ବିହାର ଆରଜେଡିରେ ସଂକଟ । ତେଜ ପ୍ରତାପ କହିଲେ ଜଗଦାନନ୍ଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଦଳୀୟ କାର୍ଯ୍ୟକ୍ରମରେ ଦେବେ ନାହିଁ ଯୋଗ

177

କନକ ବ୍ୟୁରୋ : ବିହାର ଆରଜେଡିରେ ଏବେ ଦୁଇ ନେତାଙ୍କ ମଧ୍ୟରେ ବିବାଦ ଉଗ୍ରରୂପ ନେବାରେ ଲାଗିଛି । ଗୋଟିଏ ପଟେ ଦଳର ସଭାପତି ଜଗଦାନନ୍ଦ ସିଂ କହିଛନ୍ତି କି ସେ ତେଜ ପ୍ରତାପଙ୍କୁ ଜାଣି ନାହାନ୍ତି, ତାଙ୍କୁ ଯାହା ଜବାବ ଦେବାର ଅଛି ସେ ଲାଲୁ ଯାଦବଙ୍କୁ ଦେବେ । ଅନ୍ୟପଟେ ଜଗଦାନନ୍ଦ ସିଂଙ୍କର ଏଭଳି ବୟାନ ପରେ ତେଜ ପ୍ରତାପ କହିଛନ୍ତି କି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନହେଲେ ସେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ ।

କହିରଖୁ କି ଛାତ୍ର ଆରଜେଡିର ପୂର୍ବତନ ରାଜ୍ୟ ସଭାପତି ଆକାଶ ଯାଦବଙ୍କୁ ଦଳରେ ଏକ ବରିଷ୍ଠ ପଦ ମିଳିଥିଲା । ଯାହାକୁ ନେଇ ଦଳ ଭିତରେ କନ୍ଦଳ ଆରମ୍ଭ ହୋଇଛି । ଦଳର ସଭାପତି ଜଗଦାନନ୍ଦ ଯାଦବ ଆକାଶଙ୍କୁ ପଦରୁ ହଟାଇବାକୁ ଦାବି କରିଥିଲେ । ଦଳ ଜଗଦାନନ୍ଦଙ୍କ ପ୍ରସ୍ତାବକୁ ସମ୍ମାନ ଦେଇ ଆକାଶଙ୍କୁ ପଦରୁ ହଟାଇବା ପରେ ଏବେ ଦଳ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି ଲାଲୁ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ । ତେଜ ପ୍ରତାପ ଦାବି କରିଛନ୍ତି କି ଯେ ପର୍ଯ୍ୟନ୍ତ ଜଗଦାନନ୍ଦ ସିଂଙ୍କ ଉପରେ ଦଳ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବ ସେପର୍ଯ୍ୟନ୍ତ ସେ ଦଳର କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ।

ସୂଚନା ଥାଉକି ଏହି ବିବାଦ ସେତେବେଳେ ବଢିଥିଲା ଯେତେବେଳେ ଆକାଶ ଯାଦବଙ୍କୁ ଛାତ୍ର ଆରଜେଡିର ରାଜ୍ୟ ସଭାପତି ପଦରୁ ହଟାଇ ଜଗଦାନନ୍ଦ ସିଂ ଗଗନ କୁମାରଙ୍କୁ ସେହି ପଦରେ ଅବସ୍ଥାପିତ କରିଥିଲେ ।

କହିରଖୁ କି ଆକାଶ ଯାଦବଙ୍କୁ ତେଜ ପ୍ରତାପଙ୍କ ଅତି ନିକଟତର କୁହାଯାଉଛି । ତାଙ୍କୁ ଗତବର୍ଷ ମେ’ ମାସରେ ରାଜ୍ୟ ଛାତ୍ର ଆରଜେଡିର ଅଧ୍ୟକ୍ଷ ପଦ ମିଳିଥିଲା । କିଛିଦିନ ପୂର୍ବରୁ ଆକାଶ ଯାଦବଙ୍କ ଅଧ୍ୟକ୍ଷତାରେ ପାଟନାରେ ହୋଇଥିବା ଛାତ୍ର ସମ୍ମିଳନୀରେ ଯେଉଁ ପୋଷ୍ଟର ଲଗାଯାଇଥିଲା ସେଥିରେ ନା ଥିଲା ତେଜସ୍ୱୀ ଯାଦବଙ୍କ ଫଟୋ, ନା ଲାଲୁଙ୍କ ଫଟୋ, ନା ଜଗଦାନନ୍ଦ ସିଂଙ୍କ ଫଟୋ । ପୋଷ୍ଟରରେ କେବଳ ତେଜ ପ୍ରତାପଙ୍କ ଫଟୋ ରହିଥିଲା । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା ।