କେଉଁଠି ନେଟୱାର୍କ ନାହିଁ ତ ଆଉ କେଉଁଠି ନାହିଁ ମୋବାଇଲ : କେବୁଲ ଟିଭିରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି ଗଂଜାମ ଧରାକୋଟାର ଶିକ୍ଷକ ସୂର୍ଯ୍ୟନାରାୟଣ ସାହୁ

189

କନକ ବ୍ୟୁରୋ : ଟିଭି ଚ୍ୟାନେଲରେ ପାଠ ପଢାଇଲେ ଶିକ୍ଷକ । କରୋନା ମହାମାରୀ ସମୟରେ ପିଲାଙ୍କ ସ୍କୁଲ ଯିବା ଏକ ପ୍ରକାର ଠପ୍ ହୋଇଯାଇଛି । ପିଲାମାନଙ୍କୁ ଶିକ୍ଷା ଯୋଗାଇଦେବା ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଂଜ ପାଲଟିଛି । ତେଣୁ ୟୁଟ୍ୟୁବ୍ ମାଧ୍ୟମରେ ପିଲାମାନେ ପାଠ ପଢିବା ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି ।

କିନ୍ତୁ ସବୁ ପିଲାଙ୍କ ପାଖରେ ଆଣ୍ଡ୍ରଏଡ଼ ମୋବାଇଲ ଫୋନ ନଥିବା ବେଳେ ଅନେକ ସ୍ଥାନରେ ନେଟୱାର୍କ ସମସ୍ୟା ମଧ୍ୟ ଦେଖାଯାଉଛି । ଯାହା ଦ୍ୱାରା ଅନେକ ପିଲା ପାଠ ପଢିବାରୁ ବଂଚିତ ହେଉଛନ୍ତି । ଏପରି ସ୍ଥିତିରେ ପିଲାଙ୍କୁ ପାଠ ପଢାଇବା ପାଇଁ ଏକ ଅଭିନବ ପ୍ରୟାସ କରିଛନ୍ତି ଗଂଜାମ ଧରାକୋଟ ମୁଣ୍ଡମରାଇ ଗାଁର ଦେଓପାଟଣା ସ୍କୁଲର ପ୍ରଧାନଶିକ୍ଷକ ସୂର୍ଯ୍ୟ ନାରାୟଣ ସାହୁ ଲୋକାଲ ଟିଭି ଚ୍ୟାନେଲରେ ଶିକ୍ଷାଦାନ କରୁଛନ୍ତି । ପିଲାମାନେ ଘରେ ବସି ପାଠ ପଢୁଛନ୍ତି ।

ଆଉ ମୋବାଇଲ ଦରକାର ପଡ଼ୁନାହିଁ କି ନେଟ ମଧ୍ୟ ଦରକାର ପଡ଼ୁନାହିଁ । ଧରାକୋଟ ବ୍ଳକର ୭ଟି ପଂଚାୟତରେ ପ୍ରାୟ ପିଲାଙ୍କ ପାଖରେ ଆଣ୍ଡ୍ରଏଡ଼ ମୋବାଇଲ ନାହିଁ । ଯଦି କାହା ପାଖରେ ଅଛି ନେଟୱାର୍କ ସମସ୍ୟା ସାଙ୍ଗକୁ ରିଚାର୍ଜ ପାଇଁ ଟଙ୍କା ନାହିଁ । ଏଭଳି ସ୍ଥିତିରେ ପ୍ରଧାନ ଶିକ୍ଷକ ସୂର୍ଯ୍ୟ ନାରାୟଣ ସାହୁ ଏଭଳି ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ନଜସ୍ୱ ଖର୍ଚ୍ଚରେ ଇଲୋକଟ୍ରୋନିକ୍ସ ସାମଗ୍ରୀ କିଣି ପିଲାଙ୍କୁ ପାଠ ପଢାଉଛନ୍ତି ।