ଢିଙ୍କିଆରେ ଆଜି ପୁଣି ଥରେ ପାନବରଜ ହଟାଇପାରେ ପ୍ରଶାସନ : ଦୁଇ ଦିନ ଧରି ସ୍ଥଗିତ ଥିଲା ଉଚ୍ଛେଦ କାର୍ଯ୍ୟ

ଏପଟେ ଜେଏସଡବ୍ଲୁ ପକ୍ଷରୁ ଜାରି ରହିଛି ପାଚେରୀ ଓ ରାସ୍ତା ନିର୍ମାଣ କାମ ; ଗାଁରେ ପଇଁତରା ମାରୁଛି ପୁଲିସ

76

କନକ ବ୍ୟୁରୋ : ଜଗତସିଂହପୁର ଜିଲ୍ଲା ଢିଙ୍କିଆରେ ଦୁଇ ଦିନ ଧରି ପାନବରଜ ଉଚ୍ଛେଦ ବନ୍ଦ ଥିଲା । ଆଜି ପ୍ରଶାସନ ପୁଣିଥରେ ଏହି ଉଛେଦ କାମ ଆରମ୍ଭ କରିବା ସହିତ ଜାଗା ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ କରିବ ବୋଲି ସୂଚନା ମିଳିଛି । ଯଦିଓ ଦୁଇ ଦିନ ହେବ ଉଛେଦ ବନ୍ଦ ଥିଲା ହେଲେ ଏହି ସମୟରେ ଜିନ୍ଦଲ କମ୍ପାନୀର ପାଚେରୀ ଓ ରାସ୍ତା ନିର୍ମାଣ କାମ ଚାଲିଥିଲା । ପାନବରଜ ଉଚ୍ଛେଦକୁ ଢିଙ୍କିଆର କିଛି ଲୋକ ବିରୋଧ କରୁଛନ୍ତି । ତିନି ଦିନ ତଳେ ପ୍ରଶାସନ ପାନ ବରଜ ଭାଙ୍ଗୁଥିବା ବେଳେ ପ୍ରକଳ୍ପକୁ ବିରୋଧ କରୁଥିବା ଗାଁ ଲୋକେ ଏବଂ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏହି ସମୟରେ ପୁଲିସ ଉପରକୁ ଢେଲା ପଥର ମାଡ କରିଥିଲେ ଗ୍ରାମବାସୀ । ପରେ ପୁଲିସ ଲାଠି ଚାର୍ଜ କରିଥିଲା ।

ଏହି ଘଟଣାରେ ସ୍ଥାନୀୟ ନେତା ଦେବେନ୍ଦ୍ର ସ୍ୱାଇଁ ସମେତ ମୋଟ୍ ୮ ଜଣ ଗିରଫ ହୋଇଛନ୍ତି । ଅନ୍ୟମାନେ ଗିରଫ ହେବା ଭୟରେ ଗାଁ ଛାଡି ଚାଲି ଯାଇଛନ୍ତି । ଗାଁରେ ଅଧିକାଂଶ ଲୋକଙ୍କ ଘରେ ତାଟି, କବାଟ ପଡିଥିବା ମଧ୍ୟ ଦେଖିବାକୁ ମିଳିଛି । ସେପଟେ ଗାଁରେ ଯେମିତି ଆଇନଶୃଙ୍କଳା ପରିସ୍ଥିତି ନଉପୁଜେ ସେଥିପାଇଁ ଗାଁ ଦାଣ୍ଡରେ ପୁଲିସ ପଇଁତରା ମାରୁଛି । ଭୟରେ ଥିବା ଗାଁ ଲୋକଙ୍କୁ ଭେଟି କଥା ହୋଇଛନ୍ତି ବିଜେପି ନେତା ବିଭୁ ପ୍ରସାଦ ତରାଇ ଏବଂ ପାରାଦୀପ ଏରସମା ଶିଳ୍ପାଂଚଳ ବିକାଶ ପରିଷଦର ସଭାପତି ବାପି ସରଖେଲ । ଶୁକ୍ରବାର ସୁଦ୍ଧା ଢିଙ୍କିଆ ପଂଚାୟତରେ ୨୭୪ଟି ପାନବରଜ ଭଙ୍ଗାଯାଇଥିବା ବେଳେ ୨୧୯ ଜଣ କ୍ଷତିଗ୍ରସ୍ତ ପାନବରଜ ମାଲିକଙ୍କୁ ୫ କୋଟିରୁ ଅଧିକ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରିଥିବା ଜଣାପଡିଛି ।