ଶୂନରେ ଆଉଟ ହୋଇଥିଲି ବୋଲି… ରାଜସ୍ଥାନ ରୟାଲ୍ସ ମାଲିକ ମାରିଥିଲେ ଚାପୁଡା । ଆତ୍ମଜୀବନୀରେ ସାଂଘାତିକ ଅଭିଯୋଗ ଆଣିଲେ ରସ୍ ଟେଲର ।

404

କନକ ବ୍ୟୁରୋ : ନ୍ୟୁଜିଲାଣ୍ଡର ପୂର୍ବତନ କ୍ରିକେଟର ରସ୍ ଟେଲର ନିଜର ବାୟୋଗ୍ରାଫି ବ୍ଲାକ ଆଣ୍ଡ ହ୍ୱାଇଟରେ ଏକ ସାଂଘାତିକ ଖୁଲାସା କରିଛନ୍ତି । ଟେଲର ଏହି ବହିରେ ଲେଖିଛନ୍ତି ଯେ, ଆଇପିଏଲ ଫ୍ରାଞ୍ଚଇଜ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିବା ବେଳେ ଶୂନରେ ଆଉଟ ହେବା କାରଣରୁ ଟିମର ମାଲିକ ମୋତେ ଚାପୁଡା ମାରିଥିଲେ । ଚାପୁଡା ଜୋରଦାର ନଥିଲା କିନ୍ତୁ କେବେ ଭାବିନଥିଲି ଯେ ମୋ ସହ ଏମିତି ହେବ ବୋଲି ।

ଟେଲର ନିଜର ଆତ୍ମଜୀବନୀରେ ଲେଖିଛନ୍ତି, ପଞ୍ଜାବ ବିପକ୍ଷ ମ୍ୟାଚରେ ରାଜସ୍ଥାନ ୧୯୫ ରନର ବିଶାଳ ଟାର୍ଗେଟକୁ ପିଛା କରୁଥିଲା । କିନ୍ତୁ ଏହି ମ୍ୟାଚରେ ମୁଁ ଶୂନରେ ଆଉଟ ହୋଇଥିଲି ଏବଂ ଟିମ୍ ବିଜୟଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଥିଲା । ପରେ ଟିମର ସମସ୍ତ ସଦସ୍ୟ ଓ ମ୍ୟାନେଜମେଣ୍ଟ ହୋଟେଲର ବାରରେ ବସିଥିଲେ । ଲିଜ ହର୍ଲେ ବି ସେନ ୱାର୍ଣ୍ଣଙ୍କ ସହ ସେଠାରେ ଉପସ୍ଥିତ ଥିଲେ । ସେତେବେଳେ ରାଜସ୍ଥାନ ରୟାଲ୍ସ ମାଲିକ ମୋ ପାଖକୁ ଆସି କହିଥିଲେ, ଆମେ ତୁମକୁ ଶୂନରେ ଆଉଟ ହେବା ପାଇଁ ଏକ ମିଲିୟନ ଡଲାର ଦେଇ କିଣିନଥିଲୁ । ଆଉ ଏହା କହିବା ପରେ ମୋ ଗାଲରେ ୩ରୁ ୪ ଚାପୁଡା ମାରିଥିଲେ । ମୁଁ କେବେ କଳ୍ପନା ମଧ୍ୟ କରିନଥିଲି ଯେ, ମୋ ସହିତ ଏମିତି ମଜାକ କରାଯାଉଛି । କିନ୍ତୁ କ୍ରିକେଟ ଭଳି ଖେଳରେ ଏଭଳି ହେବ ତାହା ମୋର ବିଶ୍ୱାସ ନଥିଲା ।

ରସ ଟେଲର ୨୦୦୮ରୁ ୨୦୧୦ ବାଙ୍ଗାଲୋର ପାଇଁ ଖେଳିଥିବା ବେଳେ ୨୦୧୧ରେ ରାଜସ୍ଥାନ ଟିମ୍ ପାଇଁ ଖେଳିଥିଲେ । ପରେ ଦିଲ୍ଲୀ ଡେୟାରଡେଭିଲ୍ସ ଓ ପୁଣେ ୱାରିୟର୍ସ ଇଣ୍ଡିଆ ପାଇଁ ଖେଳିଥିଲେ । ଟେଲର ମୋଟ ୫୫ଟି ଆଇପିଏଲ ମ୍ୟାଚ୍ ଖେଳିଥିବା ବେଳେ ମାତ୍ର ୧୦୧୭ ରନ କରିବାକୁ ସକ୍ଷମ ହୋଇଥିଲେ । ଆଉ ଏହାମଧ୍ୟରେ ଥିଲା ୩ଟି ଅର୍ଦ୍ଧଶତକ ।