ମାର୍ଚ୍ଚ ପହିଲାରୁ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ । ୬୦ ବର୍ଷରୁ ଅଧିକ ଲୋକଙ୍କୁ ଦିଆଯିବ ଟିକା । ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର

67

କନକ ବ୍ୟୁରୋ : କରୋନା ଟିକାକୁ ନେଇ ବୁଧବାର ଦିନ କେନ୍ଦ୍ରସରକାର ଏକ ବଡ ଘୋଷଣା କରିଛନ୍ତି । ମାର୍ଚ୍ଚ ପହିଲାରୁ ଦେଶରେ ଥିବା ୬୦ ବର୍ଷରୁ ଅଧିକ ଲୋକଙ୍କୁ ଏହି ଟିକା ପ୍ରଦାନ କରାଯିବ । କ୍ୟାବିନେଟ୍ ନିଷ୍ପତ୍ତି ପରେ ଏହା ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର   ।
କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ମୁତାବକ ମାର୍ଚ୍ଚ ପହିଲାରୁ ଦେଶର ୬୦ ବର୍ଷରୁ ଉର୍ଦ୍ଧ ଲୋକଙ୍କୁ ଟିକାକରଣ କରାଯିବ । ଏହାସହ ୪୫ ବର୍ଷରୁ ଅଧିକ ବୟସ୍କ ଲୋକ, ଯେଉଁମାନେ କି ଗମ୍ଭୀର ରୋଗରେ ପୀଡିତ ସେମାନଙ୍କୁ ବି ଟିକା ଦିଆଯିବ । ଏହି ଟିକାକରଣ ପାଇଁ ଦେଶରେ ୧୦ ହଜାର କେନ୍ଦ୍ର ଚିହ୍ନିତ କରାଯାଇଛି । ଏହା ସହ ଏହି ଟିକା ସମ୍ପୂର୍ଣ୍ଣ ମାଗଣା ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଜାଭଡେକର କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି କି ଜାନୁଆରୀ ୧୬ ରୁ ଫେବୃଆରୀ ୨୪ ତାରିଖ ମଧ୍ୟରେ ଦେଶର ୧ କୋଟି ୭ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇ ସାରିଛି । ଏହା ସହ ୧୪ ଲକ୍ଷ ଲୋକଙ୍କୁ ଟିକାର ଦ୍ୱିତୀୟ ଡୋଜ୍ ବି ଦିଆଯାଇଥିବା ସେ ସୂଚନା ଦେଇଛନ୍ତି ।

କହିରଖୁ କି ଭାରତରେ ଜାନୁଆରୀ ୧୬ ତାରିଖରୁ କରୋନା ପାଇଁ ଟିକାକରଣ ଆରମ୍ଭ ହୋଇଛି । ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଦେଶବାସୀଙ୍କୁ ଏହି ଟିକା ଦିଆଯାଉଛି । ଏପର୍ଯ୍ୟନ୍ତ ଦେଶରେ କେବଳ ଆଗଧାଡିର କରୋନାଯୋଦ୍ଧାଙ୍କୁ ଟିକାକରଣ କରାଯାଇଛି । ଯେଉଁମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀ ଓ ଅନ୍ୟ ବିଭାଗର କର୍ମଚାରୀ ସାମିଲ ଅଛନ୍ତି ।

ଏବେ ଦ୍ୱିତୀୟ ପର୍ଯ୍ୟାୟରେ ୬୦ ବର୍ଷରୁ ଅଧିକ ସମସ୍ତ ଲୋକ, ୪୫ ବର୍ଷରୁ ଅଧିକ ଲୋକ (ଯେଉଁମାନେ ଗମ୍ଭୀର ରୋଗରେ ପୀଡିତ)ଙ୍କୁ ଟିକା ଦିଆଯିବ । ଏହାପରେ ଅନ୍ୟ ଲୋକମାନଙ୍କୁ ଟିକା କରଣ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।