ପ୍ରାୟ ୧୦ ବର୍ଷ ପରେ ପୁଣି ଏମାର ମଠରୁ ଉଦ୍ଧାର ହେଲା ରୂପା ଇଟା । ମଠ ଭିତରେ ଥିବା ଏକ ବନ୍ଦ କୋଠରୀ ଚଟାଣରୁ ବାହାରିଲା ୪୫ଟି ଇଟା ।

149

କନକ ବ୍ୟୁରୋ: ପ୍ରାୟ ଦଶବର୍ଷ ପରେ ପୁଣି ଥରେ ପୁରୀର ଏମାର ମଠ ଖବରର ଶିରୋନାମାକୁ ଆସିଛି, ଯେତେବେଳେ ମଠରୁ ୪୫ ଖଣ୍ଡ ରୂପା ଇଟାକୁ ଉଦ୍ଧାର କରାଯାଇଛି । ମଠ ପରିସରରେ ଥିବା ଏକ ବନ୍ଦ କୋଠରୀର ମାଟି ତଳୁ ବାହାରିଛି ରୂପା ଇଟା । ଉଦ୍ଧାର ହୋଇଥିବା ଏହି ଇଟା, କେବଳ ମଠର ମାହାତ୍ମ୍ୟର କଥା ବୟାନ କରୁନି ବରଂ ମଠରେ ଲୁଚି ରହିଥିବା ଏକାଧିକ ରହସ୍ୟକୁ ସାମ୍ନାକୁ ଆଣିଛି ।

ଏମାର ମଠର ନୂଆ ଟ୍ରଷ୍ଟକୁ ଦାୟିତ୍ୱ ହସ୍ତାନ୍ତର ଆଗରୁ ମଠର ସମ୍ପତି ନେଇ ଯାଂଚ ଚାଲିଥିବା ବେଳେ ଏମିତି ରୂପା ଇଟା ମିଳିିଛି । ୨୦୧୦ ମସିହାରେ ଦେବୋତର ବିଭାଗ ପକ୍ଷରୁ ଯେଉଁ ଯାଂଚ ହୋଇଥିଲା ସେଥିରେ ୪୫ ଖଣ୍ଡ ରୂପା ଇଟା ଥିବାର ହିସାବ ଥିଲା । ସେହି ରୂପା ଇଟା ଏବେ ବାହାରିଥିବା କୁହାଯାଇଛି । ତେବେ ମଠରୁ ମିଳିଥିବା ପ୍ରତ୍ୟକ ରୂପା ଇଟାର ଓଜନ ୩୦ କେଜି ହେବ ।

ମିଳିଥିବା ସୂଚନା ଅନୁସାରେ ମଠ ଧିରେ ଧିରେ ଅସୁରକ୍ଷିତ ହେବାର ମଠର ତକ୍ରାଳୀନ ମହନ୍ତ ରାଜଗୋପାଳ ରାମାନୁଜ ଦାସ୍ ଏହାକୁ ମାଟି ଚଟାଣ ତଳେ ପୋତି ଦେଇଥିଲେ । ଆଉ ଦେବୋତର ବିଭାଗର ତନାଘନା ପରେ ଏହାକୁ ଉଦ୍ଧାର କରାଯାଇଛି ।

୨୦୧୧ ମସିହାରେ ଯେତେବେଳେ ଏହି ମଠରୁ ୫୨୨ ଖଣ୍ଡ ରୁପା ଇଟା ବାହାରିଥିଲା ସେତେବେଳେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ୧୮ ଟନ୍ର ୫୨୨ଟି ରୁପା ଇଟାର ମୂଲ୍ୟ ଥିଲା ୯୦ କୋଟି । ତେବେ ଏତେ ପରିମାଣର ରୁପା ଇଟା କେଉଁଠୁ ଆସିଲା, ତାକୁ ନେଇ ସେତେବେଳେ ଚର୍ଚ୍ଚା ହୋଇଥିଲା । ଆଉ କିଛି ଗବେଷଣା ଓ ପୁସ୍ତକରୁ ଜଣାପଡ଼ିଥିଲା, ନଅଙ୍କ ଦୁର୍ଭିକ୍ଷ ସମୟରେ ମଠରୁ ଚାଉଳ ତଥା ଖାଦ୍ୟଶସ୍ୟ ବଦଳରେ ବିଟ୍ରିଶ୍ ସରକାର ମଠକୁ ଏହି ସବୁ ଇଟା ଦେଇଥିଲେ ।