ବୟସ୍କଙ୍କୁ ମନା ଡିଜଟାଲ ସେବା । ଭତ୍ତା ପାଇଁ ୯୦୦ କିମି ଯାଉଛନ୍ତି ୯୫ ବର୍ଷୀୟା ବୃଦ୍ଧା ।

187

କନକ ବ୍ୟୁରୋ: ଏ ହେଉଛି ବୟସର ସାୟାହ୍ନରେ ପହଞ୍ଚିଥିବା ବୁଢି ମାଉସୀଙ୍କ ଦୁଃଖ । ବୟସ ୯୫ ଛୁଇଁଲାଣି । ଅଣ୍ଟା ସଳଖି ଚାଲି ହେଉନି କି ଆଖିକୁ ଭଲ ଦିଶୁନି । ୯୫ ବର୍ଷ ବୟସରେ ନିଜ ହକ୍ ପାଇଁ ହେଉଛନ୍ତି ହଟହଟା । ସ୍ୱାମୀଙ୍କ ପେନସନ୍ ଗଣ୍ଡକ ପାଇବାକୁ ଏବୟସରେ ୧୦, ୨୦ କିଲୋମିଟର ନୁହେଁ ତାଙ୍କୁ ଯିବାକୁ ପଡୁଛି ୯୦୦ କିଲୋମିଟର ଦୂର । ହେଲେ ଏ ଦୁଃଖ ବୁଝିବାକୁ ନାରାଜ ସମ୍ପୃକ୍ତ ଅଧିକାରୀ । ଏହା ହେଉଛି ଛତିଗଡ ବିଳାଶପୁର ବାସିନ୍ଦା ଲଳିତା ଦେବୀଙ୍କ ସମସ୍ୟା ଭରା କାହାଣୀ ।

ଆଜିକା ସମୟରେ ଲୋକେ ଘରେ ବସି ଡିଜିଟାଲ ମାଧ୍ୟମରେ ଟଙ୍କା ଲେଣଦେଣ ଠାରୁ ଆରମ୍ଭ କରି ବଣିଜ ବ୍ୟବସାୟ କରୁଥିବାବେଳେ ଏହି ବୟୋବୃଦ୍ଧାଙ୍କ ପାଇଁ କିନ୍ତୁ ଏସବୁ ସାତ ସପନ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ନଜର ଦିବଙ୍ଗତ ସେନା ଅବସରପ୍ରାପ୍ତ ସ୍ୱାମୀଙ୍କ ପେନସନ୍ ଟଙ୍କା ପାଇବାକୁ ଲିତା ଦେବୀଙ୍କୁ ଏବ ବୟସରେ ଯିିବାକୁ ପଡୁଛି ୯୦୦ କିଲୋମିଟର । ଲଳିତା ଦେବୀଙ୍କ ସ୍ୱାମୀ ରଞ୍ଜିତ ସିଂହ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ଭାରତୀୟ ରାଜପୁତ ରେଜିମେଣ୍ଟରେ ସୈନିକ ଥିଲେ । ତାଙ୍କ ଦେହାନ୍ତ ପରେ ପତ୍ନୀ ଲଳିତା ଦେବୀଙ୍କୁ ମିଳୁଛି ପେନସନ୍ । ହେଲେ ଏଥିପାଇଁ ତାଙ୍କୁ ଯିବାକୁ ପଡୁଛି ସେ ଛତିଶଗଡ ବିଳାଶପୁରରୁ ଉତ୍ତରପ୍ରଦେଶ ବଲିଆକୁ ଦୀର୍ଘ ୯୦୦ କିଲୋମିଟର ଦୂର । ସେ ପୁଣି ମାତ୍ର ୬୦୦୦ ଟଙ୍କା ପାଇଁ । ତାଙ୍କୁ ପ୍ରତି ଦୁଇ ତିନି ମାସରେ ପେନସନ୍ ଆଣିବାକୁ ଏତେ ବାଟ ନେଇଯାଉଛନ୍ତି ପୁଅ । ଲଳିତା ଦେବୀଙ୍କ ପୁଅ ମଧ୍ୟ ବାର୍ଦ୍ଧକ୍ୟ ଅବସ୍ଥାରେ । ତାଙ୍କ ଆଖିକୁ ବି ଭଲ ଭାବେ ଦେଖାଯାଉନି । ଏପରି ଅବସ୍ଥାରେ ମା’ ଲଳିତାଙ୍କ ଆକାଉଣ୍ଟକୁ ବିଳାଶପୁର ଟ୍ରାନ୍ସଫର କରିବାକୁ କହି କହି ଶୁଣୁନାହାଁନ୍ତି ସମ୍ପୃକ୍ତ ଅଧିକାରୀ । ବରଂ କେତେବେଳେ ମା’ଙ୍କ ଲିଭିଙ୍ଗ ସାର୍ଟିଫିକେଟ ଦେଖାଇ ଆଉ କେତେବେଳ ମା’ଙ୍କୁ ଅଫିସରେ ହାଜର କରି ଉଠାଉଛନ୍ତି ପେନସନ୍ ଟଙ୍କା ।

ଉଭୟ ମା’ ଆଉ ପୁଅଙ୍କ ଅବସ୍ଥା ଦେଖିଲେ ସହଜେ ଅନୁମାନ କରିହେଉଛି ଯେ, ମାତ୍ର ୬୦୦୦ ଟଙ୍କାର ପେନସନ୍ ଗଣ୍ଡାଏ ଆଣିବାକୁ ଏମାନଙ୍କୁ କେତେ କଷ୍ଟ କରିବାକୁ ପଡୁଛି । ଏତେ ବାଟକୁ ଯିବା ଆସିବା କରିବାରେ ହିଁ ପେନସନର ଅଧାରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଯାଉଛି । ତେବେ ଏବିଷୟରେ ଗଣମାଧ୍ୟମରେ ଖବର ପ୍ରସାର ପରେ ଏହି ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେଇଛନ୍ତି ବିଳାସପୁର ଜିଲ୍ଲା କଲ୍ୟାଣ ଅଧିକାରୀ ।ବର୍ଷେ ଦି ବର୍ଷ ନୁହେଁ ଦୀର୍ଘ ୨୦ ବର୍ଷ ଧରି ପେନସନ୍ ଗଣ୍ଡାକ ପାଇବାକୁ ଏପରି ହଟହଟା ହେବା ଅତ୍ୟାଧୁନିକ ଯୁଗରେ ଏକ ବଡ ପ୍ରଶ୍ନବାଚୀ ନୁହେଁ କି?