କନକ ବ୍ୟୁରୋ : ୨୦୨୩-୨୪ ଶିକ୍ଷାବର୍ଷ ଆଜି ଠାରୁ ଆରମ୍ଭ ହେଉଛି । କୋଭିଡ୍ ପୂର୍ବରୁ ଯେଉଁଭଳି ପାଠପଢ଼ା ହେଉଥିଲା, ପୁଣିଥରେ ସେହିଭଳି ଢାଞ୍ଚାରେ ପାଠପଢ଼ା ଚାଲିବ । ଏବେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସ ହେବ । ସପ୍ତାହକୁ କେତୋଟି କ୍ଲାସ ହେବ, କେଉଁ କେଉଁ ଦିନ କ୍ଲାସ ରହିବ, ଏନେଇ ବିଦ୍ୟାଳୟ କର୍ତୃପକ୍ଷ ନିଷ୍ପତ୍ତି ନେବେ । ଆଜି ଠାରୁ ୮ ତାରିଖ ଯାଏଁ ପିଲାଙ୍କ ନାମଲେଖା ହେବ । ଯଦି କୌଣସି ପିଲା ଏହି ସମୟ ମଧ୍ୟରେ ନାମଲେଖାଇ ନପାରନ୍ତି, ୮ ତାରିଖ ପରେ ମଧ୍ୟ ସେମାନଙ୍କୁ ସୁଯୋଗ ମିଳିବ ।

Advertisment

ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସ୍କୁଲ କର୍ତ୍ତୃପକ୍ଷ କ୍ୟାମ୍ପସରେ ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ, ଓଆରଏସ୍ ପ୍ୟାକେଟ ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଛି । ଯଦି ୧୧ ତାରିଖ ପୂର୍ବରୁ କୌଣସି ଜିଲ୍ଲାରେ ଅଧିକ ଗ୍ରୀଷ୍ମ ପ୍ରବାହ ନଜରକୁ ଆସେ, ତେବେ ଜିଲ୍ଲାପାଳ ଏଦିଗରେ ପଦକ୍ଷେପ ନେଇ ଆଗୁଆ ସକାଳୁଆ ସ୍କୁଲ କରିପାରିବେ । ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ କରିବାକୁ ପୂର୍ବରୁ ଗଣଶିକ୍ଷା ବିଭାଗ ଘୋଷଣା କରିସାରିଛି ।

ନୂଆ ଶିକ୍ଷାବର୍ଷ

- ସରକାରୀ ବିଦ୍ୟାଳୟର ପ୍ରଥମରୁ ୮ମ ଶ୍ରେଣୀ ପିଲାଙ୍କ ନିକଟରେ ମାଗଣା ପାଠ୍ୟପୁସ୍ତକ ପହଞ୍ଚାଇବା ଦିଗରେ ପଦକ୍ଷେପ
- ସମସ୍ତ ବ୍ଲକ ପଏଣ୍ଟ ଓ ଅଧିକାଂଶ ସ୍କୁଲରେ ଆବଶ୍ୟକୀୟ ପାଠ୍ୟପୁସ୍ତକ ପହଞ୍ଚିଯାଇଛି
- ପ୍ରାଥମିକ ସ୍କୁଲ ପିଲାଙ୍କୁ ବଣ୍ଟାଯିବ ଦୈନନ୍ଦିନ କାର୍ଯ୍ୟସୂଚୀ ସମ୍ବନ୍ଧୀୟ ‘ମୋ ଡାଏରୀ’
- ଖୁବ୍ ଶୀଘ୍ର ବଣ୍ଟାଯିବ ଛାତ୍ରଛାତ୍ରୀଙ୍କ ଲାଗି ଉନ୍ମୋଚିତ ହୋଇଥିବା ଏକାଡେମିକ୍ କ୍ୟାଲେଣ୍ଡର
- ନୂଆ ଶିକ୍ଷାବର୍ଷରେ ପୂର୍ଣ୍ଣାଙ୍ଗ ସିଲାବସରେ ପିଲାମାନଙ୍କୁ ଶିକ୍ଷାଦାନ କରାଯିବ
- ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତି ସପ୍ତାହରେ ଖେଳ ପିରିୟଡ୍ ରହିଛି
- ଲାଇବ୍ରେରୀ ପିରିୟଡ୍, ପ୍ରାକ୍ଟିକାଲ ପିରିୟଡ୍ ଆଦି ମଧ୍ୟ ରହିବ
- ଗ୍ରୀଷ୍ମ ଛୁଟି ପରେ ଜୁନ୍ ୧୮ରୁ ପୁଣି ଥରେ ପାଠପଢା ଆରମ୍ଭ କରାଯିବ