ପରୀକୁ ନ୍ୟାୟ ଦେବା ପାଇଁ ବିଜେପିର ବିଶାଳ ପଦଯାତ୍ରା । ଭୁବନେଶ୍ୱରରୁ ନୟାଗଡ ଯଦୁପୁରକୁ ୧୦୦ କିଲୋମିଟର ବାହାରିଲେ ବିଜେପିର ତୁଙ୍ଗ ନେତା

88

କନକ ବ୍ୟୁରୋ : ବିଜେପିର ବିଶାଳ ପଦଯାତ୍ରା । ପରୀ ହତ୍ୟା ମାମଲାରେ ସିବିଆଇ ତଦନ୍ତ କରାଯାଉ, ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରିମଣ୍ଡଳରୁ ହଟାଯାଉ, ଏହି ଦାବିକୁ ଆହୁରି ଜୋରଦାର କରିବାକୁ ମହାପଦଯାତ୍ରା ଆୟୋଜନ କରିଛି ଦଳ । ରାଜ୍ୟର ବିଭିନ୍ନ ସ୍ଥାନରେ ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ଭୁବନେଶ୍ୱରରୁ ନୟାଗଡ଼ର ଯଦୁପୁର ଗାଁକୁ ପ୍ରାୟ ୧୦୦ କିଲୋମିଟର ବ୍ୟାପୀ ପଦଯାତ୍ରା ବାହାରିଛି । ୫ ଦିନ ଧରି ହେବାକୁ ଥିବା ଏହି ପଦଯାତ୍ରାରେ ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ବନତି ଶ୍ରୀନିବାସନ୍, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ରାଜ୍ୟର ତୁଙ୍ଗ ନେତା ଓ ଶହ ଶହ କର୍ମୀ ସାମିଲ ହୋଇଛନ୍ତି ।

ଭୁବନେଶ୍ୱରରୁ ବାହାରିଥିବା ପଦଯାତ୍ରା ଆସନ୍ତା ୨୪ ତାରିଖରେ ପରୀର ଗାଁ ଯଦୁପୁରରେ ପହଁଚିବ । ସେହିଦିନ ଯଦୁପୁର ଗାଁରେ ବିଶାଳ ସମାବେଶ ଆୟୋଜନ କରିବ ଦଳ । ମାମଲାର ତଦନ୍ତ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା କରିବା ପାଇଁ ରାଜ୍ୟ ସରକାରଙ୍କୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଚିଠି ଲେଖିସାରିଛି । ତେଣୁ ସିବିଆଇ ତଦନ୍ତ ପାଇଁ ସରକାରଙ୍କ ଉପରେ ଚାପ ପକାଇବାକୁ ଜୋରଦାର ଉଦ୍ୟମ କରୁଛି ବିଜେପି ।

ସେପଟେ ବିଜେଡି ସାଂସଦ ପିନାକୀ ମିଶ୍ର କହିଛନ୍ତି, ଏପରି ଏକ ସମ୍ବେଦନଶୀଳ ଘଟଣାରେ ରାଜନୀତି କରାନଯାଉ । ସମ୍ବଲପୁର, ରାଉରକେଲା ଠାରୁ ଆରମ୍ଭ କରି ରାଜ୍ୟର ୧୪୭ ନିର୍ବାଚନ ମଣ୍ଡଳୀରେ ମଧ୍ୟ ପଦଯାତ୍ରା କରୁଛି ବିଜେପି । ପରୀକୁ ନ୍ୟାୟ ଓ ରାଜ୍ୟରେ ନିଖୋଜ ହୋଇଥିବା ଶିଶୁଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଦାବି କରିଛି ଦଳ ।