ଜମ୍ମୁକାଶ୍ମୀରରେ ସ୍ଥିତିରେ ସୁଧାର ପାଇଁ କେନ୍ଦ୍ରର ପ୍ରୟାସ । ଆସନ୍ତା ସପ୍ତାହରେ ସର୍ବଦଳୀୟ ବୈଠକ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦିଲ୍ଲୀରେ ବୈଠକ ବସିବା ସମ୍ଭାବନା

153

କନକ ବ୍ୟୁରୋ: ଜମ୍ମୁକାଶ୍ମୀର ସ୍ଥିତିରେ ସୁଧାର ଆଣିବାକୁ କେନ୍ଦ୍ର ସରକାର ଆଉ ଏକ ପ୍ରୟାସ କରିବାକୁ ଯାଉଛନ୍ତି । ସେଠାକାର ସବୁ ଦଳର ନେତାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ସର୍ବଦଳୀୟ ବୈଠକ କରିପାରନ୍ତି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଜମ୍ମୁକାଶ୍ମୀରର ଅଧିକାଂଶ ଦଳର ମୁଖ୍ୟମାନଙ୍କୁ ଏନେଇ କେନ୍ଦ୍ର ପକ୍ଷରୁ ଆମନ୍ତ୍ରଣ କରାଯାଇଛି, ଅନେକ ଦଳ ଆଲୋଚନାରେ ସାମିଲ ହେବାକୁ ମଧ୍ୟ ସହମତି ଦେଇଥିବାର ସୂଚନା ମିଳିଛି । ଜମ୍ମୁକାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଶୁକ୍ରବାର ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ । ଆଉ ଏହି ସାକ୍ଷାତ ପରେ ଏହି ସର୍ବଦଳୀୟ ବୈଠକ ପ୍ରସଙ୍ଗରେ ଖବର ସାମ୍ନାକୁ ଆସିଛି । ଜୁନ୍ ୨୪ରେ ନୂଆଦିଲ୍ଲୀରେ ଏହି ସର୍ବଦଳୀୟ ବୈଠକ ବସିବାର ସମ୍ଭାବନା ରହିଛି ।

ଜମ୍ମୁକାଶ୍ମୀରରେ ବିଧାନସଭା ନିର୍ବାଚନ କରାଇବାକୁ ସ୍ଥାନୀୟ ନେତାମାନେ ଦାବି କରି ଆସୁଛନ୍ତି । ହେଲେ ସ୍ଥିତି ଅନୁକୂଳ ନଥିବା ଦର୍ଶାଇ ଆସୁଛନ୍ତି କେନ୍ଦ୍ର ସରକାର । ଜମ୍ମୁକାଶ୍ମୀର ବିଧାନସଭା ଆସନ ସଂଖ୍ୟା ୧୦୭ରୁ ୧୧୪କୁ ବଢ଼ାଯିବାର ଅଛି । ତେବେ ଏହା ପୂର୍ବରୁ ନିର୍ବାଚନ ମଣ୍ଡଳୀ ଗୁଡ଼ିକାର ସୀମା ପୁନଃ ନିର୍ଦ୍ଧାରଣ କରିବାକୁ ଏକ କମିଶନ ମଧ୍ୟ ଗଠିତ ହୋଇସାରିଛି । ତେବେ ସ୍ଥାନୀୟ ରାଜନୈତିକ ଦଳମାନେ ନିର୍ବାଚନ ପକ୍ରିୟାରେ ଭାଗ ନେବେ କି ନାହିଁ ଏକ ପ୍ରଶ୍ନ ରହିଆସୁଥିଲା । ଏପରି ନ୍ୟାସନାଲ କନଫେରେନ୍ସ, ପିଡିପି ପରି ଦଳ କେନ୍ଦ୍ର ସରକାରଙ୍କ ଆଭିମୁଖ୍ରକୁ କଡ଼ା ସମାଲୋଚନା କରିଆସୁଛନ୍ତି ।

୨୦୧୯ ଅଗଷ୍ଟରେ କେନ୍ଦ୍ର ସରକାର ଜମ୍ୁ ଓ କାଶ୍ମୀରରୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଉଥିବା ୩୭୦ ଧାରା ହଟାଇ ଦେଇଥିଲେ । ଏହାସହ ଜମ୍ମୁ ଓ କାଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ ଭାଗ କରାଯାଇଥିଲା । ଲଦାଖ ଅଲଗା ହୋଇ କେନ୍ଦ୍ର ଶାସିତ ଅଂଚଳ ପାଲଟିଥିବା ବେଳେ ଜମ୍ମୁକାଶ୍ମୀର ରାଜ୍ୟ ବଦଳରେ କେନ୍ଦ୍ର ଶାସିତ ଅଂଚଳ ପାଲଟିଥିଲା ।