କରୋନା ଭିତରେ ଆସୁଛି ଭଲ ଖବର । ଦେଶରେ ଖୋଲୁଛି ତାଲା । ମୁମ୍ବାଇରେ ଚାଲିଲା ଲୋକାଲ ଟ୍ରେନ୍, ଦିଲ୍ଲୀରେ ଗଡିଲା ମେଟ୍ରୋ

177

କନକ ବ୍ୟୁରୋ: ଦ୍ୱିତୀୟ ଲହର ସଂକ୍ରମଣ ପରେ ପୁଣି ସ୍ୱାଭାବିକ ଅବସ୍ଥାକୁ ଫେରୁଛି ଦେଶ । ରାଜଧାନୀ ଦିଲ୍ଲୀ ଓ ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ କୋହଳ ହୋଇଥି କଟକଣା ଅବଧି । ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଗଡିଛି ଦିଲ୍ଲୀ ମେଟ୍ରୋ । ମଲ, ମାର୍କେଟ କଂପ୍ଲେକ୍ସ ଓ ବଜାର ଅଡ-ଇଭନ ଫର୍ମୁଲାରେ ଦିନ ୧୦ଟାରୁ ରାତି ୮ଟା ଯାଏଁ ଖୋଲିଛି । ମହାରାଷ୍ଟ୍ରରେ ୫ଟି ପର୍ଯ୍ୟାୟରେ ଅନଲକ ଆରମ୍ଭ ହୋଇଯାଇଛି । ମୁମ୍ବାଇରେ ରେସ୍ତେରାଁ ଓ ଅନ୍ୟାନ୍ୟ ଦୋକାନ ଖୋଲିଛି । କିନ୍ତୁ ମଲ ଓ ଥିଏଟରକୁ ଖୋଲିବାକୁ ଅନୁମତି ମିଳିନାହିଁ ।

ଦୀର୍ଘ ଦୁଇ ମାସ ପରେ ଗଡ଼ିଲା ଦିଲ୍ଲୀ ମେଟ୍ରୋ। ୫୦ପ୍ରତିଶତ ଯାତ୍ରୀଙ୍କୁ ନେଇ ଗଡ଼ିଛି ମେଟ୍ରୋ। କରୋନା ମହାମାରୀର ଦ୍ଵିତୀୟ ଲହର ଯୋଗୁଁ ତାଲା ବନ୍ଦ ହୋଇଥିବା ବେଳେ ପୁଣି ଧୀରେ ଧୀରେ ସ୍ୱାଭାବିକ ହେବାକୁ ଲାଗିଛି ରାଜଧାନୀ ଦିଲ୍ଲୀ। ସଂକ୍ରମଣ କମିବା ପରେ ଜୁନ ୭ରୁ ପର୍ୟ୍ୟାୟ କ୍ରମେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି। ଦିଲ୍ଲୀରେ ଜୁନ ୧୪ପର୍ୟ୍ୟନ୍ତ ଲକଡାଉନ ଥିଲେ ସୁଦ୍ଧା ସୋମବାରଠାରୁ ନିୟମ କୋହଳ କରାଯାଇଛି। ତେବେ ମଲ, ମାର୍କେଟ କମପ୍ଲେକ୍ସ ଓ ବଜାର ଯୁଗ୍ମ ଅଯୁଗ୍ମ ନିୟମ ଆଧାରରେ ଦିନ ୧୦ରୁ ରାତି ୮ଟା ଯାଏଁ ଖୋଲା ରହିବ।

ସୋମବାରଠାରୁ ପର୍ୟ୍ୟାୟ କ୍ରମେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଜିମ, ସ୍ପା, ଵିୟୁଟି ପାର୍ଲର, ସେଲୁନ, ଏଣ୍ଟରଟେନମେଣ୍ଟ ପାର୍କ, ସିନେମା ହଲ, ୱାଟର ପାର୍କ ଓ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ମିଳିନାହିଁ। ଏହାସହ ବେସରକାରୀ କାର୍ୟ୍ୟାଳୟରେ ୫୦ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ କାର୍ୟ୍ୟ ସମ୍ପାଦନ କରିବାକୁ ନିର୍ଦେଶ ରହିଛି।

ସେପଟେ ମହରାଷ୍ଟ୍ରରେ ୫ଟି ପର୍ୟ୍ୟାୟରେ ହେବ ଅନଲକ। ଯେଉଁ ସହରରେ ପଜିଟିଭିଟି ହାର ୫ପ୍ରତିଶତରୁ କମ ଓ ଅକ୍ସିଜେନ ବେଡ଼ ୨୫ପ୍ରତିଶତରୁ କମ ଅଧିକୃତ ଅଛି ସେଠାରେ ସମ୍ପୂର୍ଣ୍ଣ ଭାବେ ଅନଲକ କରାଯିବ। ମୁମ୍ବାଇରେ ରେସ୍ତୁରା ଓ ଅନ୍ୟାନ୍ୟ ଦୋକାନ ଖୋଲିବାକୁ ଅନୁମତି ଥିବା ବେଳେ ମଲ ଓ ଥିଏଟର ଖୋଲିବାକୁ ଅନୁମତି ନାହିଁ। ତେବେ ଅତ୍ୟାବଶ୍ୟକ ଯୋଗାଉ ଥିବା କର୍ମଚାରୀଙ୍କୁ ନେଇ ଲୋକାଲ ଟ୍ରେନ ଚଳାଚଳ କରିବ। ଏହାସହ ମୁମ୍ବାଇରେ ଆଜିଠୁ ବସ ବି ଗଡ଼ିଛି।

ଦେଶରେ କରୋନା ମହାମାରୀର ଦ୍ଵିତୀୟ ଲହରର ଦ୍ରୁତ ସଂକ୍ରମଣ ଯୋଗୁଁ ଦୁଇ ମାସରୁ ଅଧିକ ସମୟ ଧରି ଅନେକ ରାଜ୍ୟରେ ତାଲାବନ୍ଦ ହୋଇଥିଲା । ଏବେ ସଂକ୍ରମଣ କମିବା ଯୋଗୁଁ ପର୍ୟ୍ୟାୟ କ୍ରମେ ତାଲାବନ୍ଦ କୋହଳ କରାଯାଉ ଥିବା ବେଳେ କୋଭିଡ଼ ନିୟମକୁ କଡାକଡ଼ି ଭାବେ ପାଳନ କରିବା ଉପରେ ଗୁରୁତ୍ୱ ଦିଆଯାଉଛି ।