କାମ ଟାକ୍ସି ଚଳାଇବା ହେଲେ ନିଶା ସମାଜ ସେବା ! ଅନାଥ ପିଲାଙ୍କୁ ମାଗଣା ଶିକ୍ଷା ସହ ଦେଉଛନ୍ତି ଆଶ୍ରୟ

95

ପାଠ ପଢିବାକୁ ଥିଲା ପ୍ରବଳ ଆଗ୍ରହ । ହେଲେ ପରିବାରର ସମସ୍ୟା ସାଜିଥିଲା ପ୍ରତିବନ୍ଧକ । ପ୍ରଥମ ଶ୍ରେଣୀରୁ ହିଁ ସେ ସ୍କୁଲ ଦୂଆର ଆଉ ମାଡିନଥିଲେ । ସେଇଦିନ ସେ ହୃଦୟଙ୍ଗମ କରିଥିଲେ ଦାରିଦ୍ର କଣ ? ଦୁଃଖ କିପରି ଜୀବନ ବାଟଚାଲିବାକୁ ରୋକିଦିଏ । ସେଇଦିନ ସେ ସ୍ଥିର କଲେ ନିଜ ଭଳି ଆଉ କାହାକୁ ଏପରି ସମସ୍ୟାରେ ପଡିବାକୁ ଦେବେ ନାହିଁ । ଆଉ ପଣ କଲେ ଜୀବନରେ ଏମିତି କିଛି କାମ କରିବେ । ଯାହା କି ତାଙ୍କ ବଳି କୌଣସି ପିଲାର ସ୍ୱପ୍ନ ଭାଂଗିନଯାଉ । ସେଥିପାଇଁ ନିଜର ସ୍ୱଳ୍ପ ରୋଜଗାର କିଛି କିଛି ସଂଚୟ ରଖି ସେ ଗଢିଲେ ଦୁଇଟି ସ୍କୁଲ୍ । ଆଉ ଗୋଟିଏ ଅନାଥ ଆଶ୍ରମ । ଏହି ମହତ ଉଦ୍ଦେଶ୍ୟର ବ୍ୟକ୍ତି ଜଣକ ହେଉଛନ୍ତି ଗାଜି ଜଲ୍ଲାଉଦ୍ଦିନ୍ । ପେଶାରେ ଜଣେ ଟାକ୍ସି ଚାଳକ ।

ପଶ୍ଚିମବଙ୍ଗର ସୁନ୍ଦରବନର ଠାକୁରଛକ ଗାଁରେ ଏକ ଚାଷୀ ପରିବାରରେ ଜନ୍ମହୋଇଥିିଲେ ଗାଜି । ପିଲାବେଳୁ ସେ ଥିଲେ ଖୁବ୍ ମେଧାବୀ । ପାଠ ପଢିବାକୁ ମନରେ ଥିଲା ଖୁବ୍ ଆଗ୍ରହ । ପ୍ରଥମ ଶ୍ରେଣୀ ପରୀକ୍ଷାରେ ପୂରା କ୍ଲାସରେ ପ୍ରଥମ ହୋଇଥିିବା ଗାଜି ବାପାଙ୍କୁ ଏହି ଖୁସି ଖବର ଜଣାଇଥିଲେ । ମାତ୍ର ଏହି ଖୁସି ବେଶୀ ସମୟ ରହିନଥିଲା । କାରଣ ଘରର ସମସ୍ୟାକୁ ନେଇ ଆଉ ପାଠପଢିପାରିବନି ବୋଲି ମନା କରିଦେଇଥିଲେ ତାଙ୍କର ବାପା । ପାଠ ପଢାରେ ତାଙ୍କର ବନ୍ଧା ହେଲା ଡୋରୀ । ଏହାପରେ ସେ କଲେ ଭିକ୍ଷାବୃତ୍ତି । ୧୨ ବର୍ଷ ବୟସ ପର୍ଯ୍ୟନ୍ତ ଏଭଳି ଏକ କାର୍ଯ୍ୟ କରିଲେ ଗାଜି । ଏହାପରେ ରିକ୍ସା ଚଳେଇଲେ । ଆଉ ଏହାରି ମଧ୍ୟରେ ସେ ଟାକ୍ସି ଚଳେଇବା ଶିଖିଯାଇଥିଲେ । ୧୯୭୭ ମସିହାରେ ୧୮ ବର୍ଷ ବେଳକୁ ସେ ହୋଇଗଲେ ରିକ୍ସା ଚାଳକରୁ ଜଣେ ଦକ୍ଷ ଟାକ୍ସି ଚାଳକ ।

ସମୟ କ୍ରମେ ଗାଜି ଉତ୍ତମ ରୋଜଗାର କରିବାରେ ଲାଗିଲେ । ସେହି ସମୟକୁ ସେ ଉଚିତ୍ ଭାବିଥିଲେ ନିଜର ଲକ୍ଷ୍ୟ ପୂରଣ କରିବା ପାଇଁ । ପିଲାବେଳରୁ ଆର୍ଥିକ ସମସ୍ୟାକୁ ନେଇ ପାଠପଢା ଛାଡିଥିବା ଗାଜି ସେ ସମୟର ପିଲାମାନଙ୍କୁ ଏହି ଅଧିିକାରରୁ ବଂଚିତ କରିବାକୁ ଚାହିଁନଥିଲେ । ସେଥିପାଇଁ ସେ ଏପରି ଏକ ସ୍କୁଲ୍ ନିର୍ମାଣ କରିବାକୁ ଚାହୁଁଥିଲେ ଯେଉଁଠାରେ ପିଲାମାନଙ୍କୁ ଶିକ୍ଷା ଗ୍ରହଣ ନିମନ୍ତେ କୌଣସି ଦେୟ ଦେବାକୁ ପଡିବ ନାହିଁ । ତାଙ୍କର ଏହି ଲକ୍ଷ୍ୟ ପୂରଣ କରିବା କଦାପି ସହଜ ନଥିଲା ତାଙ୍କ ପକ୍ଷେ । ନିଜର ମନକୁ ସେ ଦୃଢ କଲେ । ନିଜେ ରହୁଥିବା ଘରୁ ଆରମ୍ଭ କଲେ ସେ ଏକ ସ୍କୁଲ୍ । ନିଜର ପ୍ରତିଦିନର ରୋଜଗାର ଓ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଚାଲିଲା ଏହି ସ୍କୁଲ୍ । ଯେଉଁଥିରେ ଥିଲେ ୨୨ଜଣ ବିଦ୍ୟାର୍ଥୀ ଓ ସେମାନଙ୍କୁ ପଢାଇବା ପାଇଁ ୨ ଜଣ ଶିକ୍ଷକ । ଏତିକିରେ ଶେଷ ହୋଇନଥିଲା ଗାଜିଙ୍କ ପ୍ରଚେଷ୍ଟା ।

ନିଜର ମାସିକ ଆୟକୁ ସଂଚୟ କରି ଗାଜି ଏକ ସୁବ୍ୟବସ୍ଥିତ ସ୍କୁଲ୍ ନିର୍ମାଣ କରିଥିଲେ । ଏଥିିରେ ଅବଶ୍ୟ ତାଙ୍କ ଟାକ୍ସିରେ ପ୍ରତିଦିନ ଯାତ୍ରା କରୁଥିବା କିଛି ଯାତ୍ରୀଙ୍କ ସହଯୋଗ ଥିଲା । ବିନା କୌଣସି ସରକାରୀ ସାହାଯ୍ୟରେ ଚାଲିଲା ଗାଜିଙ୍କ ଏହି ମାଗଣା ସ୍କୁଲ୍ । ପ୍ରଥମ ସ୍କୁଲର କିଛିବର୍ଷ ମଧ୍ୟରେ ପିଲାଙ୍କ ବଦ୍ଧିି ନେଇ ସେ ନିର୍ମାଣ କଲେ ଆଉ ଏକ ସ୍କୁଲ୍ । ବର୍ତ୍ତମାନ ଏହି ଦୁଇଟି ସ୍କୁଲରେ ପ୍ରାୟ ୪୨୫ରୁ ଉର୍ଦ୍ଧ୍ୱ ବିଦ୍ୟାର୍ଥୀ ପଢୁଛନ୍ତି । ଏବଂ ସେମାନଙ୍କୁ ପଢାଇବା ପାଇଁ ନିୟୋଜିତ ହୋଇଛନ୍ତି ୨୧ଜଣ ଶିକ୍ଷକ ।

ଗାଜିଙ୍କ ସ୍କୁଲର ଅର୍ଦ୍ଧାଧିକ ବିଦ୍ୟାର୍ଥୀ ହେଉଛନ୍ତି ଅନାଥ । ସ୍କୁଲ ଶେଷ ହେବା ପରେ ସେମାନଙ୍କୁ ଅବହେଳିତ ହୋଇ ରହୁଥିବାର ଦେଖି ଗାଜି ବ୍ୟଥିତ ହୋଇପଡିଥିଲେ । ସେଥିପାଇଁ ଗାଜି ଲୋକମାନଙ୍କ ଠାରୁ ସାହାଯ୍ୟ ନେଇ ଗତବର୍ଷ ନିର୍ମାଣ କରିଛନ୍ତି ଏକ ଅନାଥାଶ୍ରମ । ସମସ୍ତ ସୁବିଧା ପିଲାମାନଙ୍କୁ ଯୋଗାଇଦିଆଯାଇଛି ଏଠାରେ । ସ୍କୁଲ୍ ଓ ଅନାଥାଶ୍ରମ ଚଳାଇବାରେ ଅନେକ ସମୟରେ ଆର୍ଥିକ ସମସ୍ୟା ଦେଖାଦେଇଥାଏ । ଏପରିକି ଶିକ୍ଷକମାନଙ୍କୁ ଓ ଅନାଥାଶ୍ରମରେ କାମ କରୁଥିବା କର୍ମଚାରୀମାନଙ୍କୁ ମାସିକ ଦରମା ଦେବା ପାଇଁ ସକ୍ଷମ ହୋଇନଥାନ୍ତି । କିନ୍ତୁ ଏହି କର୍ମଚାରୀମାନେ ଗାଜିଙ୍କୁ ପୂର୍ଣ୍ଣ ସହଯୋଗ କରନ୍ତି ଏବଂ ଗୋଟିଏ ଗୋଟିଏ ମାସ ବିନା ଦରମାରେ କାମ କରନ୍ତି ।

ଏସବୁ ବ୍ୟତୀତ ସେ ତାଙ୍କ ଗାଁର କିଛି ଅଭାବୀ ଯୁବବର୍ଗଙ୍କୁ ଟାକ୍ସି ଚଳାଇବା ଶିଖାଉଛନ୍ତି । ବର୍ତ୍ତମାନ ତାଙ୍କ ଅଧିନରେ ପ୍ରାୟ ୩୦୦ ଯୁବକ ଟାକ୍ସି ଚଳାଇବା ଶିଖୁଛନ୍ତି । ସ୍ୱଳ୍ପ ରୋଜଗାର ମଧ୍ୟରେ ଗାଜିଙ୍କର ଏପରି ମହତ ଉଦ୍ୟମ ତାଙ୍କ ପାଇଁ ଆଣିଦେଇଛି ଅନେକ ପ୍ରଶଂସା ।