କନକ ବ୍ୟୁରୋ: ଆପଣ ଅନେକ ବ୍ରିଜ ଦେଖିଥିବେ... ତା ଉପରେ ଚାଲିଥିବେ ମଧ୍ୟ । ହେଲେ ଆମେ ଆଜି ଆପଣଙ୍କୁ ଏମିତି ଏକ ବ୍ରିଜ କଥା କହିବୁ ଯାହା ଉପରେ ଚଢିବା ତ ଦୂରର କଥା ଦେଖିଲେ ଆପଣ ଭୟ କରିବେ । ଉପରେ ଛିଡା ହୋଇ ତଳକୁ ଦେଖିଲେ ଆପଣ ଭୟରେ ଥରି ଉଠିବେ । ବ୍ରିଜର ଏହି ଚିତ୍ର ହିଁ କହୁଛି ତାହା କେତେ ଭୟଙ୍କର ହୋଇଥିବ । ଏଭଳି ଏକ ଭୟାନକ ବ୍ରିଜ ତିଆର କରିଛି ଚୀନ । ଏହି ବ୍ରିଜକୁ ୱାଲକୱେ କୁହାଯାଉଛି ।

Advertisment

ୱାଲକୱେ ବ୍ରିଜଟି ହୁନାନ ଝାଞ୍ଜିଆଜିର ରାଷ୍ଟ୍ରିୟ ବନ ଉଦ୍ୟାନର ତିଆନମେନ ପାହାଡ ଉପରେ ତିଆରି ହୋଇଛି । ଯାହାର ଉଚ୍ଚତା ୪ ହଜାର ୬୦୦ ଫୁଟ ଅର୍ଥାତ ୧ ହଜାର ୪୦୩ ମିଟର । ସବୁଠାରୁ ବଡ କଥା ହେଉଛି ଏହି ବ୍ରିଜର ଚଟାଣ କାଚରେ ତିଆରି ହୋଇଛି । ଯାହା ଉପରେ ଛିଡା ହେଲେ ଆପଣଙ୍କୁ ତଳର ଉଚ୍ଚତା ସ୍ପଷ୍ଟ ଦେଖାଯାଇଥାଏ । ବ୍ରିଜ ଉପରେ ଚଢି ଯଦି ତଳକୁ ଦେଖନ୍ତି ତେବେ ହୃଦରୋଗୀମାନଙ୍କ ହାର୍ଟଆଟାକ ହେଇଯିବାର ସମ୍ଭାବନା ଅଧିକ ଥାଏ । କାରଣ ବ୍ରିଜଟି ଅନେକ ଉଚ୍ଚତାରେ ରହିଛି ।

ଏହି ଭୟାନକ ବ୍ରିଜର ଲମ୍ବ ୩୨୮ ଫୁଟ ଅର୍ଥାତ ୧୦୦ ମିଟର ଆଉ ଚଉଡା ୫ ଫୁଟ ଅର୍ଥାତ ୧.୬ ମିଟର । ସାହସର ସହ ଏହି ବ୍ରିଜ ଉପରେ ଚଢିପାରୁଥିବା ଲୋକଙ୍କ ପାଇଁ ଏହା ଅତି ମନୋରଞ୍ଜନ ହୋଇଥାଏ । ଭୂପୃଷ୍ଠଠାରୁ ଅନେକ ଉଚ୍ଚକୁ ଯାଇ ସେମାନେ ଏହି ପ୍ରାକୃତିକ ପରିବେଶକୁ ଉପଭୋଗ କରିବା ସହ ମଜା ମଧ୍ୟ କରିଥାନ୍ତି ।

ବିଶ୍ୱରେ ପୂର୍ବରୁ ମଧ୍ୟ ଏଭଳି ଅନେକ ଭୟାନକ ବ୍ରିଜ ରହିଛି । ଯାହା ଉପରେ ଚଢିବାକୁ ଅନେକ ଲୋକ ଭୟ କରିଥାନ୍ତି । ସ୍ୱିଜରଲାଣ୍ଡର ଟ୍ରିଫ୍ଟ ବ୍ରିଜ, ଇଂଲଣ୍ଡର କ୍ୟାରିକ ଏ ରେଡେ ରୋପ ବ୍ରିଜ, ହୁସାଇନି ହାଙ୍ଗିଙ୍ଗ ବ୍ରିଜ, ଚୀନର ସିଦୁ ରିଭର ବ୍ରିଜ, ମାଲେସିଆର ଲଙ୍ଗକାୱାଇ ସ୍କାଏ ବ୍ରିଜ ମଧ୍ୟ ଅତି ଭୟଙ୍କର ବ୍ରିଜ । ଯାହା ଉପରେ ଚଢିବାକୁ ଅନେକ ଲୋକ ସାହାସ କରିପାରନ୍ତିନି ।