କୋଲକାତାରେ କମାଲ କଲା ଟିମ୍ ଇଣ୍ଡିଆ ! ପ୍ରଥମ ଟି-୨୦ରେ ୱେଷ୍ଟଇଣ୍ଡିଜକୁ ୫ ୱିକେଟରେ ଦେଲା ମାତ୍

ପ୍ରଥମ ଟି-୨୦ରେ ଭାରତର ଦମଦାର ବିଜୟ ।

182

କନକ ବ୍ୟୁରୋ : କୋଲକାତାରେ ଟିମ ଇଣ୍ଡିଆର କମାଲ । କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଉଥିବା ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଟି-୨୦ ମ୍ୟାଚରେ କାରବିଆନ ଟିମକୁ ୫ ୱିକେଟରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଦିନେଶ କାର୍ତ୍ତିକଙ୍କ ୩୧ ରନର ଧୈଯ୍ୟପୂର୍ଣ୍ଣ ଇନିଂସ ବଳରେ ସହଜ ବିଜୟ ହାସଲ କରିଛି ଭାରତ ।

ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପ୍ତି ନେଇଥିଲେ ଭାରତୀୟ ଅଧିନାୟକ । ଯାହାକୁ ସଠିକ୍ ପ୍ରମାଣିତ କରିଥିଲେ ଟିମ ଇଣ୍ଡିଆର ବୋଲର । ୱେଷ୍ଟଇଣ୍ଡିଜର ଟପ ଅର୍ଡରକୁ ସହଳ ପ୍ୟାଭିଲିୟନ ପଠାଇଥିଲେ ଭାରତୀୟ ବୋଲର । କୁଳଦୀପ ଯାଦବ ଓ କୁର୍ଣ୍ଣାଲ ପାଣ୍ଡ୍ୟାଙ୍କ ମାପଚୁପ ବୋଲିଂ ଆଗରେ ମୁଣ୍ଡ ନୁଆଇଁଥିଲା ୱେଷ୍ଟଇଣ୍ଡିଜ ଟିମ୍ । ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୧୦୯ ରନ କରିବାକୁ ସକ୍ଷମ ହୋଇଥିଲା ୱେଷ୍ଟଇଣ୍ଡିଜ । ଭାରତ ପକ୍ଷରୁ କୁଳଦୀପ ଯାଦବ ସର୍ବାଧିକ ୩ଟି ୱିକେଟ ନେଇଥିଲେ ।

୧୧୦ ରନର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆକୁ ପ୍ରଥମ ଓଭରରେ ହିଁ ଲାଗିଥିଲା ଝଟକା । ଏହାପରେ ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲା ଟିମ୍ ଇଣ୍ଡିଆ । ୪୫ ରନରେ ୪ ୱିକେଟ ହରାଇ ଦଳ ସଂକଟରେ ପଡିଥିବା ବେଳେ ସଂକଟମୋଚକ ସାଜି ଆସିଥିଲେ ଦିନେଶ କାର୍ତ୍ତିକ । ଶେଷ ଆଡକୁ କୁର୍ଣ୍ଣାଲ ପାଣ୍ଡ୍ୟାଙ୍କ ୯ ବଲରୁ ୨୧ ରନର ଇନିଂସ ବଳରେ ଦମଦାର ବିଜୟ ହାସଲ କରିଥିଲା ଟିମ୍ ଇଣ୍ଡିଆ ।