ଅସୁସ୍ଥ ମହିଳାଙ୍କୁ ରାସ୍ତାରେ ଓହ୍ଲାଇଦେଲା ବସ୍: ଅଧା ରହିଗଲା ଚିକିତ୍ସା, ଆଖିବୁଜି ଦେଲେ ବୃଦ୍ଧା ମା’

486

କନକ ବ୍ୟୁରୋ: ଯେତେବେଳେ ମାନିକତା ମରିଯାଏ, ହୁଏତ ସେତେବେଳେ ଏଭଳି ଦୃଶ୍ୟ ସାମ୍ନାକୁ ଆସେ । ରାସ୍ତା ଉପରେ ଝଟପଟ ହେଉଥିଲେ ମା’ । ମା’ଙ୍କୁ ବଂଚାଇବା ପାଇଁ ବିକଳ ହେଉଥିଲେ ଅସହାୟ ପୁଅ । ହେଲେ ବେଦରଦୀ ମଣିଷମାନେ, ବୁଢ଼ି ମା’କୁ ବଂଚାଇବା ପାଇଁ କେହି ବି ସହଯୋଗ କଲେ ନାହିଁ । ଶେଷରେ ରାସ୍ତା ଉପରେ ଛଟପଟ ହୋଇମରିଗଲେ ମା’ ।

ଗଞ୍ଜାମର ଏନଏଚ୍ ୧୬ରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ଗଂଜାମ ଜିଲ୍ଲା ପଦ୍ମତୋଳା ଗାଁର ରୁନୁ ସ୍ୱାଇଁଙ୍କ ଚିକିତ୍ସା ପାଇଁ, ପୁଅ ସୁଜିତ ସ୍ୱାଇଁ ଭୁବନେଶ୍ୱର ଏମ୍ସ ଆସୁଥିଲେ । ଏକ ଘରୋଇ ବସରେ ଭୁବନେଶ୍ୱର ଆସୁଥିବା ସମୟରେ ଗଂଜାମ-ହୁମ୍ମା ରାସ୍ତାରେ ହଠାତ ରୁନୁଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ବୃଦ୍ଧା ମହିଳାଙ୍କ ଏଭଳି ଅବସ୍ଥା ଦେଖି, ବସ ଚାଳକ ଓ କର୍ମଚାରୀ ତାଙ୍କୁ ଓ ତାଙ୍କ ପୁଅଙ୍କୁ ରାସ୍ତାରେ ଓହ୍ଲାଇ ଦେଇଥିଲେ । ଏପରିକି ଅନ୍ୟ ଯାତ୍ରୀମାନେ ମଧ୍ୟ ସହଯୋଗ କରିନଥିଲେ । ସୁଜିତ ତାଙ୍କ ମାଙ୍କୁ ହସ୍ପିଟାଲ ନେବାକୁ ଅନେକ ଲୋକଙ୍କୁ ନେହୁରା ହୋଇଥିଲେ । ହେଲେ କେହି ଶୁଣିନଥଲେ । ଶେଷରେ ବୁଢି ମା’ ଜଣକ ଆଖି ବୁଜି ଦେଇଥିଲେ ।