୧୧ କୋଟି ଟଙ୍କାରେ ବିକ୍ରି ହେଉଛି ୪୫ ବର୍ଷର ପୁରୁଣା କମ୍ପ୍ୟୁଟର । ଜାଣନ୍ତୁ କାହିଁକି ?

149

କନକ ବ୍ୟୁରୋ : ନୂତନ ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟାକୁ ଆଧାର କରି ସମଗ୍ର ବିଶ୍ୱ ଦ୍ରୁତ ଗତିରେ ଆଗକୁ ବଢୁଛି । ଲୋକମାନେ ନୂଆ ଟେକ୍ନୋଲୋଜି ବ୍ୟବହାର କରୁଛନ୍ତି । ଏପରି ପରିସ୍ଥିତିରେ ୪୫ ବର୍ଷ ପୁରୁଣା କମ୍ପ୍ୟୁଟରର ଚାହିଦା ବଢିବା ଭଳି ଖବର ସାମ୍ନାକୁ ଆସିଛି । ବାସ୍ତବରେ ଏହି ପୁରୁଣା କମ୍ପ୍ୟୁଟର ଏବେ,୧୧ କୋଟି ଟଙ୍କାରେ ବିକ୍ରି ହେବ ବୋଲି ବିଜ୍ଞାପନ ପ୍ରକାଶ ପାଇଛି । ତେବେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, ଏତେ ପୁରୁଣା କମ୍ପ୍ୟୁଟରରେ ଏଭଳି କଣ ଅଛି ଯେ, ମୂଲ୍ୟ ଏତେ ଅଧିକ ରହିଛି ? ମିଳିଥିବା ସୂଚନା ମୁତାବକ ଏହା ଏକ ସାଧାରଣ କମ୍ପ୍ୟୁଟର ନୁହେଁ ।

ବରଂ, ଏହି କମ୍ପ୍ୟୁଟରକୁ ଆପଲର ସହ-ପ୍ରତିଷ୍ଠାତା ସ୍ବର୍ଗତଃ ଷ୍ଟିଭ ଜବ୍ସ ପ୍ରସ୍ତୁତ କରିଥିଲେ । ରିପୋର୍ଟ ଅନୁଯାୟୀ, ୧୯୭୬ ମସିହାରେ ସହ-ପ୍ରତିଷ୍ଠାତା ଷ୍ଟିଭ୍ ୱୋଜନାଇକଙ୍କ ସହ ମିଶି ଷ୍ଟିଭ୍ ଜବ୍ସ ଏହି କମ୍ପ୍ୟୁଟରର ଡିଜାଇନ୍ କରିଥିଲେ । ଆଉ ସେତେବେଳେ ପ୍ରସ୍ତୁତ ହୋଇଥିବା ଏହି କମ୍ପ୍ୟୁଟର ଏବେ ସୋସିଆଲ ମିଡ଼ିଆ ଇବେରେ ବିକ୍ରି ହେବ ବୋଲି ବିଜ୍ଞାପନ ପ୍ରକାଶ ପାଇଛି । ଏହି ବିଜ୍ଞାପନରେ ଏହା ମୂଲ୍ୟ ପ୍ରାୟ ୧୧ କୋଟି ଟଙ୍କା ଦର୍ଶାଯାଇଛି । କମ୍ପାନୀର କହିବା ମୁତାବକ ଏହି କମ୍ପ୍ୟୁଟର କାର୍ୟ୍ୟକ୍ଷମ ଅବସ୍ଥାରେ ଅଛି।

ବିଜ୍ଞାପନରେ କୁହାଯାଉଛି ଯେ ଏହା ଏକ ବିରଳ ସୁଯୋଗ, କାରଣ ବର୍ତ୍ତମାନ ସର୍ବମୋଟ ୬ଟି ଆପଲ-୧ କମ୍ପ୍ୟୁଟର ହିଁ ରହିଛି । ଆଉ ଅନ୍ୟମାନଙ୍କ ଅପେକ୍ଷା ଏହି କମ୍ପ୍ୟୁଟର ସର୍ବୋତ୍ତମ ସ୍ଥିତିରେ ଅଛି । ବିଜ୍ଞାପନ ଦେଇଥିବା ବ୍ୟକ୍ତିଜଣକ କହିଛନ୍ତି ଯେ, ସେ ଏହି କମ୍ପ୍ୟୁଟରର ଦ୍ୱିତୀୟ ମାଲିକ । ୧୯୭୮ ମସିହାରେ, ଏହାର ପ୍ରଥମ ମାଲିକ ଆପଲ୍-୨ କମ୍ପ୍ୟୁଟର କିଣିବା ପରେ ଏହାକୁ ବିକ୍ରି କରିଦେଇଥିଲେ ।