ସିକନ୍ଦରାବାଦରୁ ଫେରିଲା ହୋଟେଲ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଦମ୍ପତିଙ୍କ ମୃତଦେହ। କଟକ ମହାନ୍ତିପଡ଼ାରେ ଶୋକାକୁଳ ପରିବେଶ।

244

କନକ ବ୍ୟୁରୋ: କାନ୍ଦବୋବାଳିରେ ଫାଟି ପଡୁଛି କଟକର ମହାନ୍ତିପଡା । ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି । ସାହି ପଡିଶା ଲୋକ ବି ଝୁରୁଛନ୍ତି । ସିକନ୍ଦରାବାଦ ହୋଟେଲ ଅଗ୍ନିକାଣ୍ଡ ଘଟଣାରେ ମୃତ ଦମ୍ପତି ଚନ୍ଦନ ସେଠୀ ଓ ମିତାଲିଙ୍କ ମୃତଦେହ କଟକ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ମାହୋଲ । ରବିବାର ରାତିରେ ଇ-ବାକ ଶୋ-ରୁମରେ ନିଆଁ ଲାଗିବା ପରେ ଉପର ମହଲାରେ ରହୁଥିବା ଏହି ଦମ୍ପତି ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିଲେ । ଆଉ ମଙ୍ଗଳବାର ଏହି ଦମ୍ପତିଙ୍କ ମୃତଦେହ ପହଞ୍ଚିଚିବା ପରେ ସତୀଚଉରା ଅଞ୍ଚଳ ଲୋକାରଣ୍ୟ ହୋଇପଡିଥିଲା ।

ମୃତ୍ୟୁ ପରେ ଏହି ଦମ୍ପତିଙ୍କୁ ସିକନ୍ଦରାବାଦର ଏକ ଘରୋଇ ହସପିଟାଲରେ ରଖାଯାଇଥିଲା । ପରିବାର ଲୋକେ ମୃତଦେହକୁ ଆଣିବାକୁ ହାଇଦ୍ରବାଦ ଯାଇଥିଲେ । ଆଉ ବୁଧବାର ସକାଳେ ମୃତଦେହ କଟକରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

୨୦୨୦ ମସିହାରେ ଚନ୍ଦନ ଓ ମିତାଲିଙ୍କ ବାହାଘର ହୋଇଥିଲା । ଉଭୟେ ବେଙ୍ଗାଲୁରୁରେ ଚାକିରୀ କରୁଥିଲେ । ହାଇଦ୍ରାବାଦରେ ମିତାଲିଙ୍କ ୪ ଦିନିଆ ତାଲିମ ଶିବିର ଥିଲା । ଏଥିପାଇଁ ସିକନ୍ଦରାବାଦ ଯାଇ ଏକ ହୋଟେଲରେ ରହିଥିଲେ ଦମ୍ପତି । ଆଉ ହୋଟେଲରେ ରହୁଥିବାବେଳେ ଅଗ୍ନିକାଣ୍ଡ ଘଟିଥିଲା । ଘରର କାନ୍ଥରୁ ଚନ୍ଦନ ଏବଂ ମିତାଲିଙ୍କ ନାଁ ଲିଭିନି । ଏବେ ପୁଅ-ବୋହୂର ମୃତ୍ୟୁ ଖବର ପରିବାରକୁ ହତବାକ କରିଦେଇଛି ।