୪୨ବର୍ଷ ପରେ ରତ୍ନଭଣ୍ଡାରକୁ ଫେରିଲା ଠାକୁରାଣୀଙ୍କ ସୁନା ଅଳଙ୍କାର । ୧୯୮୦ ମସିହାରେ ଚୋରି ହୋଇଥିଲା ସାକ୍ଷୀଗୋପିନାଥଙ୍କ ମନ୍ଦିରରୁ ସୁନା ଗହଣା ।

125

କନକ ବ୍ୟୁରୋ: ୧୯୮୦ ମସିହାରେ ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିରରୁ ମା ରାଧାଦେବୀଙ୍କର ୨ପଟ ସୁନା ଖଡୁ ସହିତ ଏକ ସୁନା ହାର ଚୋରି ହୋଇଯାଇଥିଲା । ଯାହାକି ସେ ସମୟରେ ଦାୟତ୍ୱରେ ଥିବା ସେବାୟତ ମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ଚୋରି ଯାଇଥିବା ସୁନା ଅଳଙ୍କାର ଗୁଡିକର  ଓଜନ ପ୍ରାୟ ୬୩ ଗ୍ରାମରୁ ଅଧିକ ଥିଲା ।  ତଦନ୍ତ ସମୟରେ ଜଣାପଡିଥିଲା ଯେ ଦାୟତ୍ୱରେ ଥିବା ସେବକ ମାନେ ହିଁ ଏହି ସୁନା ଅଳଙ୍କାର ଗୁଡିକ ଚୋରି କରିଛନ୍ତି ।  ସେ ସମୟରେ ଥବା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଙ୍ଗେ ସଙ୍ଗେ ଥାନାରେ ଏକ ମାମଲା ରୁଜ କରିଥିଲେ । ତଦନ୍ତ ଆରମ୍ଭ ହେବା ସହ ଅଭିଯୁକ୍ତ ଏହି ଚୋରି ମାମଲାରେ ଜେଲ ମଧ୍ୟ ଯାଇଥିଲେ । ଏବଂ ଏହି ଚୋରି ସୁନାଅଳଙ୍କାର ସାକ୍ଷୀଗୋପାଳ ଷ୍ଟେଟବ୍ୟାଙ୍କ ଶାଖାରେ ୧ହଜାର ଟଙ୍କାରେ ବନ୍ଦକ ପଡିଥିବାର ଜଣାପଡିଥିଲା ।

ମନ୍ଦିର ଅଳଂକାର ଚୋରି ମାମଲା କୋର୍ଟକୁ ଯିବା ପରେ ଏହି ଚୋରି ସୁନା ଅଳଙ୍କାର ଗୁଡିକ ମାନ୍ୟବରଙ୍କ  କୋର୍ଟ ତୁରନ୍ତ ସୁନା ଅଳଙ୍କାର ଗୁଡିକ କୋର୍ଟରେ ଜମା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ମଧ୍ୟରେ ୪୨ ବର୍ଷ ବିତିଯାଇଛି । ଶେଷରେ ମାନ୍ୟବର ଉଚ୍ଚ ନ୍ୟାୟଳଙ୍କ ନିର୍ଦ୍ଦେଶକ୍ରମେ ସାକ୍ଷୀଗୋପିନାଥ ଦେବଙ୍କ କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ ପ୍ରଧାନଙ୍କୁ ଏହି ଅଳଙ୍କାର ଗୁଡିକ ହସ୍ତାନ୍ତର କରାଯିବା ପରେ ପ୍ରଧାନ ମନ୍ଦିର ବଣିଆ କୃଷ୍ଣଚନ୍ଦ୍ର ସାହୁଙ୍କ ଡକାଇ ଦୁଇପଟ ଖଡୁ ଓ ଗୋଟିଏ ସୁନାର ହାର ଓଜନ କରାଇ ଥିଲେ । ଦୁଇ ପଟ ଖଡୁ ଗୋଟିଏ  ହାର ଯାହାରକି ଓଜନ ପ୍ରାୟ  ୬୩ ଗ୍ରାମ ୩୪୦ ମିଲିଗ୍ରାମ ବୋଲି ଜଣାପଡିଛି । ଏହି ସୁନା ଅଳଙ୍କାର ଗୁଡିକ  ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଦାୟତ୍ୱରେ ରଖାଯାଇଛି । ସେବାୟତ ରାମଚନ୍ଦ୍ର ମହାପାତ୍ର, ରଘୁନାଥ ମହାପାତ୍ର, ସୂର୍ଯ୍ୟନାରାୟଣ ମହାପାତ୍ର, ବିଜୟ କୁମାର ନନ୍ଦ, ଦୁର୍ଗା ନାରାୟଣ ମହାପାତ୍ର ପ୍ରମୁଖଙ୍କ ଉପସ୍ଥିତ ରହିଥିଲେ ।