ଭାରତ ଚୀନ୍ ବିବାଦକୁ ନେଇ ଆସିଲା ବଡ ଖବର । ଗତବର୍ଷ ଅଗଷ୍ଟରେ ଦୁଇ ଦେଶ ମଧ୍ୟରେ ଆସିଥିଲା ଯୁଦ୍ଧ ପରିସ୍ଥିତି । ସୂଚନା ଦେଲେ ନର୍ଦନ କମାଣ୍ଡ ମୁଖ୍ୟ । 

222

କନକ ବ୍ୟୁରୋ : ଭାରତ ଚୀନ୍ ସୀମାରେ ଦୀର୍ଘ ମାସ ଧରି ଲାଗିରହିଥିବା ଗତିରୋଧ ପରେ ଏବେ ସ୍ଥିତି ସାମାନ୍ୟ ହେବାକୁ ଲାଗିଛି । ଉଭୟ ରାଷ୍ଟ୍ର ମଧ୍ୟରେ ହୋଇଥିବା ବୁଝାମଣା ପରେ ପିଏଲଏ ପଛକୁ ହଟିଛି । ଏହାରି ଭିତରେ ଏକ ବଡ ଖବର ଆସିଛି । ନର୍ଦନ କମାଣ୍ଡ ମୁଖ୍ୟ ଲେଫ୍ଟନାଂଟ ଜେନେରାଲ ୱାଇକେ ଜୋଶୀଙ୍କ କହିବା ଅନୁଯାୟୀ ଉତେଜନା ଲାଗି ରହିଥିବା ବେଳେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ପହଂଚିଯାଇଥିଲା । ଲେଫ୍ଟନାଂଟ ଜେନେରାଲ ଜୋଶୀ କହିଛନ୍ତି, ୨୦୨୦ ଅଗଷ୍ଟ ମାସ ଶେଷ ଆଡକୁ କୈଳାଶ ରେଂଜରେ ଭାରତ ଚୀନ୍ ମଧ୍ୟରେ ବିବାଦ ଚରମ ସୀମାରେ ପହଂଚିଯାଇଥିଲା । ଏପରିକି ଯୁଦ୍ଧ ପରିସ୍ଥିତି ଉପୁଜିଯାଇଥିଲା, ଯାହାକୁ ଶେଷ ମୁହୁର୍ତ୍ତରେ ଟାଳି ଦିଆଗଲା ।

ଗତ ବର୍ଷ ଜୁନ୍ ମାସରୁ ଉତର ଲଦାଖ ଅଂଚଳରେ ଭାରତ ଚୀନ୍ ସୀମା ବିବାଦ ଆରମ୍ଭ ହୋଇଥିଲା । ଏହାକୁ ନେଇ ଏକ ବଡ ଖୁଲାସା କରିଛନ୍ତି ଭାରତୀୟ ନର୍ଦନ କମାଣ୍ଡ ମୁଖ୍ୟ । ଦୀର୍ଘ ସମୟ ଧରି ଲାଗିରହିଥିବା ଉତେଜନା ଭିତରେ ଉଭୟ ରାଷ୍ଟ୍ର ମଧ୍ୟରେ ଯୁଦ୍ଧ ସ୍ଥିତି ଆସିଯାଇଥିଲା । ଯାହାକୁ ଶେଷ ମୁହୁର୍ତ୍ତରେ ଟାଳି ଦିଆଯାଇଥିଲା । 

ନର୍ଦନ କମାଣ୍ଡ ମୁଖ୍ୟ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ବର୍ଷ ଜୁନ୍ ୧୫ରାତିରେ ଗଲୱାନ ଘାଟି ସଂଘର୍ଷରେ ପ୍ରୟ ୪୫ସୈନିକଙ୍କ ମୃତ୍ୟୁ ହୋଇଛି । ଭାରତ ଚୀନ୍ ବିବାଦରେ ଭାରତ କୌଣସି ଜମି ହରାଇନାହିଁ । କିନ୍ତୁ ଚୀନ ପରାଜୟ  ଛଡା ଆଉ କିଛି ମିଳିନାହିଁ । ତେବେ ସଂଘର୍ଷ ପରେ ଚୀନ୍ ପ୍ରାୟ ୬୦ସୈନିକଙ୍କୁ ଷ୍ଟ୍ରେଚରରେ ବୋହି ନେଇଥିବା କହିଛନ୍ତି ଲେଫ୍ଟନାଂଟ ଜେନେରାଲ ଜୋଶୀ । ଗଲୱାନ ସଂଘର୍ଷରେ ଭାରତର ୨୦ଜଣ ସୈନିକ ସହିଦ ହୋଇଥିଲେ । 

ସେପଟେ ଚୀନ୍ ସୈନିକଙ୍କ ହତାହତା ହେବା ନେଇ ବେଜିଂ କୌଣସି ସ୍ପଷ୍ଟ ସୂଚନା ଦେବା ପାଇଁ ମନା କରିଦେଇଥିଲା । ସେ ଆହୁରୀ ମଧ୍ୟ କହିଛନ୍ତି, ଅଗଷ୍ଟ ୨୯-୩୦ତାରିଖରେ କୈଳାଶ ରେଂଜକୁ ଭାରତୀୟ ସେନା ନିଜ କବଜାକୁ ନେଇ ପିଏଲଏକୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲା । ଏପରିକି କୈଳାଶ ରେଂଜର ଉଚ୍ଚ ପାହାଡକୁ ଟ୍ୟାଙ୍କ ମଧ୍ୟ ନେଇଯାଇଥିଲା ଭାରତୀୟ ସେନା, ଯାହାଦ୍ୱାରା ମୁହାଁମୁହିଁ ସଂଘର୍ଷ ହେବାର ଆଶଙ୍କା ଥିଲା । ଏହି ସମୟରେ ଚୀନ୍ ସେନା ମଧ୍ୟ ଟ୍ୟାଙ୍କ ସହ ପ୍ରସ୍ତୁତ ଥିଲା । ଭାରତୀୟ ସେନା ନିକଟରେ ଟ୍ୟାଙ୍କ ଓ ରକେଟ ଲଂଚର ମହଜୁଦ ଥିବା ବେଳେ ସେନା ସଂଜମତା ରକ୍ଷା କରିଥିଲା । ଏହା ସେନା ପାଇଁ ବହୁତ କଠିଣ ଓ କଷ୍ଟକର ସମୟ ଥିଲା । 

ଦୀର୍ଘ ଦିନ ପରେ ଏବେ ବିବାଦୀୟ ଅଂଚଳରୁ ସେନା ପ୍ରତ୍ୟାହାର ହେଉଛି । ଭାରତ ଚୀନ୍ ଚୁକ୍ତି ଅନୁଯାୟୀ ସୀମାରୁ ସେନା ପ୍ରତ୍ୟାହାର ପରେ ବିବାଦର ସ୍ଥାୟୀ ସମାଧାନର ବାଟ ଫିଟିଛି । ଅପରପକ୍ଷରେ ୨୦୨୦ ଏପ୍ରିଲ ପୂର୍ବ ସ୍ଥିତି ଫେରିଆସିବା ଆଶା କରାଯାଉଛି ।

ଭାରତ ଚୀନ୍ ମଧ୍ୟରେ ଗତବର୍ଷ ଜୁନ୍ ମାସରୁ ଲଦାଖ ଅଂଚଳରେ ଉତେଜନା ଲାଗିରହିଥିଲା । ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥିଲେ । ବିବାଦର ସମାଧାନ ପାଇଁ ଦୁଇ ଦେଶର ସେନା ମଧ୍ୟରେ ବୈଠକ ପରେ ବୈଠକ ବସିଥିଲା । ଶେଷରେ ଜାନୁଆରିୀ ୨୪ରେ ହୋଇଥିବା ବୈଠକ ପରେ ବୁଝାମଣା ହୋଇଥିଲା ଏବଂ ଏହାର ଫଳସ୍ୱରୂପ ସେନା ପ୍ରତ୍ୟାହାର ହୋଇଛନ୍ତି ।