ପେଟ୍ରୋଲ କିଣିଲେ ପୋଡୁଛି ପକେଟ୍, ଖୁବଶୀଘ୍ର ମାରିପାରେ ସେଂଚୁରୀ । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ପେଟ୍ରୋଲର ମୂଳଦର ହେଉଛି ୩୨ ଟଙ୍କା ୪୫ ପଇସା ।

187

କନକ ବ୍ୟୁରୋ: ବେଲଗାମ ତୈଳ ଦର । ଲଗାତାର ଭାବେ ସପ୍ତମ ଦିନ ପାଇଁ ଦେଶରେ ବଢିଛି ପେଟ୍ରୋଲ ଓ ଡିଜେଲ ଦର । ସୋମବାର  ତୈଳ କମ୍ପାନୀ ଗୁଡିକ ପେଟ୍ରୋଲ ଓ ଡିଜେଲ ଉପରେ ଯଥାକ୍ରମେ ୨୯ ପଇସା ଓ ୩୫ ପଇସା ବୃଦ୍ଧି କରିଛନ୍ତି । ଫଳରେ ଦେଶର ଅନେକ ସ୍ଥାନରେ ପେଟ୍ରୋଲ ଦର ୯୫ ଟଙ୍କା ଟପିଯାଇଛି । ରାଜଧାନୀ ଭୁବନେଶ୍ୱରରେ ସୋମବାର ପେଟ୍ରୋଲ ଦର ୮୯ ଟଙ୍କା ୬୮ ପଇସା ରହିଥିବା ବେଳେ, ଡିଜେଲ ୮୬ ଟଙ୍କା ୪୫ ପଇସାରେ ବିକ୍ରି ହେଉଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ରାଜଧାନୀ ଭୁବନେଶ୍ୱରରେ ପାଖାପାଖି ୯୦ ଟଙ୍କା ଦେଇ ଆମେ ଯେଉଁ ପେଟ୍ରୋଲ ଓ ଡିଜେଲ କିଣୁଛେ, ତାର ପ୍ରକୃତ ମୁଲ୍ୟ ୩୦ରୁ ୩୫ ଟଙ୍କା । ବାକି ଟଙ୍କା ଟିକସ ବାବଦରେ ନେଇଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର ।

ଏବେ ନଜର ପକାନ୍ତୁ ଭୁବନେଶ୍ୱରରେ ବିକ୍ରି ହେଉଥିବା ତୈଳ ଦରର ଗଣିତ ଉପରେ । ସୋମବାର ଭୁବନେଶ୍ୱରରେ ବିକ୍ରି ହେଉଥିବା ପେଟ୍ରୋଲର ମୌଳିକ ମୂଲ୍ୟ ହେଉଛି ୩୨.୪୩ ଟଙ୍କା । ଏହା ଉପରେ କେନ୍ଦ୍ର ସରକାରଙ୍କ  ଏକସାଇଜ୍ ଡ୍ୟୁଟି ରହିଛି ୩୨.୯୮ ଟଙ୍କା । ସେହିପରି ରାଜ୍ୟ ସରକାର ୩୨% ହିସାବରେ ନେଉଛନ୍ତି ଭାଟ, ଯାହା ୨୦.୯୧ ଟଙ୍କା । ତାସହ ଡିଲର କମିଶନ ୩.୩୬ ଟଙ୍କା । ଏହିପରି ଲିଟର ପିଛା ଗ୍ରାହକ ଗଣୁଛି ମୋଟ୍ ୮୯ ଟଙ୍କା ୬୮ ପଇସା ।

ସେହିପରି ଡିଜେଲର ମୌଳିକ ମୂଲ୍ୟ ୩୪ ଟଙ୍କା । ଏହାଉପରେ କେନ୍ଦ୍ରୀୟ ଏକସାଇଜ୍ ଡ୍ୟୁଟି ୩୧.୮୩ ଟଙ୍କା ।  ତାଉପରେ ରାଜ୍ୟର ଭାଟ ବାବଦରେ ୧୮.୪୧ ଟଙ୍କା ଏବଂ ଡିଲର କମିଶନ ୨.୨୧ ଟଙ୍କା । ଏ ସବୁକୁ ମିଶାଇଲେ ଡିଜେଲ ଲିଟର ପିଛା ଗ୍ରାହକକୁ ଦେବାକୁ ପଡୁଛି ମୋଟ୍ ୮୬ ଟଙ୍କା ୪୫ ପଇସା ।

ଗତ ସାଧାରଣ ବଜେଟରେ କୃଷିର ବିକାଶ ପାଇଁ ତୈଳ ଦର ଉପରେ ସେସ ବସାଇଛନ୍ତି କେନ୍ଦ୍ର ସରକାର । କିନ୍ତୁ  ଏହି ଅତିରିକ୍ତ କୃଷି ସେସ ଯୋଗୁଁ  ଗ୍ରାହକଙ୍କୁ ଅଧିକ ଦର ଦେବାକୁ ପଡିବ ନାହିଁ ବୋଲି କୁହାଯାଇଥିଲା । ସେଥିପାଇଁ କେନ୍ଦ୍ର ତେଲ ନେଉଥିବା ଏକସାଇଜ ଡ୍ୟୁଟିରେ ସଂଶୋଧନ କରିଥିଲେ ସରକାର ।

ଏକସାଇଜ୍ ଡ୍ୟୁଟିରେ ସଂଶୋଧନ..

  • ବେସିକ ଏକସାଇଜ ଟିକସ ୧.୪୮ ଟଙ୍କା, ପୂର୍ବରୁ ଥିଲା ୨.୯୮ ଟଙ୍କା
  • ଅତିରିକ୍ତ ଏକସାଇଜ ଟିକସ ୧୧.୦୦ଟଙ୍କା, ପୂର୍ବରୁ ଥିଲା ୧୨.୦୦ ଟଙ୍କା
  • ରୋଡ୍ ସେସ୍ ୧୮.୦୦ ଟଙ୍କା
  • ନୂତନ କୃଷି ସେସ୍ ୨.୫୦ଟଙ୍କା

ସେହିପରି ଡିଜେଲରେ

  • ବେସିକ ଏକସାଇଜ ଟିକସ ୧.୮୩ ଟଙ୍କା, ପୂର୍ବରୁ ଥିଲା ୪.୮୩ ଟଙ୍କା
  • ଅତିରିକ୍ତ ଏକସାଇଜ ଟିକସ ୮.୦୦ଟଙ୍କା, ପୂର୍ବରୁ ଥିଲା ୯.୦୦ ଟଙ୍କା
  • ରୋଡ୍ ସେସ୍ ୧୮.୦୦ ଟଙ୍କା
  • ନୂତନ କୃଷି ସେସ୍ ୪.୦୦ଟଙ୍କା

ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଉଥିବାବେଳେ ରୋଷେଇ ଗ୍ୟାସର ଦର ମଧ୍ୟ ବଢିଚାଲିଛି । ଫେବ୍ରୁଆରୀରେ ଦ୍ୱିତୀୟ ଥର ପାଇଁ ସୋମବାର ୫୦ ଟଙ୍କା ବଢ଼ି ଭୁବନେଶ୍ୱରରେ ସିଲିଣ୍ଡର ପିଛା ଦର ୮ଶହ ଟଙ୍କାରେ ପହଁଚିଯାଇଛି ।