ଶ୍ରୀମନ୍ଦିର ଉପରେ ଅଛି କି ଆତଙ୍କୀଙ୍କ ଆଖି ? ପୁରୀ ଉପରେ ରହିଛି ସ୍ୱତନ୍ତ୍ର ନଜର, ଡିଆଇଜି କହିଲେ ୭୫ ମିଟର ଉଚ୍ଛେଦର କାରଣ, ଗ୍ରେନେଡ ଫିଙ୍ଗିଲେ ବି ପହଂଚିବନି ମନ୍ଦିର ।

811

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରକୁ କୌଣସି ବଡ ଧରଣର ଆକ୍ରମଣ ଆଶଙ୍କା ନେଇ ସତର୍କ ରହିଛି ଓଡିଶା ପୋଲିସ । ଶ୍ରୀମନ୍ଦିର ଚାରିପଟେ ୭୫ ମିଟର ଯାଏଁ ଉଚ୍ଛେଦ କରିବାର କାରଣ ବିଷୟରେ ଆଜି ସ୍ପଷ୍ଟ କରିଛନ୍ତି କେନ୍ଦ୍ରାଂଚଳ ଡିଆଇଜି ଆଶିଷ ସିଂହ । ସେ କହିଛନ୍ତି, ଯଦି କୌଣସି ଦୁର୍ବୃତ, ଗ୍ରେନେଡ୍ ଫିଙ୍ଗିବାକୁ ଚେଷ୍ଟା କରେ, ତେବେ ସେ ୬୦ରୁ ୬୫ ମିଟର ଯାଏଁ ଫିଙ୍ଗିପାରିବ । ଏହାଛଡା ମନ୍ଦିର ନିକଟରେ ସୁରକ୍ଷାକର୍ମୀଙ୍କ ଗତିବିଧି, ଯାଂଚ୍ ଏବଂ ସୁରକ୍ଷା ସମ୍ପର୍କିତ ପଦକ୍ଷେପ ନେବା ପାଇଁ ଏହି ୭୫ ମିଟର ଯାଏଁ ଉଚ୍ଛେଦ ଏକାନ୍ତ ଆବଶ୍ୟକ ବୋଲି କୁହାଯାଉଛି ।

ସେପଟେ ପୁରୀ ଏସପି ଉମାଶଙ୍କର ଦାସ କହିଛନ୍ତି, ବର୍ତମାନ ଦେଶରେ ସ୍ଥିତି ଦୃଷ୍ଟିକୋଣରୁ ପୁରୀକୁ ସ୍ୱତନ୍ତ୍ର ନଜର ଭିତରେ ରଖାଯାଇଛି । ଆତଙ୍କବାଦୀ ଗତିବିଧି ଉପରେ ମଧ୍ୟ ସ୍ୱତନ୍ତ୍ର ଭାବେ ସତର୍କ ରହିଛି ପୋଲିସ ।

ଶ୍ରୀମନ୍ଦିର ଚାରିପଟେ ୭୫ ମିଟର ଯାଏଁ ଉଚ୍ଛେଦ କରିବା ପାଇଁ କ୍ୟାବିନେଟ ନିଷ୍ପତି ପରେ ଏହାର କାରଣ ବିଷୟରେ ସ୍ପଷ୍ଟ କରିଛନ୍ତି କେନ୍ଦ୍ରାଂଚଳ ଡିଆଇଜି ଆଶିଷ ସିଂ । କନକ ନ୍ୟୁଜକୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି, ଯଦି ଜଣେ ବ୍ୟକ୍ତି ହାତରେ ଗ୍ରେନେଡ ଧରି ଶ୍ରୀମନ୍ଦିର ଉପରକୁ ଫିଙ୍ଗିବାକୁ ଚାହିଁବ, ତେବେ ସେ ସର୍ବାଧିକ ୬୦ରୁ ୬୫ ମିଟର ଯାଏଁ ଫିଙ୍ଗିପାରିବ ।

ଜଷ୍ଟିସ ବିପି ଦାସ କମିଶନଙ୍କ ସୁପାରିଶ ଏବଂ ବିଶେଷଜ୍ଞଙ୍କ ମତ ଆଧାରରେ ଏଭଳି ଏକ ଯୋଜନା ପ୍ରସ୍ତୁତ ହୋଇଛି । ମେଘନାଦ ପାଚେରୀଠାରୁ ୭୫ ମିଟର ଚଉଡାରେ ଉଚ୍ଛେଦ ହେଲେ ୭୦୦ରୁ ଅଧିକ ଘର, ୭ଟି ହୋଟେଲ ଓ ୩୦୦ରୁ ୪୦୦ଟି ଦୋକାନ ଘର ଭଙ୍ଗା ଯାଇପାରେ ।

ପୁରୀର ସୁରକ୍ଷା ଦୃଷ୍ଟିକୋଣକୁ ନେଇ ରାଜ୍ୟ ସରକାର ସମ୍ବେଦନଶୀଳ ହୋଇପାରିଛନ୍ତି । ଏସପି ଉମାଶଙ୍କର ଦାଶ କହିଛନ୍ତି, ବର୍ତମାନ ଦେଶର ଯେଉଁ ପରିସ୍ଥିତି ରହିଛି ଏବଂ ଆତଙ୍କବାଦୀଙ୍କ ଭୟ ରହିଛି, ତାହାକୁ ଦୃଷ୍ଟିରେ ରଖି ଏସବୁ ପଦକ୍ଷେପ ନିଆ ଯାଉଛି । ପୁରୀର ଭିତିଭୂମି ବିକାଶ ସହ ଏହାକୁ ବିଶ୍ୱ ସ୍ତରୀୟ ଐତିହ୍ୟ ସ୍ଥଳି କରିବା ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ୫୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । କିନ୍ତୁ ତା ଭିତରେ ଶ୍ରୀମନ୍ଦିରର ସୁରକ୍ଷା ରାଜ୍ୟ ସରକାରଙ୍କ ସବୁଠୁ ବଡ ପ୍ରାଥମିକତା ଥିବା ସୂଚନା ମିଳିଛି ।