ଅପେକ୍ଷାର ଅନ୍ତ, ଆଜିଠୁ ଅନ୍ତର୍ଜାତୀୟ କ୍ରିକେଟ: ଇଂଲଣ୍ଡର ସାଉଥମ୍ପଟନରେ ହେବ ମ୍ୟାଚ; ଷ୍ଟାଡିୟମ ରହିବ ଦର୍ଶକଶୂନ୍ୟ

କୋଭିଡ ମାର୍ଗଦର୍ଶିକା ଯୋଗୁଁ ପଡିଆରେ ଦେଖିବାକୁ ମିଳିବ ଖେଳାଳି, ଅମ୍ପାୟର ଓ ରେଫରି

1,145

କନକ ବ୍ୟୁରୋ: କରୋନା ଭୂତାଣୁର ଭୟାବହତା ଭିତରେ କ୍ରିକେଟ୍ ପ୍ରେମୀଙ୍କ ପାଇଁ ରହିଛି ଏକ ଆଶ୍ୱସ୍ତିର ଖବର । ଅପେକ୍ଷାର ଅନ୍ତ ଘଟିଛି । ଆରମ୍ଭ ହେବାକୁ ଯାଉଛି ଅନ୍ତର୍ଜାତୀୟ କ୍ରିକେଟ । କ୍ରିକେଟର ଜନ୍ମସ୍ଥଳି ଇଂଲଣ୍ଡରେ ଖେଳାଯିବ ଟେଷ୍ଟ ମ୍ୟାଚ୍ । ସାରା ବିଶ୍ୱରେ କରୋନା ସଂକ୍ରମଣର ଭୟାବହତା ପାଇଁ ବନ୍ଦ ଥିଲା ସମସ୍ତ କ୍ରୀଡା ଆୟୋଜନ । ତେବେ କରୋନା ପରବର୍ତି ସମୟରେ ଏହା ହେବ ପ୍ରଥମ ଅନ୍ତର୍ଜାତୀୟ କ୍ରୀଡା । ଇଂଲଣ୍ଡ ମାଟିରେ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ଟେଷ୍ଟ ସିରିଜ । ସିରିଜର ପ୍ରଥମ ମ୍ୟାଚ୍ ଆଜି ଠାରୁ ସାଉଥହମ୍ପଟନରେ ଖେଳାଯିବ । ଆଜି ଅପରାହ୍ନ ପ୍ରାୟ ସାଢେ ୩ଟାରୁ ମ୍ୟାଚ ଖେଳାଯିବ । ୨୦୧୯ ବିଶ୍ୱକପ୍ ବିଜେତା ଦଳର ମହାନାୟକ ବେନ୍ ଷ୍ଟୋକ୍ସଙ୍କୁ ଏହି ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡର କାମଚଳା ଅଧିନାୟକ ଦାୟିତ୍ୱ ମିଳିଛି ।

ତେବେ କରୋନା କାରଣରୁ ଫାଙ୍କା ଷ୍ଟାଡିୟମରେ ଆୟୋଜନ ହେବ ମ୍ୟାଚ । ୧୪୩ ବର୍ଷ ପରେ ଅନ୍ତର୍ଜାତୀୟ କ୍ରିକେଟରେ ଏପରି ଘଟଣା ଦେଖିବାକୁ ମିଳିବ । କୋଭିଡ ୧୯ ପରବର୍ତି ନୂଆ କଟକଣା ଭିତରେ ଏହି ମ୍ୟାଚ ଖେଳାଯିବ । ଷ୍ଟାଡିୟମରେ କେବଳ ଖେଳାଳି ଓ ଅମ୍ପାୟାର ରହିବେ । ବଲରେ କୌଣସି ଖେଳାଳି ଲାଳ ବ୍ୟବହାର କରିପାରିବେ ନାହିଁ । ଷ୍ଟାଡିୟମରେ କୌଣସି ଦର୍ଶକ ରହିବେ ନାହିଁ । ବିଜୟ ଉତ୍ସବକୁ ଅତି ସାମାନ୍ୟ ଭାବେ ପାଳନ କରାଯିବ । ଜାସନ୍ ହୋଲଡରଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ ଟିମ୍ ଏହି ମ୍ୟାଚ ଖେଳିବ । କୋଭିଡ ୧୯ ପରବର୍ତି ଏହି ଅନ୍ତର୍ଜାତୀୟ ମ୍ୟାଚକୁ ଦର୍ଶକ କେବଳ ଅନଲାଇନ୍ ଓ ଟିଭି ଜରିଆରେ ଦେଖିବେ । ଏହି ସିରିଜରେ ୩ଟି ମ୍ୟାଚ୍ ଖେଳାଯିବାକୁ ସ୍ଥିର ହୋଇଛି । ସିରିଜର ଦ୍ୱିତୀୟ ଟେଷ୍ଟ ଜୁଲାଇ ୧୬ ଓ ତୃତୀୟ ଟେଷ୍ଟ ଜୁଲାଇ ୨୪ ତାରିଖରୁ ଖେଳାଯିବ ।