ବାତ୍ୟାଋତୁ ଚାଲିଥିବାରୁ ସଜାଗ ରହିବାରୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ: ପ୍ରସ୍ତୁତ ରହିବାକୁ ବିଭାଗଗୁଡିକୁ ପରାମର୍ଶ

95

କନକ ବ୍ୟୁରୋ: ବାତ୍ୟା ଋତୁ ପାଇଁ ପ୍ରସ୍ତୁତ ରହିବାକୁ ବିଭାଗଗୁଡିକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଓଡ଼ିଶାର ଭୌଗଳିକ ସ୍ଥିତି ଓ ଜଳବାୟୁ ସବୁବେଳେ ବନ୍ୟା, ବାତ୍ୟା ପ୍ରବଣ ହୋଇ ରହିଥିବା ବେଳେ ଅକ୍ଟୋବରରୁ ନଭେମ୍ବର ମାସରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟ୍ରୁ ପ୍ରତ୍ୟାବର୍ତନ କରିବ । ଏହି ସମୟରେ ଓଡ଼ିଶାରେ ବାତ୍ୟା ହୋଇଥାଏ । ଏହି ଅବଧି ବେଳେବେଳେ ଡିସେମ୍ବର ୧୫ ପର୍ଯ୍ୟନ୍ତ ମଧ୍ୟ ରହିଥାଏ । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ବିଭାଗଗୁଡିକୁ ବାତ୍ୟା ଋତୁ ପାଇଁ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକ ପଦାର୍ଥ, ଯନ୍ତ୍ରପାତି, ଉପକରଣ ଓ ମାନବ ସମ୍ବଳ ଆଦି ପ୍ରସ୍ତୁତ ରଖିବା ସହ ସେସବୁକୁ ପୂର୍ଣ୍ଣ କର୍ମକ୍ଷମ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ଲୋକସେବା ଭବନରେ ରାଜ୍ୟସ୍ତରୀୟ ବାତ୍ୟା ପ୍ରସ୍ତୁତି ବୈଠକ ହୋଇଥିଲା । ଆସନ୍ତା ୧୫ ଦିନ ଭିତରେ ବାତ୍ୟା ନେଇ ସୂଚନା ନାହିଁ ବୋଲି ଜଣାଇଥିଲେ ଆଂଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚଆର ବିଶ୍ୱାସ । ତେବେ ସେ କହିଛନ୍ତି, ବାତ୍ୟା ପାଇଁ ଓଡ଼ିଶାରେ ଜଳବାୟୁ ଅନୁକୁଳ ରହିଛି ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ କହିଥିଲେ । ବାତ୍ୟାରେ ଟେଲିଫୋନ ଓ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଅଧିକ କ୍ଷତିଗ୍ରସ୍ତ ହେଉଥିବାରୁ ମୋବାଇଲ୍ ଟେଲିକମ୍ ଟାୱାର, ସାଟେଲାଇଟ୍ ଫୋନ ଜେନେରେଟର, ବିଦ୍ୟୁତ ଖୁଂଟ, ସବ୍ଷ୍ଟେସନ୍ ଓ ମାନବ ସମ୍ବଳର ଆକଳନ କରିବା ସହ ଆବଶ୍ୟକ ବେଳେ ତୁରନ୍ତ ନିୟୋଜନ କରିବା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁରେଶ ମହାପାତ୍ର । ଏହଛଡ଼ା ପାନୀୟ ଜଳ ପାଇଁ ଗାଁ ଓ ସହରାଂଚଳରେ ଥିବା ହ୍ୟାଣ୍ଡପମ୍ପଗୁଡିକୁ କାର୍ଯ୍ୟକ୍ଷମ ରଖିବା ସହ ବାତ୍ୟା ହେବା ପରେ ଯେପରି ସାଙ୍ଗେ ସାଙ୍ଗେ ଜଳଯୋଗାଣ ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇପାରିବ, ଏଥିପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କ୍ଷଥେଷ୍ଟ ପରିମାଣର ବ୍ଲିଚିଂ ପାଉଡର, ହାଲୋଜେନ ବଟିକା, ଔଷଧ, ଆମ୍ବୁଲାନ୍ସ ଓ ଡାକ୍ତରୀ ଟିମ୍ ପୂର୍ବରୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ସେହିପରି ତୁରନ୍ତ ଗମନା ଗମନ ସୁବିଧାର ପୁନଃ ସ୍ଥାପନ, ରାସ୍ତା ଓ ନଦୀବନ୍ଧ ମରାମତି, ବାତ୍ୟା ସମୟରେ ଲୁଣାଘେରି ବନ୍ଧର ସୁରକ୍ଷା, ପାନୀୟ ଜଳ ସହରାଂଚଳରେ ଜଳ ନିଷ୍କାସନ, ଗୋଖାଦ୍ୟ ଯୋଗାଣ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଏହି ବୈଠକରେ ସଂପୃକ୍ତ ବିଭାଗଗୁଡିକର ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।