କନକ ବ୍ୟୁରୋ: ଆଇସିସି ବିଶ୍ୱକପ ୨୦୨୩ ହେବାକୁ ଆଉ ୩ ମାସ ବାକି ଅଛି । ଏହି ବିଶ୍ୱକପ ୫ ଅକ୍ଟୋବରରୁ ୧୯ ନଭେମ୍ବର ଯାଏଁ ଭାରତରେ ଖେଳାଯିବ । ପ୍ରଥମଥର ପାଇଁ ଏପରି ହେଉଛି କି ଭାରତ ଏକାକୀ ବିଶ୍ୱକପର ଆୟୋଜନ କରୁଛି । ଏହାପୂର୍ବରୁ ଭାରତ ୧୯୮୭, ୧୯୯୬ ଓ ୨୦୧୧ରେ ସଂଯୁକ୍ତ ଭାବରେ ବିଶ୍ୱକପର ଆୟୋଜନ କରିଥିଲା । ତେବେ ବିଶ୍ୱକପ ପୂର୍ବରୁ ଭାରତର ବଡ ଚିନ୍ତା ତାର ଆହତ ଖେଳାଳୀଙ୍କୁ ନେଇ । ଯଶପ୍ରୀତ ବୁମରାହ, ଶ୍ରେୟାସ ଆୟର, ପ୍ରସିଦ୍ଧ କ୍ରିଷ୍ଣା, କେଏଲ ରାହୁଲ ଓ ରିଷବ ପନ୍ତ ଦୀର୍ଘ ସମୟ ଧରି କ୍ରିକେଟରୁ ଦୂରରେ ରହିଛନ୍ତି । ତେବେ ଏହି ୫ ଖେଳାଳିଙ୍କୁ ନେଇ ବିସିସିଆଇ ବଡ ଅପଡେଟ ଦେଇଛି ।

Advertisment

ବିସିସିଆଇ ଯେଉଁ ଅପଡେଟ ଦେଇଛି ତାହା କ୍ରିକେଟ ଫ୍ୟାନଙ୍କୁ ଆଶ୍ୱସ୍ତ କରିଛି । ବିସିସିଆଇ କହିଛି କି ପ୍ରସିଦ୍ଧ କ୍ରିଷ୍ଣା ଓ ଯଶପ୍ରିତ ବୁମରାହ ଫିଟନେସ ହାସଲ କରିବାର ନିକଟତର ହୋଇଛନ୍ତି । ସେହିପରି ଶ୍ରେୟାସ ଆୟର ଓ କେଏଲ ରାହୁଲ ବି ବ୍ୟାଟିଂ ଆରମ୍ଭ କରିଛନ୍ତି । ଏହାସହ ଦୁର୍ଘଟଣାରେ ଆହତ ହୋଇଥିବା ଭାରତୀୟ ଷ୍ଟାର ଖେଳାଳି ରିଷବ ପନ୍ତ ୱିକେଟ କିପିଂ କରିବା ସହ ନେଟ୍ସରେ ବ୍ୟାଟିଂ ବି କରିବାର ନଜର ଆସିଛନ୍ତି ।

ବିସିସିଆଇ ନିଜ ପ୍ରେସ ବିଜ୍ଞପ୍ତିରେ କହିଛି କି, ଦ୍ରୁତ ବୋଲର ଯଶପ୍ରିତ ବୁମରାହ ଓ ପ୍ରସିଦ୍ଧ କ୍ରିଷ୍ଣା ନିଜ ଫିଟନେସର ଅନ୍ତିମ ଚରଣରେ ପହଞ୍ଚିଛନ୍ତି । ନେଟ୍ସରେ ଦ୍ରୁତ ଗତିରେ ବୋଲିଂ ବି କରୁଛନ୍ତି । ଏହି ଦୁଇ ଖେଳାଳି ଅଭ୍ୟାସ ମ୍ୟାଚ ଖେଳିବେ ଯାହାର ଆୟୋଜନ ଏନସିଏ କରିବ । ବିସିସିଆଇ ସେମାନଙ୍କ ପ୍ରଗତିରେ ଖୁସି ଅଛି, ଅଭ୍ୟାସ ମ୍ୟାଚ ପରେ କଣ ନିର୍ଣ୍ଣୟ ନିଆଯିବ ତାହାର ନିଷ୍ପତ୍ତି ନିଆଯିବ ।