ଭାଷା ଲଢେଇରେ ତେଲେଙ୍ଗାନା ବନାମ ଗୁଜରାଟ। ଗୁଜରାଟୀ ଭାଷାରେ ଟୁଇଟ୍ କରି ମୋଦୀଙ୍କୁ ଟାର୍ଗେଟ୍ କଲା ଟିଆରଏସ। 

177

କନକ ବ୍ୟୁରୋ: ଟିଆରଏସ ଓ ବିଜେପି ଏବେ ପରସ୍ପର ଉପରେ ଆକ୍ରମଣାତ୍ମକ ହୋଇଛନ୍ତି । ଦୁଇ ଦିନ ଧରି ପୋଷ୍ଟର ଜରିଆରେ ଦୁଇ ଦଳ ଭିତରେ ଲଢେଇ ଚାଲିବା ପରେ ଏବେ ଏହା ଭାଷା ଲଢେଇର ରୂପ ନେଇଛି । ଯାହା ଦିନକୁ ଦିନ ରୋଚକ ହେବାରେ ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ତେଲଙ୍ଗାନା ରାଷ୍ଟ୍ରସମିତି ବା ଟିଆରଏସ ଗୁଜରାଟୀ ଭାଷାରେ ଟ୍ୱିଟ କରିଥିଲା । ଏହାର ଜବାବରେ ତେଲଙ୍ଗାନା ବିଜେପି ଉର୍ଦ୍ଧୁରେ ଟ୍ୱିଟ କରିଛି । ତେଲଙ୍ଗାନା ରାଷ୍ଟ୍ର ସମିତି ଓ ଏଆଇଏମଆଇଏମ ମଧ୍ୟରେ ଥିବା ବନ୍ଧୁତାକୁ ଟାର୍ଗେଟ କରି ବିଜେପି ଉର୍ଦ୍ଧୁ ଭାଷାର ସହାୟତା ନେଇଥିବା କୁହାଯାଉଛି ।

ଗତ କିଛି ମାସ ଧରି ଉଭୟ ଦଳର ଲଢେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ହୋଇଛି । କିନ୍ତୁ ପ୍ରଥମ ଥର ପାଇଁ ଉଭୟ ଦଳ ପରସ୍ପରକୁ ଟାର୍ଗେଟ କରିବା ପାଇଁ ଭିନ୍ନ ଭିନ୍ନ ଭାଷାର ସାହାରା ନେଇଛନ୍ତି । ଟିଆରଏସ ପାର୍ଟି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୮ଟି ପ୍ରଶ୍ନ ପଚରା ଯାଇଥିଲା । ମୋଦୀ ଗୁଜରାଟୀ ଭାଷାକୁ ଭଲ ଭାବରେ ବୁଝିପାରିବେ ବୋଲି ଏହି ଟ୍ୱିଟରେ ଲେଖାଯାଇଥିଲା । ଏଥିରେ ଇନ୍ଧନ ଦର, ମୁଦ୍ରାସ୍ପିତି ଠାରୁ ନେଇ ତେଲଙ୍ଗାନା ସହିତ ସାବତ ମାଆ ପରି ବ୍ୟବହାର କରିବା ନେଇ ଅଭିଯୋଗ କରିଥିଲା ଟିଆରଏସ । ଏହାର ଜବାବରେ ଉର୍ଦ୍ଦୁରେ ଟ୍ୱିଟ କରିଥିଲା ତେଲଙ୍ଗାନା ରାଜ୍ୟ ବିଜେପି । ଟିଆରଏସ ଓ ଏଆଇଏମଆଇଏମର ବନ୍ଧୁତାକୁ ଟାର୍ଗେଟ କରି ଉର୍ଦ୍ଧୁ ଭାଷାରେ ଟ୍ୱିଟ କରିଥିଲା ବିଜେପି । ତେଲଙ୍ଗାନାରେ ଟିଆରଏସର ୧୩ଟି ବିଫଳତାକୁ ନେଇ ପ୍ରଶ୍ନ କରିଥିଲା ରାଜ୍ୟ ବିଜେପି । ଏଥିରେ ଚାଷୀ ଆତ୍ମହତ୍ୟା, ସ୍ୱର୍ଣ୍ଣିମ ତେଲଙ୍ଗାନା ଓ ଋଣ ପ୍ରସଙ୍ଗ ସମ୍ପର୍କରେ ଲେଖାଯାଇଥିଲା । ଉଭୟ ଦଳ ଏହି ଟ୍ୱିଟ ଗୁଡିକରେ କିଛି ହ୍ୟାସଟାଗ୍ର ବ୍ୟବହାର ମଧ୍ୟ କରିଥିଲେ ।