୫ରାଜ୍ୟକୁ ସତର୍କ କଲେ କେନ୍ଦ୍ର ସରକାର: ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ନେଇ ଚିନ୍ତା ପ୍ରକଟ

864

କନକ ବ୍ୟୁରୋ: ଗୁଜରାଟରେ ଓମିକ୍ରନର ଉପପ୍ରଜାତି ଏକ୍ସଇ କରୋନା ଭୂତାଣୁର ପ୍ରଥମ ମାମଲା ଚିହ୍ନଟ ହୋଇଥିବା ସୂଚନା ମିଳିଛି । କିଛି ଦିନ ପୂର୍ବରୁ ମୁମ୍ବାଇରୁ ଗୁଜରାଟ ଯାଇଥିବା ଜଣେ ବ୍ୟକ୍ତି ପ୍ରଥମେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ପରେ ଜିନୋମ ସିକ୍ୱେନ୍ସିଂରୁ ସେ ଏକ୍ସଇ ଭ୍ୟାରିଆଂଟ ସଂକ୍ରମିତ ଥିବା ସ୍ପଷ୍ଟ ହୋଇଥିଲା । ତେବେ ତାଙ୍କ ନିକଟରେ କୌଣସି ଗୁରୁତର ଲକ୍ଷଣ ଦେଖାଯାଇନଥିଲା ଏବଂ ସେ ସପ୍ତାହକ ମଧ୍ୟରେ ସୁସ୍ଥ ହୋଇଯାଇଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଦେଶରେ ପାଂଚ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ନେଇ କେନ୍ଦ୍ର ସରକାର ଚିନ୍ତା ପ୍ରକଟ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏ ନେଇ ରାଜ୍ୟ ଗୁଡିକୁ ଚିଠି ଲେଖି ସତର୍କ ରହିବା ସହ କଡ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସତର୍କ ରହିବାକୁ ପରାମର୍ଶ
– ଦିଲ୍ଲୀ, ହରିୟାଣା, କେରଳ, ମହାରାଷ୍ଟ୍ର ଓ ମିଜୋରାମକୁ କେନ୍ଦ୍ରର ଚିଠି
– କରୋନା ସଂକ୍ରମିତଙ୍କ ଉପରେ ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ
– ଗୁଜରାଟରେ କରୋନାର ନୂଆ ଭ୍ୟାରିଆଂଟ ଏକ୍ସଆଇ ଚିହ୍ନଟ
– ଏକ୍ସଆଇ ଭ୍ୟାରିଆଂଟ ଓମିକ୍ରନ ତୁଳନାରେ ୧୦ ଗୁଣା ଅଧିକ ସଂକ୍ରାମକ
– ଚୀନ, ୟୁରୋପ ଆଦି ଦେଶରେ ଏବେ କରୋନା ସଂକ୍ରମଣ ବଢୁଛି
– ଚୀନର ଆର୍ଥିକ ରାଜଧାନୀ ସାଙ୍ଘାଇରେ ଦ୍ରୁତ ଗତିରେ ବ୍ୟାପୁଛି କରୋନା

ଜାତିସଂଘର ମହାସଚିବ ଆଂଟୋନିଓ ଗୁଟେରସ କହିଛନ୍ତି ଏସିଆ ଏବଂ ୟୁରୋପରେ ସଂକ୍ରମଣ ବ୍ୟାପୁଛି । ପ୍ରତିଦିନ ୧୦ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ୟୁରୋପରେ କରୋନାର ନୂଆ ଲହର ଆସିବ ବୋଲି ଜାତିସଂଘ ଆକଳନ କରିଛି । ତେଣୁ ସମସ୍ତେ କିଭଳି କରୋନା ଟିକା ନେବେ ତାଉପରେ ଗୁରୁତ୍ୱ ଦିଆଯିବା ଦରକାର ବୋଲି ଗୁଟେରସ୍ କହିଛନ୍ତି ।