ଦେବଗଡ ବିଧାୟକଙ୍କୁ ଗିରଫ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା ବିଜେପି । ଦେବଗଡରେ ୧୨ ଘଣ୍ଟିଆ ବନ୍ଦ ପାଳିଲା ଦଳ, ବିଡିଓଙ୍କୁ ଗିରଫ ଦାବି ।

165

କନକ ବ୍ୟୁରୋ: ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫଦାରୀକୁ ବିରୋଧ କରି ଦେବଗଡରେ ବିଜେପି ୧୨ ଘଣ୍ଟିଆ ବନ୍ଦ ପାଳନ କରିଛି । ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମାଡ ମାରିବା ଅଭିଯୋଗରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଗିରଫ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୭ ତାରିଖ ଯାଏଁ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦେଇଛନ୍ତି କୋର୍ଟ । ପୁଲିସ ବିଧାୟକଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର ଭଳି ସଂଗୀନ ଦଫା ଲଗାଇଛି । ରବିବାର ଭୁବନେଶ୍ୱରରୁ ବିଧାୟକ ଏବଂ ତାଙ୍କ ଦୁଇ ସହଯୋଗୀଙ୍କୁ ଦେବଗଡ ପୁଲିସ ଗିରଫ କରିଥିଲା । ଏହାର ଜୋରଦାର ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଛି ବିଜେପି ।

ଅନ୍ୟପଟେ ଗିରଫ ପରେ ପ୍ରତିକ୍ରିୟା ରଖିଛନ୍ତି ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ । ସେଦିନ ବିଡିଓ ତାଙ୍କ ସହ କେମିତି ଲୁଚକାଳି ଖେଳିଥିଲେ ସେନେଇ କ୍ୟାମେରା ଆଗରେ କହିଛନ୍ତି । ତାଙ୍କୁ ବିଡିଓ ଧମକ ମଧ୍ୟ ଦେଇଥିବା ଅଭିଯୋଗ କରିଛନ୍ତି ବିଧାୟକ । ଏଥିସହ ସେ ପ୍ରଥମେ ଏଫଆଇଆର ଦେଇଥିବାବେଳେ ବିଡିଓଙ୍କୁ କାହିଁକି ଗିରଫ କରାଯାଇନାହିଁ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ସୁବାସ ପାଣିଗ୍ରାହୀ ।

ଦେବଗଡରେ ବିଜେପି ନେତାମାନେ ବିଧାୟକଙ୍କ ଗିରଫକୁ ବିରୋଧ କରି ଥାନା ଘେରାଉ କରିଥିବାବେଳେ ଭୁବନେଶ୍ୱରରେ ମଧ୍ୟ ଗର୍ଜିଛି ଦଳ । ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଏକ ପ୍ରତିବାଦ ରାଲି କରାଯାଇଛି । ରାଜ୍ୟ ସରକାରଙ୍କ ଆଇନ ବାଟବଣା ହୋଇଯାଇଥିବା ଦଳ କହିଛି । ଶାସକ ଦଳର ନେତାଙ୍କ ପାଇଁ ଗୋଟିଏ ନିୟମ କିନ୍ତୁ ରାଜ୍ୟବାସୀ ଓ ବିରୋଧୀ ଦଳ ପାଇଁ ଆଉ ଗୋଟିଏ ନିୟମ କହି ଘେରିଛି ବିଜେପି ।

  • ବିଧାୟକ ବନାମ ସରକାରୀ ବାବୁ
  • ବିଡିଓଙ୍କ ସମର୍ଥନରେ ଓଏଏସ ସଂଘ

ବିଜେପିର ରାଜନୀତିକୁ କାଉଣ୍ଟର କରିବା ପାଇଁ ଏକାଠି ହୋଇଛନ୍ତି ସରକାରୀ ବାବୁ । ବିଧାୟକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବ ଓ ଗୃହ ସଚିବଙ୍କୁ ଭେଟିଛି ଓଏଏସ ସଂଘ । ଅଫିସରଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସଂଘ ଦାବି କରିଛି । ତେବେ ବିଧାୟକ ସୁବାସ ପାଣିଗ୍ରାହୀ ଓ ତାଙ୍କର ୧୦ରୁ ଅଧିକ ସହଯୋଗୀ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ଥାନାରେ ଏତଲା ଦେଇଥିଲେ ତିଲେଇବଣି ବିଡିଓ ପୁଷ୍ପଚନ୍ଦ୍ର ଦଳପତି । ରାଜସ୍ୱ ବିଭାଗ କର୍ମଚାରୀଙ୍କ ସହ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏକ ଯୁଗ୍ମ ତଦନ୍ତ ପାଇଁ ଯାଇଥିବାବେଳେ ବିଧାୟକ ତାଙ୍କ ସହଯୋଗୀଙ୍କ ସହ ପହଞ୍ଚି ବିଡିଓଙ୍କୁ ଅତର୍କିତ ଆକ୍ରମଣ କରିଥିବା ଅଭିଯୋଗ କରିଥିଲେ ।