ସାରଙ୍କ ଦାବି ମାନିଲେ ସରକାର ! ୭ଟି ଦାବିରୁ ୪ଟି ଦାବି ଉପରେ ସରକାରଙ୍କ ମୋହର, ଶିକ୍ଷା ସହାୟକ ନୁହେଁ ଏଣକି ‘ଶିକ୍ଷକ’

44

କନକ ବ୍ୟୁରୋ : ସାରଙ୍କ ୪ଟି ଦାବି ମାନିଲେ ସରକାର । ଏନେଇ ସୂଚନା ଦେଇଛନ୍ତି ଶିକ୍ଷା ସହାୟକ ସଂଘର ସଭାପତି ମଳୟ ଜେନା । ସପ୍ତମ ବେତନ କମିଶନ ସୁପାରିଶ ଅନୁସାରେ ଶିକ୍ଷା ସହାୟକ ମାନଙ୍କ ଦରମାର ୪୦ ପ୍ରତିଶତ ରାଜ୍ୟ ସରକାର ଦେବାକୁ ରାଜି ହୋଇଛନ୍ତି । ବାକି ୬୦ ପ୍ରତିଶତ କେନ୍ଦ୍ର ସରକାର ଦେବାକଥା । ତେବେ କେନ୍ଦ୍ର ତା ଭାଗ ଦେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ତେଣୁ କାଲିଠାରୁ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ ହେବ ବୋଲି କହିଛି ଶିକ୍ଷା ସହାୟକ ସଂଘ ।

ସେପଟେ ଶିକ୍ଷା ସହାୟକଙ୍କ ନାଁ ପରିବର୍ତନ କରିବାକୁ ମଧ୍ୟ ଶିକ୍ଷା ବିଭାଗ ରାଜି ହୋଇଛି । ନିଯୁକ୍ତିର ପ୍ରଥମରୁ ତିନିବର୍ଷ ଯାଏଁ ଏମାନଙ୍କ ନାଁ ରହିବ ଜୁନିୟର ଟିଚର କଂଟ୍ରାକ୍ଟ । ତିନିବର୍ଷରୁ ୬ ବର୍ଷ ଯାଏଁ ଜୁନିୟର ଟିଚର ଓ ପରେ ରେଗୁଲାର ଟିଚର ଭାବେ କାମ କରିବେ ବୋଲି ସହମତି ହୋଇଛି । ଦରମା ବୃଦ୍ଧି, ଚାକିରି ନିୟମିତ କରିବା ଓ ଶିକ୍ଷା ସହାୟକ ନାମ ପରିବର୍ତନ ସହ ମୋଟ ସାତ ଦଫା ଦାବି ନେଇ ରାଜରସ୍ତାକୁ ଓହ୍ଲାଇଛି ଶିକ୍ଷା ସହାୟକ ସଂଘ ।

ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ଶିକ୍ଷକମାନେ । ସେପଟେ ଶିକ୍ଷକ, ଅଧ୍ୟାପକ, କର୍ମଚାରୀ ମିଳିତ ସଂଘର ୫ଦଫା ଦାବି ସହ ସତ୍ୟପାଠ ଉଚ୍ଛେଦ ଦାବି ନେଇ ଆଜି ସଚିବାଳୟରେ ବସିଥିଲା ମନ୍ତ୍ରୀସ୍ତରୀୟ ବୈଠକ । ଏଥିରେ ଗଣଶିକ୍ଷା, ଉଚ୍ଚଶିକ୍ଷା ଓ ଅର୍ଥମନ୍ତ୍ରୀଙ୍କ ସମେତ ବିଭାଗୀୟ ସଚିବ ଓ ଏଜିଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍ପତି ହୋଇପାରି ନାହିଁ । ଦାବି ଉପରେ ବିଚାର ନେଇ ସରକାର ମହଲତ ମାଗିଛନ୍ତି । ସେପଟେ ଦାବି ପୂରଣ ନହେଲେ ଆଗାମୀ ୨୦ ତାରିଖରୁ ପରୀକ୍ଷା ଖାତା ଦେଖା ବର୍ଜନ କରିବାକୁ ଚେତାବନୀ ଦେଇଛି ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ମିଳିତ ସଂଘ ।