ଦ୍ୱିତୀୟ ଟି-୨୦ରେ ବାଜି ମାରିଲା ଟିମ୍ ଇଣ୍ଡିଆ । ୬୫ ରନରେ ବିଜୟୀ ହେଲା ଭାରତ, ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ଶତକ ଦେଖିଲା ବିଶ୍ୱ ।

1,236

କନକ ବ୍ୟୁରୋ : ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମୁକାବିଲାରେ ବାଜି ମାରିଲା ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡକୁ ୬୫ ରନରେ ମାତ୍ ଦେଇ ବିଜୟୀ ହୋଇଛି ହାର୍ଦ୍ଦିକ ବାହିନୀ । ୧୯୨ ରନର ବିଜୟଲକ୍ଷ୍ୟ ପିଛା କରୁଥିବା ନ୍ୟୁଜିଲାଣ୍ଡ ମାତ୍ର ୧୨୬ ରନରେ ଅଲଆଉଟ ହୋଇଛି । ଦୀପକ ହୁଡା ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ନ୍ୟୁଜିଲାଣ୍ଡ ପକ୍ଷରୁ ଅଧିନାୟକ କେନ୍ ୱିଲିୟମସନ ସର୍ବାଧିକ ୬୧ ରନର ଇନିଂସ ଖେଳିଥିଲେ । ଏହି ମ୍ୟାଚରେ ବିଜୟୀ ହେବା ସହ ସିରିଜରେ ୧-୦ରେ ଆଗୁଆ ଅଛି ଟିମ୍ ଇଣ୍ଡିଆ ।

ଏହାପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୧୯୧ ରନ କରିଥିଲା । ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ଶତକ ବଳରେ ୧୯୧ ରନ ସ୍କୋର କରିଥିଲା ଭାରତ । ଟି-୨୦ ଫର୍ମାଟରେ ଏହା ସୂର୍ଯ୍ୟକୁମାର ଯାଦବଙ୍କ ଦ୍ୱିତୀୟ ଶତକ । ମାତ୍ର ୫୧ ବଲରୁ ୧୧୧ ରନର ଇନିଂସ ଖେଳିଛନ୍ତି ସୂର୍ଯ୍ୟକୁମାର । ଯେଉଁଥିରେ ୧୧ଟି ଚୌକା ଓ ୭ଟି ଛକା ରହିଛି ।

ଶେଷ ୫ ଓଭରରେ ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିଥିଲା ବିଶ୍ୱ । ମୈଦାନର ପ୍ରତିଟି କ୍ଷେତ୍ରକୁ ସଟ୍ ଖେଳିଥିଲେ ସୂର୍ଯ୍ୟକୁମାର । ସୂର୍ଯ୍ୟ ନିଜର ପ୍ରଥମ ୫୦ ରନ୍ ୩୨ ବଲରେ ପୂରା କରିଥିଲେ । ସେହିଭଳି ଶେଷ ୧୯ ବଲରେ ୬୧ ରନ କରିଥିଲେ ସୂର୍ଯ୍ୟକୁମାର । ଏହି ଶତକ ସହ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସୂର୍ଯ୍ୟକୁମାର ଯାଦବ ୩୦ ମ୍ୟାଚରୁ ୧୧୫୧ ରନ କରିବାକୁ ସକ୍ଷମ ହୋଇଛନ୍ତି ।