ତ୍ରିରଙ୍ଗାର ରଙ୍ଗରେ ରଙ୍ଗୀନ ହେଲା ଟିମ୍ ଇଣ୍ଡିଆ, ପ୍ରୋଫାଇଲ ଫଟୋ ବଦଳାଇଲେ ଖେଳାଳୀ ।

174

କନକ ବ୍ୟୁରୋ : ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ଦେଶ ଏବେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି । ଦେଶର କୋଟି କୋଟି ଜନତା ଏବେ ଏହି ଅଭିଯାନରେ ସାମିଲ ହୋଇଛନ୍ତି । ହର ଘର ତ୍ରିରଙ୍ଗା ଅଭିଯାନ ଏହାର ଏକ ଅଂଶବିଶେଷ । ଯେଉଁ ଅଭିଯାନରେ ଅନେକ ଲୋକ ନିଜ ଘରେ ତ୍ରିରଙ୍ଗା ଉଡାଉଥିବା ବେଳେ କିଛି ଲୋକ ନିଜ ସୋସିଆଲ ମିଡ଼ିଆ ପ୍ରୋଫାଇଲରେ ତ୍ରିରଙ୍ଗା ଫଟୋ ରଖି ଏହାକୁ ଆହୁରି ସ୍ୱତନ୍ତ୍ର କରିବାକୁ ଚେଷ୍ଟା କରିଛନ୍ତି । ଆଉ ଏହି ଅଭିଯାନରେ ଏବେ ଯୋଡି ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ସଦସ୍ୟ ।

ଟିମ୍ ଇଣ୍ଡିଆର କ୍ୟାପଟେନ ରୋହିତ ଶର୍ମା, ବିରାଟ କୋହଲି,ରିଷଭ ପନ୍ତ, କେ.ଏଲ ରାହୁଲଙ୍କ ଭଳି ଖେଳାଳୀ ନିଜ ସୋସିଆଲ ମିଡ଼ିଆ ପ୍ରୋଫାଇଲରେ ତ୍ରିରଙ୍ଗା ପତାକା ରଖିଛନ୍ତି । ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଏପରିକି ଏସିଆ କପରୁ ବାଦ୍ ପଡିଥିବା ଯଶପ୍ରୀତ୍ ବୁମରା ମଧ୍ୟ ଏହି ଅଭିଯାନରେ ସାମିଲ ହୋଇ ନିଜ ପ୍ରୋଫାଇଲ ଫଟୋରେ ତ୍ରିରଙ୍ଗା ରଖିଛନ୍ତି ।

କେବଳ ଭାରତୀୟ କ୍ରିକେଟର ନୁହଁନ୍ତି ବରଂ ବିସିସିଆଇ ଅଧିକାରୀ ମଧ୍ୟ ଏହି ଅଭିଯାନରେ ନିଜକୁ ସାମିଲ କରିଛନ୍ତି । ବିସିସିଆଇ ସଚିବ ଜୟ ଶାହା ନିଜ ଘରେ ତ୍ରିରଙ୍ଗା ଉଡାଇବା ସହ ପୂରା ପରିବାର ସହ ଫଟୋ ସେୟାର କରିଛନ୍ତି । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ମଧ୍ୟ ନିଜର ପ୍ରୋଫାଇଲ ଫଟୋ ବଦଳାଇ ତ୍ରିରଙ୍ଗା ରଖିଛନ୍ତି ।

ବିସିସିଆଇ ଅଧିକାରୀଙ୍କ ବ୍ୟତୀତ ପୂର୍ବତନ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ଓ ସଚିନ ତେନ୍ଦୁଲକର ମଧ୍ୟ ପ୍ରୋଫାଇଲ ଫଟୋରେ ତ୍ରିରଙ୍ଗା ରଖିଛନ୍ତି । ସଚିନ୍ ନିଜ ଘରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିବା ବେଳେ ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ମଧ୍ୟ ନିଜ ଘରେ ପତାକା ଉତ୍ତୋଳନ କରିଛନ୍ତି ।