କନକ ବ୍ୟୁରୋ : କରୋନା କାଳରେ ବିନା ପରୀକ୍ଷାରେ ପ୍ରକାଶ ପାଇଛି +୨ ବିଜ୍ଞାନ ଏବଂ ବାଣିଜ୍ୟର ପରୀକ୍ଷା ଫଳ । ପ୍ରକାଶିତ ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀ ନିଜର ଉଜ୍ୱଳ ଭବିଷ୍ୟତକୁ ନେଇ ସୁନେଲୀ ସ୍ୱପ୍ନ ଦେଖୁଛନ୍ତି । ହେଲେ ସରକାରୀ କଲେଜ କର୍ତୃପକ୍ଷଙ୍କ ଭୁଲ ପାଇଁ ଜଣେ ମେଧାବୀ ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ହେବାକୁ ବସିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ନ୍ୟାୟ ନମିଳିବାରୁ ଝିଅକୁ ନେଇ ନବୀନ ନିବାସ ସମ୍ମୁଖରେ ଧାରଣା ଦେବେ ବୋଲି କହିଛନ୍ତି ଛାତ୍ରୀଙ୍କ ବାପା ।

Advertisment

ମୟୂରଭଞ୍ଜ ରାସଗୋବିନ୍ଦପୁର ବ୍ଲକ୍ ତରାପୁର ଗାଁର ହୃଷିକେଶ୍ ମହାନ୍ତିଙ୍କ ଝିଅ ରାଜଶ୍ରୀ, ବାଲେଶ୍ୱର ଅମର୍ଦା ରୋଡ଼ ସ୍ଥିତ ସିଦେ୍ଧଶ୍ୱର ମହାବିଦ୍ୟାଳୟରେ +୨ ବିଜ୍ଞାନ ପଢୁଥିଲେ । ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ଦେବା ପାଇଁ ଫର୍ମ ଫିଲଅପ୍ କରିଥିଲେ । କିନ୍ତୁ ତତକାଳୀନ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶ୍ରୀକାନ୍ତ ଜେନା, ରାଜଶ୍ରୀଙ୍କ ଫର୍ମ କାଉନସିଲକୁ ପଠାଇ ନଥିବାରୁ ତାଙ୍କୁ ଆର୍ଡମିଟ୍ କାର୍ଡ ମିଳି ନାହିଁ କି ତାଙ୍କ ପରୀକ୍ଷ ଫଳ ପ୍ରକାଶ ପାଇନାହିଁ ।

ଆଡମିଟ୍ କାର୍ଡ ପାଇଁ କଲେଜ୍ କର୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ କରିବା ସହ ରାଜଶ୍ରୀ ଜୁଲାଇ ୧୩ ତାରିଖରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଘଟଣାର ସମାଧାନ କରିବା ପାଇଁ ଉଚ୍ଚ ମାଧ୍ୟମିକ ପରିଷଦର କଣ୍ଟ୍ରୋଲର ଏବଂ କଲେଜ୍ କର୍ତୃପକ୍ଷକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ତଥାପି ଏହାର ସମାଧାନ ହୋଇନଥିବାରୁ ରାଜଶ୍ରୀଙ୍କ ରେଜଲ୍ଟ ପ୍ରକାଶ ପାଇନାହିଁ । ତେବେ କଲେଜର ତକ୍ରାଳୀନ ଅଧ୍ୟକ୍ଷ ଏବଂ କିରାଣୀଙ୍କ ଦାୟିତ୍ୱହୀନତା ଯୋଗୁଁ ଛାତ୍ରୀ ଜଣଙ୍କ ଅସୁବିଧାରେ ପଡିଥିବା ସ୍ୱୀକାର କରିଛନ୍ତି ବର୍ତମାନର ଅଧ୍ୟକ୍ଷ ଡ. ଅକ୍ଷୟ କୁମାର ପରିଡା ।

ଜୁଲାଇ ୩୧ ତାରିଖରେ +୨ ବିଜ୍ଞାନ ଏବଂ ବାଣିଜ୍ୟର ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ରାଜଶ୍ରୀଙ୍କ ଭବିଷ୍ୟତ ଏବେ ବି ଅନ୍ଧାରରେ ରହିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବି କୌଣସି ସୁଫଳ ନମିଳିବାରୁ ରାଜଶ୍ରୀ ଓ ତାଙ୍କ ବାପା ନବୀନ ନିବାସ ସମ୍ମୁଖରେ ଧାରଣା ଦେବେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।