ସଂକ୍ରମଣ ବଢୁଛି, ଟେଷ୍ଟିଂ ବଢାଅ: ଓଡିଶା ସମେତ ୯ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

136

କନକ ବ୍ୟୁରୋ: କରୋନା ସଂକ୍ରମଣ ବଢୁଛି, ଟେଷ୍ଟିଂ ବଢାଅ । କେନ୍ଦ୍ର ସରକାର ଏଥିପାଇଁ ଓଡିଶା ସମେତ ୯ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳକୁ ଏପରି ନିର୍ଦ୍ଦେଶ ଦେଇଛନ୍ତି । ଏହି ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳରେ ସଂକ୍ରମିତଙ୍କ ସଂଖ୍ୟା ବଢିବା ସହିତ ପିଜିଟିଭିଟି ରେଟ୍ ଅଧିକ ରହିଛି । ହେଲେ ପୂର୍ବ ତୁଳନାରେ ଟେଷ୍ଟିଂ ସଂଖ୍ୟା କମ୍ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅତିରିକ୍ତ ସଚିବ ଆରତି ଅହୁଜା କହିଛନ୍ତି । ସଂକ୍ରମଣକୁ ରୋକିବାକୁ ହେଲେ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯିବା ଦରକାର ।

ଯଦି ଟେଷ୍ଟିଂ ନବଢିବ ତାହେଲେ ସଂକ୍ରମଣ କେଉଁ ସ୍ଥିତିରେ ଅଛି ଜଣାପଡିବନି । ଦେଶରେ ଅଧିକାଂଶ ଲୋକ ଟିକା ନେଇ ସାରିଛନ୍ତି । ଏହାପରେ ବି କରୋନା ସଂକ୍ରମଣ ବଢୁଥିବାରୁ ଏହାକୁ ଚିନ୍ତାଜନକ ବୋଲି କହିଛନ୍ତି ଆରତି ଅହୁଜା । ଗୁରୁବାର ଗୋଟିଏ ଦିନରେ ୪୯୫ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଯାବତ ଦେଶରେ ୨ ହଜାର ୬୩୦ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।