ରୋ’ ୧୦ଟି ଦ୍ୱୀପକୁ ସଂଯୋଗ କରିବ
- ସକାଳ ୭ରୁ ରାତି ୮ଟା ପର୍ଯ୍ୟନ୍ତ ଚାଲିବ ‘ୱାଟର ମେଟ୍ରୋ’
- ‘ୱାଟର ମେଟ୍ରୋ’ର ସର୍ବନିମ୍ନ ଯାତ୍ରୀ ଭଡା ୨୦ ଟଙ୍କା

କେନ୍ଦ୍ର ସରକାର ‘ୱାଟର ମେଟ୍ରୋ’ ପ୍ରୋଜେକ୍ଟର ପରିକଳ୍ପନା ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି କରିଥିଲେ । ଯାହା ଏବେ ସଫଳ ହୋଇଛି । କେରଳ ବଢୁଥିବା ପ୍ରଦୂଷଣ ଏବଂ ଭିଡକୁ ଦୃଷ୍ଟିରେ ରଖି ‘ୱାଟର ମେଟ୍ରୋ’ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଚିନ୍ତା କରାଯାଇଥିଲା । କୁହାଯାଉଛି ଏହି ପ୍ରୋଜେକ୍ଟ ଦ୍ୱାରା କେବଳ ପ୍ରଦୂଷଣକୁ ନିୟନ୍ତ୍ରଣ କରାଯାଇ ପାରିବ ତାହା ନୁହେଁ ଟ୍ରାଫିକ୍ ସମସ୍ୟାକୁ ବି କମ୍ କରିବ । ‘ୱାଟର ମେଟ୍ରୋ’ ପ୍ରୋଜେକ୍ଟ ଦ୍ୱାରା ୧ ଲକ୍ଷରୁ ଅଧିକ ଲୋକ ଲାଭବାନ ହେବେ । ଏହି ପ୍ରୋଜେକ୍ଟ ଦ୍ୱାରା ୧୫ଟି ରୁଟ୍ରେ ଇଲେକ୍ଟ୍ରିକ୍ ବୋଟ୍ ଚଳାଚଳ ହେବ । ଏହା ୧୦ଟି ଆଇଲାଣ୍ଡକୁ ସଂଯୋଗ କରିବ । ୭୮ କିଲୋମିଟର ଲମ୍ବା ଏହି ପାଣି ରାସ୍ତାରେ ଚାଲିବ ଇଲେକ୍ଟ୍ରିକ୍ ବୋଟ୍ । ପ୍ରତ୍ୟେକଟି ବୋଟ୍ ଶୀତତାପ ନିୟନ୍ତ୍ରିତ ହୋଇଛି । ଯାତ୍ରୀ ବିନା ଟ୍ରାଫିକ୍ରେ ନିଜ ଗନ୍ତବ୍ୟରେ ପହଁଚି ପାରିବେ । ଶବ୍ଦ ପ୍ରଦୂଷଣକୁ ରୋକିବା ପାଇଁ ସ୍ୱତନ୍ତ୍ର ମେସିନ୍ ଲାଗିଛି ଏହି ମେଟ୍ରୋ ରେ । ଇଲେକ୍ଟ୍ରିକ୍ ବୋଟ୍ରେ ଲାଗିଛି ସ୍ୱତନ୍ତ୍ର ବ୍ୟାଟେରୀ । ଏହି ବ୍ୟାଟେରୀ ୧୫ ମିନିଟ୍ରୁ କମ୍ ସମୟରେ ଚାର୍ଜ ହୋଇ ପାରିବ । ଚାର୍ଜିଂ ପାଇଁ ସ୍ୱତନ୍ତ୍ର ଚାର୍ଜିଂ ସେଂଟର ପ୍ରସ୍ତୁତ ହୋଇଛି ।

୭୮ କିଲୋମିଟର ଲମ୍ବା ପାଣିର ରାସ୍ତାରେ ଚାଲିବ ୭୮ଟି ମେଟ୍ରୋ । ଆଉ ଏହି ମେଟ୍ରୋ ପାଇଁ ୩୮ଟି ଟର୍ମିନାଲ ବା ହାଇବ୍ରିଟ୍ ଘାଟ ପ୍ରସ୍ତୁତ ହୋଇଛି । ଲୋକଙ୍କୁ ଯେପରି ସମସ୍ୟା ନହୁଏ ସେହିପରି ସବୁ ସୁବିଧା ଏହି ଟର୍ମିନାଲରେ କରାଯାଇଛି । କୋଚି ୱାନ୍ କାର୍ଡରେ ଉଭୟ ‘ମେଟ୍ରୋ’ ଏବଂ ‘ୱାଟର ମେଟ୍ରୋ’ ଯାତ୍ରା କରିପାରିବେ ଯାତ୍ରୀ ।