କନକ ବ୍ୟୁରୋ : ଲଘୁଚାପ ଜନିତ ବର୍ଷା କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଦେଇଛି ବନ୍ୟା ପରିସ୍ଥିତି । କେଉଁଠି ଘାଇ ଭାଙ୍ଗିଛି ତ କେଉଁଠି ନଦୀ ଜଳ ପଶି ଗାଁ ଗଣ୍ଡା ଜଳମଗ୍ନ ହୋଇଛି । ହଜାର ହଜାର ଲୋକ ପାଣିଘେରରେ କାଳ କାଟୁଛନ୍ତି । ବନ୍ୟା ଜଳରେ ଲୋକଙ୍କର ଘର ଦ୍ୱାରା ଭାଙ୍ଗିଯବା ସହ ଗୃହପାଳିତ ପଶୁ ମଧ୍ୟ ଭାସି ଯାଇଛନ୍ତି । ଏସବୁ ଭିତରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ଏଭଳି ଅଚାନକ ବନ୍ୟା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି ।

Advertisment

ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବା ପରେ ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ସମ୍ବଲପୁର, ବରଗଡ ସୋନପୁର, ବୌଦ୍ଧ ଓ ଅନୁଗୁଳ ଜିଲ୍ଲାରେ ପାଣି ପଶିଥିବା ଗାଁର ଲୋକମାନଙ୍କୁ ୭ ଦିନ ପାଇଁ ରିଲିଫ୍ ଦିଆଯିବ । ଏହାସହ ପାଣି ଛାଡିବାର ୭ ଦିନ ମଧ୍ୟରେ ବନ୍ୟାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯିବ । କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀ କହିଛନ୍ତି କି ଏହିସବୁ ଜିଲ୍ଲାରେ ବନ୍ୟାରେ ଯେଉଁ ମାନଙ୍କର ଘର ଭାଙ୍ଗିଛି ଓ ଯେଉଁମାନଙ୍କର ଫସଲ ନଷ୍ଟ ହୋଇଛି ସେମାନଙ୍କୁ କ୍ଷୟକ୍ଷତି ଆକଳନ କରାଯିବାର ୧୫ ଦିନ ମଧ୍ୟରେ ସହାୟତା ଯୋଗାଇ ଦିଆଯିବ ।