‘ବାବୁ ଗଣ୍ଡେ ଭିକ ଦିଅ… ଭିକ ମାଗି ନେଲେ ମୋ ମା’ର ଶୁଦ୍ଧିକ୍ରିୟା ହେବ’ :ମା’ର ଶୁଦ୍ଧିକ୍ରିୟା କରିବାକୁ ଭିକ ମାଗୁଛି ପୁଅ

333

କନକ ବ୍ୟୁରୋ: ସାନ ପିଲାଟି ମୁହଁରେ ଏ କେଇପଦ କଥା ଶୁଣିଲେ ସମସ୍ତଙ୍କ ଆଖି ଜକେଇ ଆସୁଛି । ମନକୁ ଆସୁଛି ଏ ବିଧାତା ଏତେ ନିର୍ଦ୍ଦୟ କାହିଁକି, ଗରୀବ ଉପରେ ଏତେ ଦାଉ ସାଧୁଛି କାହିଁକି?ମା’ର ଶୁଦ୍ଧିକ୍ରିୟା କରିବାକୁ ଗାଁ ଗାଁ ବୁଲି ଭିକ ମାଗୁଛି ନାବାଳକ ପୁଅ । ଏକଥା କହିଲା ବେଳକୁ ବୁଢି ମା’ର କଣ୍ଠରୁଦ୍ଧ ହୋଇଯାଉଛି ।

ଏ ହେଉଛନ୍ତି ବାଲେଶ୍ୱର ଜଳେଶ୍ୱର ଶିଖରପୁର ପଞ୍ଚାୟତର ବଜାରଶୋଳ ଗାଁର ଦେବାଶିଷ ଗିରି । ଯନ୍ତ୍ରଣାରେ ଭରା ଦେବାଶିଷର ଜୀବନ । କିଛି ଦିନ ତଳେ ରୋଗରେ ପଡି ମା’ ଆରପାରିକୁ ଚାଲିଗଲା । ଏବେ ମା’ର ଶୁଦ୍ଧିକ୍ରିୟା ପାଇଁ ପାଖରେ କାଣିକଉଡିଟେ ବି ନାହିଁ । ତେଣୁ ବାଧ୍ୟ ହୋଇ ଘର ଘର ବୁଲି ଭିକ ମାଗୁଛି ଦେବାଶିଷ ।

ବାପା, ମା, ଭଉଣୀ ଓ ବୁଢି ମା’କୁ ନେଇ ଦେବାଶିଷଙ୍କ ପରିବାର । ହେଲେ ୫ ବର୍ଷ ପୂର୍ବରୁ ହଠାତ୍ ବାପା ଚାଲିଗଲେ । ତା ପରେ ପରେ ମା’ଙ୍କୁ ବି କ୍ୟାନ୍ସର ହୋଇଗଲା । ଭଲ ପାଠ ପଢୁଥିଲେ ବି ଘରର ଏଭଳି ପରିସ୍ଥିତି ଯୋଗୁଁ ପାଠପଢା ସହ ଏକ ଗ୍ୟାରେଜରେ ଯାଇ କାମ କଲେ ଦେବାଶିଷ । ହେଲେ ସ୍ୱଳ୍ପ ଅର୍ଥରେ ମା’କୁ ବଞ୍ଚାଇପାରିଲେ ନାହିଁ । ନିକଟରେ ମା’ ବି ପରକରି ଆରପାରିକୁ ଚାଲିଗଲେ । ଏବେ ଅସହାୟ ଦେବାଶିଷ । ମା’ର ଶେଷ କ୍ରିୟା କରିବାକୁ ବି ଟଙ୍କାଟେ ନାହିଁ । ତେଣୁ ଗାଁକୁ ଗାଁ ବୁଲି ଭିକ ମାଗୁଛି । ଯାହା ମିଳିବ ସେଥିରେ ମା’ର ଶୁଦ୍ଧିକ୍ରିୟା କାମ କରିବ ।

ଦେବାଶିଷର ଏଭଳି ବିକଳ ଅବସ୍ଥା ଦେଖିବା ପରେ ଯଦି ସ୍ଥାନୀୟ ପ୍ରଶାସନ ଯଦି କିଛି ସାହାଯ୍ୟ କରନ୍ତେ ହୁଏତ ତାଙ୍କର କଷ୍ଟ କିଛିଟା ଲାଘବ ହୋଇପାରନ୍ତା