ଚିତା ଜଳୁଥିଲା, ଟେକା ପଡୁଥିଲା । ମଶାଣି ଜମି ବିବାଦକୁ ନେଇ ପୁରୀ ଅସ୍ତରଙ୍ଗ ବ୍ଲକରେ ତୁମୁଳକାଣ୍ଡ । ୧୨ଘଣ୍ଟା ପଡିରହିଲା ବୃଦ୍ଧଙ୍କ ଶବ, ରାସ୍ତା ଉପରେ ଶବ ପୋଡିଲେ ଲୋକେ ।

210

କନକ ବ୍ୟୁରୋ : ମଶାଣି ଜମି ବିବାଦକୁ ନେଇ ତୁମୁଳକାଣ୍ଡ । ୧୦୪ ବର୍ଷ ବୃଦ୍ଧଙ୍କ ମୃତଦେହ ୧୨ ଘଣ୍ଟା ରାସ୍ତାରେ ପଡିବା ପରେ ରାସ୍ତା ଉପରେ ପୋଡିଲେ ଲୋକେ । ଏଭଳି ଅଭାବନୀୟ ଘଟଣା ଘଟିଛି ଅସ୍ତରଙ୍ଗ ବ୍ଲକ ଦିନନଗର ପଂଚାୟତ ଦିନାଡିଆ ଗାଁରେ । ଏଠାରେ ଗତକାଲି ୧୦୪ ବର୍ଷିୟ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ମୃତ୍ୟୁ ହୋଇଥିଲା । ପରିବାର ଲୋକେ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନଙ୍କୁ ଆଣିବା ପରେ ନିକଟସ୍ଥ ନୂଆ କଳିଆକଣ ଗାଁର ଲୋକେ ଶ୍ମଶାନ ରାସ୍ତାକୁ ଦଉଡିବାନ୍ଧି ଅବରୋଧ କରିଥିଲେ । ଏହାର ପ୍ରତିବାଦରେ ଦିନାଡିଆ ଗାଁର ଲୋକେ ମୃତଦେହକୁ ଅସ୍ତରଙ୍ଗ ରାସ୍ତା ଉପରେ ରଖି ରାସ୍ତା ଅବରୋଧ କରିଥିଲେ ।

ଘଟଣାସ୍ଥଳରେ ଅସ୍ତରଙ୍ଗ ବିଡିଓ ଓ ଥାନାଧିକାରୀ ପଂହଚି ଲୋକଙ୍କୁ ବୁଝାସୁଝା କରିଥିଲେ । କିନ୍ତୁ ନୂଆ କଳିଆକଣ ଗାଁର ଲୋକେ ନିଜ ଜିଦରେ ଅଟଳ ରହିଥିଲେ । ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ଟେକାପଥର ମାଡ ହୋଇଥିଲା । ପ୍ରଶାସନର ଉଦ୍ୟମ ସତ୍ୱେ ସମାଧାନର କୌଣସି ତ୍ତସୁତ୍ର ବାହାରିନଥିଲା । ମୃତଦେହ ୧୨ ଘଂଟା ଧରିି ରାସ୍ତା ଉପରେ ପଡି ରହିବା ପରେ ଶେଷରେ ଲୋକେ ରାସ୍ତା ଉପରେ ମୃତଦେହକୁ ସଂସ୍କାର କରିଥିଲେ । ଏହା ପରେ ପ୍ରାୟ ଦୁଇ ଘଣ୍ଟାକାଳ ଶବଦାହ ସ୍ଥାନଟି ରଣକ୍ଷେତ୍ର ପାଲଟିଥିଲା । ଚିତା ଜଳୁଥିବାବେଳେ ଟେକାପଥର ବର୍ଷଣ ଚାଲିଥିଲା ।