ଗଞ୍ଜାମରେ ଜବରଦଖଲ ଉଚ୍ଛେଦ । ତହସିଲଦାର ଓ ଆଇନଜୀବୀ ମୁହାଁମୁହିଁ , ଭିଡିଓ ଭାଇରାଲ୍

200

କନକ ବ୍ୟୁରୋ : ଗଞ୍ଜାମରେ ତହସିଲଦାର ଓ ଆଇନଜୀବୀ ମୁହାଁମୁହିଁ । ତହସିଲଦାର ଅରୁଣ କୁମାର ନାୟକ ଜବରଦଖଲ ଉଚ୍ଛେଦ ପାଇଁ ଜେସିବି ଧରି ବଡ଼ ବଜାରରେ ପହଞ୍ଚିଥିଲେ । ଏହି ଜମି ପାଇଁ କେସ୍ ଲଢୁଥିବା ଆଇନଜୀବୀ ଦିଲ୍ଲିପ କୁମାର ପଟ୍ଟନାୟକ ତହସିଲଦାର ସମୟ ଦେଇନଥିବାରୁ ଏହାକୁ ବିରୋଧ କରିଥିଲେ । ଯାହାକୁ ନେଇ ଘଟଣାସ୍ଥଳରେ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା ।

ପରିସ୍ଥିତି ଏପରି ହୋଇଥିଲା ତହସିଲଦାର ଆଇନଜୀବିଙ୍କୁ ଅସଦ ବ୍ୟବହାର କରିଥିଲେ । ଉତ୍ତେଜନା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ସେଠାରୁ ପଳାଇଯାଇଥିଲେ ତହସିଲଦାର । ଗଞ୍ଜାମ ତହସିଲଦାରଙ୍କ ଏ ଦବଙ୍ଗଗିରି କିଛି ନୂଆ କଥା ନୁହେଁ । ଦୁଇ ମାସ ତଳେ ସିପାକୁଦା ଗାଁର ଜଣେ ଯୁବକଙ୍କୁ ମାଡ ମାରିବା ନେଇ ତହସିଲଦାରଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ, ଯାହା ଏବେ ବିଚାରଧୀନ ଅଛି ।

ସେହିପରି ଗତବର୍ଷ କରୋନା ସମୟରେ ଜଣେ ପେଟ୍ରୋଲ ଟ୍ୟାଙ୍କ କର୍ମଚାରୀଙ୍କୁ ସର୍ବସାଧାରଣରେ ଉଠବସ୍ କରାଇବା ନେଇ ଭିଡିଓ ଭାଇରାଲ ହୋଇଥିଲା, ଯାହାକୁ ନେଇ ଜିଲ୍ଲାପାଳ ତହସିଲଦାରଙ୍କୁ କାରଣ ଦର୍ଶାଓ ନୋଟିସ ଜାରି କରିଥିଲେ ଓ ଏଥିପାଇଁ ନେଇ କ୍ଷମା ମାଗିଥିଲେ ତହସିଲଦାର । ସେହିପରି ଗୋଖରକୁଡା, କୁଶପଲୀ ଠାରେ କରୋନା ବେଳେ ତହସିଲଦାର ମାଡ ମାରିଥିବା ନେଇ ଅଭିଯୋଗ ହୋଇଥିଲା । ଏମିତି ଅନେକ ମାମଲାରେ ଛନ୍ଦି ହୋଇ ବିବାଦରେ ଅଛନ୍ତି ତହସିଲଦାର ଅରୁଣ କୁମାର ନାୟକ ।