କାଲି ଓଡିଶା ଫେରିବେ ମୁଖ୍ୟମନ୍ତ୍ରୀ । ସ୍ୱାଗତ ପାଇଁ ବିଜେଡିର ବଡ଼ ପ୍ରସ୍ତୁତି । ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥା ପାଇଁ ବ୍ୟାପକ ଆୟୋଜନ ।

112

କନକ ବ୍ୟୁରୋ: ଆସନ୍ତାକାଲି ଭୁବନେଶ୍ୱର ଫେରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀରେ ଜୀବନବ୍ୟାପି ସାଧନା ସମ୍ମାନ ପାଇବା ପରେ ଓଡିଶା ଫେରୁଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ତାଙ୍କ ଭବ୍ୟ ସ୍ୱାଗତ, ସମ୍ବର୍ଦ୍ଧନା ପାଇଁ ଜୋରଦାର ପ୍ରସ୍ତୁତି କରୁଛି ବିଜେଡି । ଏଥିପାଇଁ ସାରା ରାଜ୍ୟରୁ ୫୦ ହଜାର ଲୋକ ରାଜଧାନୀରେ ଏକଜୁଟ ହେବାର ଅଛି । ଯାହାକୁ ନେଇ କମିଶନରେଟ୍ ପୋଲିସ ବି ପ୍ରସ୍ତୁତ ଅଛି । ସେପଟେ ମୁଖ୍ୟମନ୍ତ୍ରୀ ପୁରସ୍କୃତ ହେବା ଏବଂ ତାଙ୍କ ପାଇଁ ଏତେ ବଡ କାର୍ଯ୍ୟକ୍ରମର ଆୟୋଜନ କରିବା ଆସନ୍ତା ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ବୋଲି ବିରୋଧୀ ଦଳ କଟାକ୍ଷ କରିଛନ୍ତି ।

  • କାଲି ଫେରିବେ ମୁଖ୍ୟମନ୍ତ୍ରୀ
  • ସ୍ୱାଗତ ପାଇଁ ବଡ଼ ପ୍ରସ୍ତୁତି

ଦିଲ୍ଲୀରେ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହେବା ପରେ ଆସନ୍ତାକାଲି ଓଡ଼ିଶା ଫେରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ ଜୋରଦାର ପ୍ରସ୍ତୁତି କରୁଛି ବିଜେଡି । ଭୁବନେଶ୍ୱର ବିମାନବନ୍ଦରରେ ନବୀନଙ୍କ ବିରାଟ କଟ୍-ଆଉଟ୍ ସହ ମଞ୍ଚର ବ୍ୟବସ୍ଥା କରାଯାଇଛି । ରାଜ୍ୟର କୋଣ ଅନୁକୋଣରୁ ଦଳୀୟ କର୍ମୀ ଏଥିରେ ସାମିଲ ହେବାର କାର୍ଯ୍ୟକ୍ରମ କରିଛି । ପ୍ରାୟ ୧ ଲକ୍ଷ ଲୋକ ଏଥିରେ ଯୋଗ ଦେବେ ବୋଲି ଦଳ ପକ୍ଷରୁ ଆକଳନ କରାଯାଇଛି । ଏହି ସମାରୋହକୁ ସଫଳ କରିବାକୁ ପୂରା ଦମ ଲଗାଇ ଦେଇଛନ୍ତି ଦଳର ବରିଷ୍ଠ ନେତା । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସବୁ ବ୍ୟବସ୍ଥାର ତଦାରଖ କରୁଛନ୍ତି ।

ଗୋଟିଏ ପଟେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ବିଜେଡି ଜୋରଦାର ପ୍ରସ୍ତୁତି ଚଳାଇଥିବା ବେଳେ ଏହାକୁ ବିରୋଧୀ କଡ଼ା ସମାଲୋଚନା କରିଛନ୍ତି । କଂଗ୍ରେସ ବିଧାୟକ ଦଳର ନେତା ନିରସିଂହ ମିଶ୍ର କହିଛନ୍ତି, ଦିଲ୍ଲୀରେ ଏଭଳି ଅନେକ ସଂସ୍ଥା ପୁରସ୍କାର ଦେଉଛନ୍ତି । ପୂର୍ବତନ ସିଜେଆଇ ଏନ.ଭି. ରମନ୍ନା ପୁରସ୍କାର ଦେଇଥିବାରୁ ଏହାର ମହତ୍ତ୍ୱ ଅଛି । ଶାସକ ଦଳ ଏହାକୁ ବାଜା ବଜାଇଲା ଭଳି କରୁଛନ୍ତି ।

ସେହିପରି ବିଜେପି ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ୨୦୨୪ ନିର୍ବାଚନ ପାଇଁ ବିଜେଡି ଏଭଳି ଆୟୋଜନ କରୁଛି । କିନ୍ତୁ ଓଡ଼ିଶାର ବିକାଶ ଯେଉଁଭଳି ହେବା କଥା ସେପରି ହୋଇନାହିଁ । ତେବେ ବିରୋଧୀଙ୍କ ସମାଲୋଚନାର କଡ଼ା ଜବାବ ଦେଇଛନ୍ତି ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର ।

  • ମଙ୍ଗଳବାର ଦିନ ୧୧ଟାରେ ଭୁବନେଶ୍ୱର ଫେରିବେ ନବୀନ
  • ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥା ପାଇଁ ବ୍ୟାପକ ଆୟୋଜନ

ସ୍ୱାଗତ ସମାରୋହ କାର୍ଯ୍ୟକ୍ରମ ୧ ଘଣ୍ଟା ଧରି ହେବାକୁ ଥିବା ବେଳେ ଲୋକ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରିଛି କମିସନରେଟ୍ ପୁଲିସ । ସବୁ ଛକରେ ପୁଲିସ ଫୋର୍ସ ମୂତୟନ ରହିବେ । ୧୦୦ରୁ ଅଧିକ ବରିଷ୍ଠ ପୁଲିସ ଅଧିକାରୀ ଏବଂ ୩୦ ପ୍ଲାଟୁନ୍ ଫୋର୍ସ ନିଯୋଜିତ ରହିବେ । ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ବିମାନବନ୍ଦରକୁ ଯାଉଥିବା ବ୍ୟକ୍ତିଙ୍କୁ ୩ ଘଣ୍ଟା ପୂର୍ବରୁ ପହଞ୍ଚିବାକୁ କୁହାଯାଇଛି ।