ପ୍ରଥମ ଟେଷ୍ଟରେ ରାହାଣେ, ଦ୍ୱିତୀୟ ଟେଷ୍ଟରେ କୋହଲି ହୋଇପାରନ୍ତି କ୍ୟାପଟେନ । ଖୁବଶୀଘ୍ର ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଘୋଷଣା ହେବ ଦଳ ।

72

କନକ ବ୍ୟୁରୋ : ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଖୁବଶୀଘ୍ର ଟିମ୍ ଘୋଷଣା କରାଯିବ । କୁହାଯାଉଛି ପ୍ରଥମ ଟେଷ୍ଟରେ ବିରାଟଙ୍କ ଅନୁପସ୍ଥିତିରେ ଆଜିଙ୍କ୍ୟ ରାହାଣେଙ୍କୁ ଅଧିନାୟକ ଦାୟିତ୍ୱ ମିଳିପାରେ । ସେହିଭଳି ଦ୍ୱିତୀୟ ମ୍ୟାଚରେ କୋହଲି ପୁଣିଥରେ ଟିମର ମଙ୍ଗ ଧରିପାରନ୍ତି । ଏହାପୂର୍ବରୁ ରାହାଣେ ନିଜ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆକୁ ବିଜୟୀ କରାଇଥିଲେ । ଆଉ ଏହି ବିଜୟ ଫଳରେ ଭାରତ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ପର୍ଯ୍ୟନ୍ତ ଯାତ୍ରା କରିପାରିଥିଲା ।

ଅନ୍ୟପଟେ ରୋହିତ ଶର୍ମାଙ୍କୁ ଏହି ଟେଷ୍ଟ ସିରିଜରୁ ବିଶ୍ରାମ ଦିଆଯାଇପାରେ । ରୋହିତ ଟି-୨୦ ସିରିଜରେ ଭାରତୀୟ ଟିମର ଅଧିନାୟକ ଦାୟିତ୍ୱ ସମ୍ଭାଳିବେ । ଯେହେତୁ ପୂର୍ବରୁ ବିରାଟ କୋହଲି ଟି-୨୦ ଅଧିନାୟକ ଦାୟିତ୍ୱ ଛାଡି ସାରିଛନ୍ତି ତେଣୁ ତାଙ୍କୁ ଏହି ସିରିଜରେ ବିଶ୍ରାମ ଦିଆଯାଇଛି । ଗତ କିଛି ଦିନ ହେବ ଲଗାତାର କ୍ରିକେଟ ଖେଳି ଆସୁଛି ଟିମ୍ ଇଣ୍ଡିଆ । ଖାସକରି ରୋହିତ, କୋହଲିଙ୍କ ଭଳି ବରିଷ୍ଠ ଖେଳାଳୀ ଦୀର୍ଘଦିନ ହେବ ବାୟୋବବଲରେ ରହି ଆସୁଛନ୍ତି । ତେଣୁ ବରିଷ୍ଠ ଖେଳାଳୀଙ୍କୁ ବିଶ୍ରାମ ଦେଉଛି ବିସିସିଆଇ । କାରଣ ଆଗକୁ ଆଇସିସିର ବଡ ବଡ ଟୁର୍ଣ୍ଣାମେଣ୍ଟ ରହିଛି ।
ଟି-୨୦ ବିଶ୍ୱକପ ପରେ ନ୍ୟୁଜିଲାଣ୍ଡ ଟିମ୍ ତୁରନ୍ତ ଭାରତ ଗସ୍ତ କରିବ । ଆଉ ଭାରତ ବିପକ୍ଷରେ ୩ଟି ଟି-୨୦ ଓ ୨ଟି ଟେଷ୍ଟ ମ୍ୟାଚ୍ ସିରିଜ ଖେଳିବ । ୧୭ ନଭେମ୍ବରରେ ପ୍ରଥମ ଟି-୨୦ ଖେଳାଯିବ । ସେହିଭଳି ୨୫ରୁ ୨୯ କାନପୁରରେ ପ୍ରଥମ ଟେଷ୍ଟ ଓ ୩ରୁ ୭ ଡିସେମ୍ବର ଯାଏଁ ମୁମ୍ବାଇରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ । ତେଣୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ବିଜୟୀ ହୋଇ ବିଶ୍ୱକପ ପରାଜୟକୁ ଭୁଲିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।